ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଠିକ୍ ଷ୍ଟାଡିୟମ ଗେଟ୍ ଆଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରାଟ ହୋଡିଂ ମରାଯାଇଛି। ଯେଉଁଥିରେ ଲେଖାଯାଇଛି, ‘କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ; ଭବିଷ୍ୟତ ନିମନ୍ତେ ବଡ଼ ଶକ୍ତି’। ହେଲେ ତାଜୁବ୍ର ବିଷୟ ଦୀର୍ଘ ପ୍ରାୟ ୪ ବର୍ଷ ଧରି ବନ୍ଦ ପଡ଼ିଛି ଷ୍ଟଡିୟମ। ଯାହା ଗୋଟାଏ ପଟେ ବ୍ରହ୍ମପୁରର ଖେଳାଳି ଓ ଖେଳପ୍ରେମୀଙ୍କୁ ପରିହାସ କରୁଥିବା ବେଳେ ଅନ୍ୟପଟେ ଏହି ଅଞ୍ଚଳରୁ ଖେଳିଳା ଉତ୍ପାଦନରେ ବ୍ରେକ୍ ଲଗାଇ ଦେଇଛି। ବ୍ରହ୍ମପୁର ସହରରେ ଥିବା ଏହି ଷ୍ଟାଡିୟମରେ ବକ୍ସିଂ ସାଙ୍ଗକୁ ବିଭିନ୍ନ ଖେଳ ଅଭ୍ୟାସ କରି ଅନେକ ଯୁବକଯୁବତୀ ଜାତୀୟସ୍ତରରେ ମେଡାଲ ଆଣିଛନ୍ତି। ରେଲୱେ ଓ ପୁଲିସ ବିଭାଗରେ ଚାକିରି କରିଛନ୍ତି। ହେଲେ ଏବେ ସବୁ ବନ୍ଦ।
ଗତ ପ୍ରାୟ ୩୦ ବର୍ଷ ତଳେ ଏହି ଷ୍ଟାଡିୟମ ନିର୍ମାଣ ହୋଇଛି ସତ। କିନ୍ତୁ ଖେଳାଳିଙ୍କ ପାଇଁ ଏହାର ଉପଯୋଗ ଠିକ୍ ଭାବେ ହୋଇପାରୁ ନାହିଁ। ଏହି ଷ୍ଟାଡିୟମର ଉନ୍ନତିକରଣ କାମକୁ ଧାର୍ଯ୍ୟ ସମୟରେ ସାରୁନି ଠିକାଦାର। କ୍ରୀଡ଼ା ବିଭାଗ ସାଙ୍ଗକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ଷ୍ଟାଡିୟମର ଉନ୍ନତିକରଣ କାମ ଶୀଘ୍ର ସାରିବା ଉପରେ ଗୁରୁତ୍ୱ ଦେଉନାହାନ୍ତି। ଯାହାର କୁପରିଣାମ କ୍ରୀଡ଼ାରେ ରୁଚି ରଖୁଥିବା ଯୁବପିଢ଼ିଙ୍କ ଉପରେ ପଡ଼ିଛି। ସେପଟେ ଏଠାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚଲାବୁଲା କରି ନିଜକୁ ଫିଟ୍ ରଖିବା ନିମନ୍ତେ ଆସୁଥିବା ବରିଷ୍ଠ ଓ ଅନ୍ୟ ବ୍ୟକ୍ତିଙ୍କ ବାଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଗେଟ୍ ଆଗରେ ବ୍ୟାନର ଲଗାଇ ଦିଆଯାଇଛି, ଉନ୍ନତିକରଣ କାମ ଚାଲିଥିବାରୁ ସମସ୍ତଙ୍କୁ ଏହା ଭିତରେ ପ୍ରବେଶ ମନା।
