ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ ୩ ଜଣିଆ ଟିମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ତାଗିଦ ପରେ ଚେତିଲେ ରାଜ୍ୟ ସରକାର। ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିବିଦ୍ଧ ହାତୀ ମୃତ୍ୟୁ ଆଦି ଘଟଣାର ତଦନ୍ତ ପାଇଁ ଗଠନ କଲେ ୩ ଜଣିଆ ହାଇଲେବୁଲ୍‌ ଟିମ୍। ଏଥିରେ କ୍ରାଇମ୍‌ବ୍ରାଞ୍ଚକୁ ସାମିଲ୍‌ କରାଯାଇଛି। ଟିମ୍‌କୁ ଲିଡ୍‌ କରିବେ ସିସିଏଫ୍‌ ମନୋଜ ନାୟର। ଆଉ ଏହି ଟିମ୍‌ରେ ଆର୍‌ସିସିଏଫ୍‌ ଚେୟାରମ୍ୟାନ୍‌, ଜଣେ କଞ୍ଜରଭେଟର ସଦସ୍ୟ ଓ କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ତଦୁର୍ଦ୍ଧ୍ୱ ରାଙ୍କର ଅଧିକାରୀ ରହିବେ। ତଦନ୍ତରେ […]

jumbo

Manoranjan Sial
  • Published: Thursday, 16 June 2022
  • , Updated: 16 June 2022, 05:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ତାଗିଦ ପରେ ଚେତିଲେ ରାଜ୍ୟ ସରକାର। ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିବିଦ୍ଧ ହାତୀ ମୃତ୍ୟୁ ଆଦି ଘଟଣାର ତଦନ୍ତ ପାଇଁ ଗଠନ କଲେ ୩ ଜଣିଆ ହାଇଲେବୁଲ୍‌ ଟିମ୍। ଏଥିରେ କ୍ରାଇମ୍‌ବ୍ରାଞ୍ଚକୁ ସାମିଲ୍‌ କରାଯାଇଛି। ଟିମ୍‌କୁ ଲିଡ୍‌ କରିବେ ସିସିଏଫ୍‌ ମନୋଜ ନାୟର। ଆଉ ଏହି ଟିମ୍‌ରେ ଆର୍‌ସିସିଏଫ୍‌ ଚେୟାରମ୍ୟାନ୍‌, ଜଣେ କଞ୍ଜରଭେଟର ସଦସ୍ୟ ଓ କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ତଦୁର୍ଦ୍ଧ୍ୱ ରାଙ୍କର ଅଧିକାରୀ ରହିବେ। ତଦନ୍ତରେ ଯାହାର ସଂପୃକ୍ତି ଆସିବ, କାହାରିକୁ ଛଡା ଯିବନାହିଁ ବୋଲି କହିଛନ୍ତି ପିସିସିଏଫ୍ ଶଶି ପଲ୍‌।

ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଶିକାରୀ ଗୁଳିରେ ଗୋଟିଏ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା। ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବାରୁ ହାତୀଟି ଜଙ୍ଗଲ ଭିତରେ ଘୁରି ବୁଲିବା ସହିତ ଗର୍ଜନତର୍ଜନ କରୁଥିଲା। ହାତୀଟି ଚାଲି ନପାରିବାରୁ ଜଙ୍ଗଲ ଭିତରେ ଥିବା ନାଳରେ ପଡ଼ି ଯାଇଥିଲା। ମାତ୍ର ସେଠାରୁ ଉଠି ପାରିନଥିଲା। ସେଠାରେ ଚିତ୍କାର କରିଥିଲା। ଜଙ୍ଗଲକୁ ଯାଇଥିବା ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ହାତୀକୁ ଚିକିତ୍ସା କରିଥିଲା। ଆପ୍ରାଣ ଉଦ୍ୟମ ସତ୍ତ୍ୱେ ହାତୀର ଜୀବନ ବଞ୍ଚାଇ ପାରିନଥିଲେ ବନ ବିଭାଗ। ମଙ୍ଗଳବାର ହାତୀର ମୃତ୍ୟୁ ଘଟିଥିଲା।

ପୂର୍ବରୁ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା। ଗତକାଲି ମଧ୍ୟ ଆଉ ଗୋଟିଏ ହାତୀ କଙ୍କାଳ ମିଳିଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ଉଦ୍‌ବେଗ ପ୍ରକାଶ କରିଥିଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଟ୍ୱିଟ୍‌ କରି ସେ ଲେଖିଥିଲେ, ହାତୀ ଆମର ଐତିହ୍ୟ ପ୍ରାଣୀ। ତାଙ୍କୁ ସର୍ବାଧିକ ସୁରକ୍ଷା ପ୍ରଦାନ କରାଯିବ। କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଶିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ଶ୍ରୀ ଯାଦବ ଲେଖିଥିଲେ।

Related story