୧୦ ପ୍ରତିଶତ ବଢ଼ିପାରେ ପୂର୍ଣ୍ଣାଙ୍ଗ ବଜେଟ୍ ଆକାର, ଋଣଭାର ବଢ଼ିବା ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିବ ବଜେଟର ଆକାର। ଆଉ ତାକୁ ତାଳ ଦେଇ ବଢ଼ିବ ଘରୋଇ କ୍ଷେତ୍ରରୁ ଅଧିକ ଋଣ ଆଣିବାର ପ୍ରକ୍ରିୟା। ୨୮ରେ ନୂଆ ଅର୍ଥମନ୍ତ୍ରୀ ଆଗତ କରିବାକୁ ଥିବା ପୂର୍ଣାଙ୍ଗ ବଜେଟର ରୂପରେଖ ନେଇ ଆଜି ଆଲୋଚନା ବେଳେ ସାମ୍ନାକୁ ଆସିଛି ଏଭଳି ଆଶଙ୍କା। ତେଣୁ ଗୁଣାତ୍ମକ ଉପାୟରେ ଖର୍ଚ୍ଚ କରିବା ପାଇଁ ମତ ଦେଇଛନ୍ତି ଆର୍ଥିକ ବିଶାରଦ। ତେବେ ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ବଢ଼ିଥିବାରୁ ଗତ ବଜେଟ ଠାରୁ ଏଥର ପୂର୍ଣ୍ଣାଙ୍ଗ ବଜେଟର ଆକାର ୧୦ […]

678

678

Tapas Behera
  • Published: Monday, 17 June 2019
  • Updated: 17 June 2019, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିବ ବଜେଟର ଆକାର। ଆଉ ତାକୁ ତାଳ ଦେଇ ବଢ଼ିବ ଘରୋଇ କ୍ଷେତ୍ରରୁ ଅଧିକ ଋଣ ଆଣିବାର ପ୍ରକ୍ରିୟା। ୨୮ରେ ନୂଆ ଅର୍ଥମନ୍ତ୍ରୀ ଆଗତ କରିବାକୁ ଥିବା ପୂର୍ଣାଙ୍ଗ ବଜେଟର ରୂପରେଖ ନେଇ ଆଜି ଆଲୋଚନା ବେଳେ ସାମ୍ନାକୁ ଆସିଛି ଏଭଳି ଆଶଙ୍କା। ତେଣୁ ଗୁଣାତ୍ମକ ଉପାୟରେ ଖର୍ଚ୍ଚ କରିବା ପାଇଁ ମତ ଦେଇଛନ୍ତି ଆର୍ଥିକ ବିଶାରଦ। ତେବେ ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ବଢ଼ିଥିବାରୁ ଗତ ବଜେଟ ଠାରୁ ଏଥର ପୂର୍ଣ୍ଣାଙ୍ଗ ବଜେଟର ଆକାର ୧୦ ପ୍ରତିଶତ ବଢ଼ିବ ବୋଲି ଅନୁମାନ କରାଯାଉଛି।

ବଜେଟ୍ ପୂର୍ବରୁ ଅର୍ଥ ବିଭାଗର କସରତ ଚାଲିଛି। ବଜେଟର ରୂପରେଖ ନେଇ ମତାମତ ନେଉଛନ୍ତି ନୂଆ ଅର୍ଥମନ୍ତ୍ରୀ ଓ ସଚିବ। ଏଥିରେ ଯୋଗ ଦେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ, ଆର୍ଥିକ ବିଶାରଦ ସରକାରଙ୍କ ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖି ଗୁଣାତ୍ମକ ଖର୍ଚ୍ଚ ପାଇଁ ବ୍ୟୟ ବରାଦ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରମୁଖ ପ୍ରସ୍ତାବ ଭିତରେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସମୁଦ୍ର କୂଳରେ ୧୦ କିଲୋମିଟର ଚଉଡ଼ାରେ ଗଛ ଲଗାଇବା ଅଛି।

ଭିତ୍ତିଭୂମି ଓ କୃଷିର ବିକାଶ ପାଇଁ ଅଧିକ ଅର୍ଥ ବରାଦ, ଘର ନିର୍ମାଣ ପାଇଁ ବ୍ୟୟବରାଦକୁ ୧ ଲକ୍ଷ ୩୦ ହଜାରରୁ ୩ ଲକ୍ଷକୁ ବୃଦ୍ଧି କରିବା। ଏହାବାଦ୍ ଆଲୋଚନା ବେଳେ ବେଆଇନ ଖଣି ଖୋଳିଥିବା ମାଲିକଙ୍କ ଠାରୁ ତୁରନ୍ତ ଜୋରିମାନା ଆଦାୟ, ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ ଓ ଫୋନି ପରେ ସ୍ୱଭାବିକ ସ୍ଥିତି ଫେରାଇ ଆଣିବାକୁ ଭିତ୍ତିଭୂମିର ଉନ୍ନତି ପାଇଁ ଅଧିକ ଅର୍ଥ ବରାଦ କରିବାକୁ ପ୍ରସ୍ତାବ ଦେଇଥିଲେ ଏକ୍ସପର୍ଟ।

ଫେବ୍ରୁଆରୀରେ ସରକାର ଆଣିଥିବା କାମଚଳା ବଜେଟରେ ବ୍ୟୟ ବରାଦ ଥିଲା ୧ ଲକ୍ଷ ୩୨ ହଜାର କୋଟି।  ତେବେ ଏହା ଭିତରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷରୁ ୭୫ ଲକ୍ଷକୁ ବଢିଥିବାରୁ ଏଥିପାଇଁ ଅଧିକ ଅର୍ଥ ବରାଦ କରାଯାଇପାରେ। ପୂର୍ବ ବଜେଟରେ କାଳିଆ ପାଇଁ ୪ ହଜାର ୪୬୧ କୋଟିର  ଅର୍ଥ ବରାଦ ହୋଇଥିଲା। ସେହିପରି ମିଶନ ଶକ୍ତିରେ ମହିଳା ସଶକ୍ତୀକରଣ ପାଇଁ ବଜେଟରେ ବ୍ୟୟ ବରାଦ ବଢ଼ିପାରେ।

ଏହି ଦୁଇ ଯୋଜନା ବାଦ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ପିଠା, କୃଷି ଋଣରେ ସୁଧଛାଡ଼, ଟଙ୍କିକିଆ ଚାଉଳ, ଜଳସେନ ପ୍ରକଳ୍ପର କାର୍ଯ୍ୟକାରିତା, ପିଇବା ପାଣି ଯୋଗାଣ ପାଇଁ ବସୁଧା, ମିଶନ ଶକ୍ତି ଓ ମଧୁବାବୁ ପେନସନ୍ ଯୋଜନା ପରି ଅନେକ ଯୋଜନା ପାଇଁ ଅର୍ଥ ଯୋଗାଡ଼ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିପାରେ। ସରକାରଙ୍କ ହିସାବ କହୁଛି ଗତବର୍ଷ ତୁଳନାରେ ଖଣି, ଅବକାରୀ ଓ ଜିଏସ୍‌ଟିରୁ ଏଥର ରାଜସ୍ୱ ବଢ଼ିଛି। ତେଣୁ ଘୋଷଣା ହୋଇଥିବା ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଆଶା ରଖିଛନ୍ତି ନୂଆ ଅର୍ଥମନ୍ତ୍ରୀ।

ଗତବର୍ଷ ତୁଳନାରେ ଏଥର ରାଜସ୍ୱ ଆଦାୟ ୧୯ ପ୍ରତିