ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗଣମାଧ୍ୟମ ଜଗତର ଜଣେ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁଙ୍କର ପରଲୋକ ହୋଇଯାଇଛି। ଶନିବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସଂକ୍ରମଣ ଜନିତ ଅସୁସ୍ଥତା ଯୋଗୁ ଗତ ୧ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ତାଙ୍କ ବିୟୋଗରେ ରାଜ୍ୟ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳି ଯାଇଛି।
ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ମହଖଣ୍ଡ ଗାଁରେ ଶ୍ରୀ ଗୁରୁ ଜନ୍ମ ହୋଇଥିଲେ। ସମ୍ବଲପୁର ଟାଉନ୍ ହାଇସ୍କୁଲ୍ ଓ ଗଙ୍ଗାଧର ମେହେର କଲେଜରେ ଶିକ୍ଷା ଲାଭ କରିବା ପରେ ସେ ରାଜନୀତି ବିଜ୍ଞାନର ଛାତ୍ର ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗରେ ଅଧ୍ୟୟନ କରି ଏମ୍.ଏ ଓ ଏମ୍.ଫିଲ୍ ଡିଗ୍ରୀ ହାସଲ କରିଥିଲେ। ତା’ପରେ ସାମ୍ବାଦିକତା ବୃତ୍ତି ପ୍ରତି ଶ୍ରୀ ଗୁରୁ ଆକୃଷ୍ଟ ହୋଇଥିଲେ। ୧୯୮୪ ମସିହାରେ ସେ ‘ସମ୍ବାଦ’ରେ ଯୋଗ ଦେଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏହି ସଂସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପାଦକୀୟ ଦାୟିତ୍ୱ ତୁଲାଉ ଥିଲେ ।
ସ୍ୱର୍ଗତ ଶ୍ରୀ ଗୁରୁଙ୍କର ନାଟକ ପ୍ରତି ମଧ୍ୟ ରୁଚି ଥିଲା। କଲେଜ ଜୀବନରୁ ଆକାଶବାଣୀ ସମ୍ବଲପୁର ନାଟ୍ୟ ବିଭାଗର ଜଣେ ଏ-ଗ୍ରେଡ୍ କଳାକାର ହିସାବରେ ସେ ବହୁ ନାଟକରେ ଅଂଶ ଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।