ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଗତକାଲି ଅଧ୍ୟକ୍ଷ ନିର୍ବାଚନ ବେଳେ ନିଜ ଏସୟୁଭି ଗାଡ଼ି ମଡ଼ାଇ ୨୨ ଜଣଙ୍କୁ ଆହତ କରିଥିବା ଚିଲିକା ବିଧାୟକଙ୍କୁ ନେଇ ଚାଲିଛି ତୁମ୍ବି ତୋଫାନ । ଏପରି ଅମାନବୀୟ କାଣ୍ଡ ପାଇଁ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେଉଥିବା ବିଧାୟକଙ୍କୁ ଆଜି ଟାର୍ଗେଟ କରିଛନ୍ତି ବିଜେପି ନେତା ସମ୍ବିତ ପାତ୍ର। ବିଧାୟକଙ୍କ ଗାଡ଼ି ଧକ୍କାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ସମ୍ବିତ ପାତ୍ର ବିଧାୟକ ଜଗଦେବଙ୍କ ଉପରେ ବର୍ଷିଛନ୍ତି।
ଓଡ଼ିଆ ଲୋକ ଭାରି ଭଦ୍ର, ନିରୀହ ପ୍ରାଣୀ। ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜଘନ୍ୟ କାଣ୍ଡ ଯୋଗୁ ସମଗ୍ର ଭାରତ ବର୍ଷରେ ଓଡ଼ିଶାର ଛବି ଖରାପ ହେଉଛି। ଦୀର୍ଘ ଦିନ ଶାସନରେ ରହିବା ପରେ ବିଧାୟକଙ୍କ ଅହଂକାର ବଢ଼ିଛି। ପୂର୍ବରୁ ମଧ୍ୟ ବିଧାୟକଙ୍କ ନାଁରେ ଅନେକ ଅଭିଯୋଗ ରହିଛି। ତେଣୁ ରାଜ୍ୟ ସରକାର ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ସମ୍ବିତ ପାତ୍ର ।
ବିଧାୟକଙ୍କ ଗାଡ଼ି ଧକ୍କାରେ ଆହତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସ, କ୍ୟାପିଟାଲ ହସ୍ପିଟାଲ ଓ ବାଣପୁରରେ ଭର୍ତ୍ତି ହୋଇଥିବା ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ବୋଲି କହିଛନ୍ତି ସମ୍ବିତ ପାତ୍ର। ଏଥିସହ ସେ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିବେ ବୋଲି କହିଛନ୍ତି ।
ବିଧାୟକଙ୍କ ଏପରି ବର୍ବୋରୋଚିତ ଅଭ୍ୟାସ ବହୁତ ପୁରୁଣା। ପୂର୍ବରୁ ବିଡିଓଙ୍କୁ ମାଡ଼ ମାରି ସମାଲୋଚିତ ହୋଇଥିବା ବିଧାୟକ ଜଗଦେବ ଦଳିତ ଯୁବକଙ୍କ ଉପରେ ହାତ ଉଠାଇ ବିଜେଡିରୁ ନିଲମ୍ବିତ ହୋଇଥିଲେ। ହେଲେ ସେଥିରୁ ସେ କିଛି ଶିକ୍ଷା କରିପାରିଲେନି। ତେଣୁ ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ସମ୍ବିତ ପାତ୍ର ।
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଗତକାଲି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏଥିସହ ୨ ପ୍ଲାଟୁନ୍ ଫୋର୍ସ ବି ମୁତୟନ ହୋଇଥିଲେ। ଏହି ସମୟରେ ହଠାତ୍ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ଏସୟୁଭି ଗାଡ଼ି ଚଲାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ। ବ୍ଳକ୍ ଅଧ୍ୟକ୍ଷ ନିର୍ବାଚନରେ କିଛି ରଫାଦଫା କରିବାକୁ ସେ ଆସିଥିଲେ ବୋଲି କୁହାଯାଉଛି। ଲୋକେ ତାଙ୍କୁ ଅଟକାଇ ଥିବା ବେଳେ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବିଧାୟକ ଗାଡ଼ିକୁ ଆଗକୁ ନେଇଥିଲେ ଓ ଏହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହା ପରେ ଲୋକେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ ଓ ଲହୁଲୁହାଣ କରି ଦେଇଥିଲେ। ତାଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିରୁଜି ସେଥିରେ ନିଆଁ ଲଗାଇ ଦେଇଥିଲେ।
ବିଧାୟକଙ୍କ ଏହି ବର୍ବରକାଣ୍ଡରେ ୧୦ ପୁଲିସ୍ ଅଧିକାରୀଙ୍କ ସହ ୨୨ରୁ ଅଧିକ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଜଗଦ୍ଦେବ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରୁ ବାହାରିବା ପରେ ଜଗଦେବଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଏଥିସହ ପରିସ୍ଥିତି ଅଣାୟତ୍ତ ଥିବାରୁ ବାଣପୁରରେ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଆଜି ସ୍ଥିତି ସାମାନ୍ୟ ଥିବା ବେଳେ ପରିସ୍ଥିତି ଶାନ୍ତ ଥିବା ଜଣାଯାଇଛି।
https://youtu.be/9WQtbpPddTA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।