ଏହା ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ତ ଷ୍ଟାଡିୟମ। ହେଲେ ବର୍ଷବର୍ଷ ଧରି ଏହାର ଉନ୍ନତିକରଣ କାମ ଝୁଲାଇ ରଖାଯାଇଛି। ଯାହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଏଠାରେ ଅଭ୍ୟାସ ଓ ତାଲିମ୍ ନେଇ ଅତିତରେ ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତମାନେ ଜାତୀୟସ୍ତରରେ ନାଁ କମାଇ ପାରିଛନ୍ତି। ଏଭଳି କ୍ଷେତ୍ରରେ କ୍ରୀଡାକୁ ଅଧିକ ଗୁରୁତ୍ୱ ଦେବା ପରିବର୍ତ୍ତେ ବ୍ରହ୍ମପୁରରେ ଥିବା ଷ୍ଟାଡିୟମକୁ ବନ୍ଦ କରିଦିଆଯାଇଛି। ଉନ୍ନତିକରଣ କାମରେ ଢିଲା କରୁଥିବା ଠିକାଦାରଙ୍କ ବିରୋଧରେ କୌଣସି ପଦକ୍ଷେପ ମଧ୍ୟ ନିଆଯାଉନାହିଁ। ଯାହାକୁ ନେଇ ପ୍ରଶାସନିକ ଅଧିକାରୀ, ଠିକାଦାର ଓ ରାଜନେତାଙ୍କ ଭିତରେ ଅସାଧୁମେଣ୍ଟ ନେଇ ମଧ୍ୟ ସନ୍ଦେହ କରାଯାଉଛି।
[caption id="attachment_787037" align="aligncenter" width="650"] ବନ୍ଦ ପଡ଼ିଥିବା ଷ୍ଟାଡିୟମ।[/caption]
ଏନେଇ ବକ୍ସିଂ କୋଚ ଶିବ ପାତ୍ର କହିଛନ୍ତି, ପ୍ରାୟ ୪ ବର୍ଷ ହେବ କ୍ରୀଡ଼ାବିତ୍ ଓ ସମସ୍ତ ଲୋକଙ୍କ ନିମନ୍ତେ ଷ୍ଟାଡିୟମ ବନ୍ଦ କରି ଦିଆଯାଇଛି। ଉନ୍ନତିକରଣ କାମ ଚାଲୁଥିବା ବ୍ୟାନର ଝୁଲାଇ ଦିଆଯାଇଛି। କାମ ଶେଷ ହେଉ ନ ଥିବାରୁ ଷ୍ଟାଡିୟମଟି ଲୋକଙ୍କ ନିମନ୍ତେ ଖୋଲୁନି। ଫଳରେ ଖେଳାଳିମାନେ ଅଭ୍ୟାସ କରିପାରୁ ନାହାନ୍ତି। ତେଣୁ ଯେଉଁ ସ୍ଥାନରେ ବକ୍ସିଂ ଓ ଅନ୍ୟାନ୍ୟ କ୍ରୀଡ଼ା ତାଲିମ ନେଇ ଯୁବପିଢ଼ିମାନେ ଜାତୀୟସ୍ତରରେ ମେଡାଲ ଆଣିପାରୁଥିଲେ, ତାହା ବନ୍ଦ ହୋଇଯାଇଛି। ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ ହୋଇଥିଲେ ହେଁ କିଛି ଫଳ ମିଳୁନି। ଜନପ୍ରତିନିଧି ମଧ୍ୟ ଚୁପ୍ ବସିଛନ୍ତି। ଯାହା ସମସ୍ତ କ୍ରୀଡ଼ା ପ୍ରେମୀଙ୍କୁ ଚକିତ କରିଛି।
ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ କହିଛନ୍ତି, ଯେଉଁ ଠିକାଦାର ଏହି ଷ୍ଟାଡିୟମ ଉନ୍ନତିକରଣ କାମ ନେଇଛନ୍ତି; ସେ ଜୟପୁର ଓ ପୁରୀ ସିଟିରେ ଷ୍ଟାଡିୟମ ନିର୍ମାଣ କାମ ମଧ୍ୟ ନେଇଛନ୍ତି। ତାକୁ ଡକାଇ ଆଲୋଚନା କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।