ଜୟପୁର( ଟି.ଗୌରୀଶଙ୍କର):କୋରାପୁଟ ବାରିଣୀପୁଟ ଅପରକୋଲାବ ଟ୍ରାଜେଡିରେ ତିନି ତିନି ଜଣଙ୍କ ଜୀବନ ବଞ୍ଚିଗଲା ସତ, ହେଲେ ଚାଲିଗଲା ନୟନ ପିତୁଳା । ମା’ର ମାଡ଼ରୁ ବର୍ତ୍ତିବା ପାଇଁ ପରିତ୍ୟକ୍ତ କୋଠାକୁ ଲୁଚିବାକୁ ଯାଇଥିଲେ ବି ମୃତ୍ୟୁର ଦୂତ ହାତରୁ ବର୍ତ୍ତିପାରିଲାନି। ମା’ ଏବେ ମେଡ଼ିକାଲରେ । ଆଉ ଗେହ୍ଲା ପୁଅକୁ ଖୋଜୁଛନ୍ତି । ଝୁରି ଝୁରି ଭାବୁଛନ୍ତି କାଲିର କାଳ ରାତିରେ ଯାହା ଘଟିଗଲା, ଆଖି ସାମ୍ନାରେ ସେ ସବୁ ଗୋଟି ଗୋଟି କରି ଭାସିଉଠୁଛି । ହେଲେ ମନରେ ଆଶଙ୍କା ପୁଅର କିଛି ହୋଇନି ତ ? ଏମିତି ଭାବି ଭାବି ନିଶ୍ଚଳ ହୋଇଯାଇଛି ମା’ର ସାରା ଶରୀର । ହେଲେ ପୁଅ ଯେ ଆଉ ଫେରିବନି, ସେକଥା ଜାଣିନାହାଁନ୍ତି ଜୟପୁର ସଦର ଥାନା ବାରିଣୀପୁଟ ଅପରକୋଲାବ କଲୋନୀର ରଶ୍ମିତା ଖରା। କାଳ କୋଠାରେ ଛପି ରହିଥିବା ମୃତ୍ୟୁର ଦୂତ ନେଇଯାଇଛି ତାଙ୍କର ଅତି ଗେହ୍ଲା ପୁଅ ରାସେଲକୁ । ମରଣର ଶୀତଳ ସ୍ପର୍ଶରେ ଲିଭିଯାଇଛି ପୁଅର ଜୀବନ ଦୀପ ।
ଘଟଣା ଥିଲା ଏମିତି । ଗତକାଲି ସମୟ ସଂଧ୍ୟା ପ୍ରାୟ ୭ଟା । ଅପରକୋଲାବ ସ୍ଥିତ ଏକ ପରିତ୍ୟକ୍ତ କୋଠା ସାମ୍ନାରେ ଖେଳୁଥିଲା ରାସେଲ୍ । କିନ୍ତୁ ପାଠ ନପଢ଼ି ଖେଳକୁଦରେ ସମୟ କାଟୁଥିବା କହି ତାକୁ ଘରକୁ ଯିବାକୁ କହିଥିଲେ ରାସେଲ୍ର ମା’ । ଆଉ ମାଡ଼ ପଡ଼ିବା ଆଶଙ୍କା କରି ପରିତ୍ୟକ୍ତ କୋଠା ଭିତରକୁ ଦୌଡ଼ି ପଳାଇଥିଲା ରାସେଲ୍।
ଏହାଦେଖି ରାସେଲ୍ ପଛେ ପଛେ ମା’, ଆଈ ଏବଂ ମାମୁ ଦୌଡ଼ିଯାଇଥିଲେ କୋଠା ଭିତରକୁ। ଠିକ୍ ଏହି ସମୟରେ ଭୁଶୁଡ଼ିପଡ଼ିଲା ପରିତ୍ୟକ୍ତ କୋଠା। ଆଉ ତା’ଭିତରେ ଫସିଯାଇଥିଲେ ସମସ୍ତେ । ଖବର ପାଇଁ ଅଗ୍ନିଶମ, ଓଡ୍ରାଫ୍ ଏବଂ ପୁଲିସ ପହଞ୍ଚି ଆରମ୍ଭ କରିଥିଲେ ରେସ୍କ୍ୟୁ ଅପରେସନ୍। ଶେଷରେ ୬ ଘଣ୍ଟାର ଅପରେସନ୍ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲେ ବି ୮ ବର୍ଷୀୟ ରାସେଲ୍ର ମୃତ୍ୟୁ ମେଡ଼ିକାଲରେ ହୋଇଯାଇଥିଲା ।
କୋରାପୁଟ ଜିଲ୍ଲା ବାରିଣୀପୁଟ ଅପରକୋଲାବର ଏହି ସରକାରୀ କୋଠା ୨୦୧୪ରୁ ଅବ୍ୟବହୃତ ହୋଇପଡ଼ିଥିଲା । ପ୍ରକଳ୍ପର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ କହିବା କଥା, ଉକ୍ତ କୋଠାକୁ ନିଷିଦ୍ଧ ଘୋଷଣା କରାଯିବା ସହ ଫଳକ ମାଧ୍ୟମରେ ସତର୍କ ସୂଚନା ବି ଦିଆଯାଇଥିଲା। ତେବେ ୨୦୧୪ରୁ ଯଦି ଏହାକୁ ଦୁର୍ବଳ କୋଠା ଭାବେ ଚିହ୍ନଟ କରାଯାଇଥିଲା, ତେବେ କାହିଁକି ଭଙ୍ଗାଯାଇ ନ ଥିଲା ? ବିପଦଜନକ କୋଠା ଏତେଦିନ ଧରି ଜନବସତି ଅଞ୍ଚଳରେ ରହିଥିଲା କାହିଁକି ? ଏବେ ଏମିତି କିଛି ପ୍ରଶ୍ନ ଉଠୁଥିବାବେଳେ ଉତ୍ତ୍ୟକ୍ତ ଲୋକେ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହକୁ ଧରି କ୍ଷତିପୂରଣ ଦାବି କରିଥିଲେ।
ସେପଟେ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସରକାରୀ ନିୟମାନୁଯାୟୀ ସହାୟତା ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।