ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପୁରୀ(ଓଡ଼ିଶା ରିପୋର୍ଟ): ପୁରୀ ଜିଲ୍ଲାର ମତ୍ସ୍ୟଜୀବୀ ଏବେ ସଙ୍କଟରେ। ସାମୁଦ୍ରିକ ମତ୍ସ୍ୟ ସମ୍ପଦ ଏବେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଅବସ୍ଥା ଏପରି ଯେ ସମୁଦ୍ରର ୧୦ କିଲୋମିଟର ଯାଏଁ ପର୍ଯ୍ୟାପ୍ତ ମାଛ ହେଉ ନାହାନ୍ତି। ଯାହାକୁ ନେଇ ଚିନ୍ତାରେ ୮୧ଟି ଗାଁର ୨୧ ହଜାର ମତ୍ସ୍ୟଜୀବୀ ପରିବାର। ମାଛ ବେଉସା ଛାଡ଼ି ଦିନ ମଜୁରିଆ କାମ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି।</p> <p>ପୂର୍ବରୁ ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ଦେଖିବାକୁ ମିଳୁଥିଲା ୨୦୦ ପ୍ରକାରରୁ ଅଧିକ ମାଛ। ଏବେ ଏହି ସଂଖ୍ୟା ୬୦କୁ ଖସି ଆସିଛି। ଇଲିଶି, କଣି, ବିଜିରାମ, କାଟମେଟା, ପାମ୍ପଲେଟ୍, କଣ୍ଟିଆ ଓ ସାଙ୍କୁଚ ଭଳି ମାଛ ଆଉ ଆଗ ଭଳି ଦେଖା ଯାଉ ନାହାନ୍ତି। ଫଳରେ ମାଛ ମାରିବାକୁ ନ ଯାଇ ଠିଆ ହୋଇ ରହିଛି ଟ୍ରଲର ଓ ହଜାର ହଜାର ଡଙ୍ଗା। ଯାହାକୁ ନେଇ ମତ୍ସ୍ୟଜୀବୀ ଚିନ୍ତାରେ।</p> <p>ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର ଓ ଗୋପ ଭଳି ୬ଟି ବ୍ଲକର ୮୧ ଗାଁର ୨୧ ହଜାର ପରିବାର ପ୍ରତ୍ୟକ୍ଷ ଭାବେ ମାଛ ବେଉସା ଉପରେ ନିର୍ଭରଶୀଳ। ହେଲେ ଏବେ ସେମାନେ ମାଛ ବେଉସା ଛାଡ଼ି ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି।</p> <p>କେବଳ ମାଛ ସଂଖ୍ୟା ଯେ ହ୍ରାସ ପାଉଛି ତାହା ନୁହେଁ। ମାଛ ମଡ଼କ ବି ଦେଖାଯାଉଛି। ଶହ ଶହ ସଂଖ୍ୟାରେ ସମୁଦ୍ର କୂଳରେ ମାଛ ମରି ପଡୁଛନ୍ତି। ଏଥିପାଇଁ ବଡ଼ ବଡ଼ ଟ୍ରଲରକୁ ଦାୟୀ କରିଛନ୍ତି ମତ୍ସ୍ୟଜୀବୀ। ସେହିପରି ପରିବେଶବିତ୍ ପାଣିର ସ୍ରୋତ, ପ୍ରଦୂଷଣ ଓ ଖାଦ୍ୟ ଅଭାବକୁ ମତ୍ସ୍ୟ ଉତ୍ପାଦନ ହ୍ରାସର କାରଣ ଥାଇପାରେ ବୋଲି କହିଛନ୍ତି। ଖୁବଶୀଘ୍ର ସେଣ୍ଟର ଫର୍ ମାରାଇନ୍ ଫିସିଙ୍ଗ ରିସର୍ଚ ଇନଷ୍ଟିଚ୍ୟୁଟ୍‌ କାରଣ ଖୋଜିବ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସୁଧାଂଶୁ ମଲ୍ଲିକ କହିଛନ୍ତି। କାରଣ ଯାହା ଥାଉ ନା କାହିଁକି ସରକାର ତୁରନ୍ତ ପଦକ୍ଷେପ ନ ନେଲେ ମତ୍ସ୍ୟଜୀବୀ ପରିବାର ଉପରେ ଗଭୀର ପ୍ରଭାବ ପକାଇବ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।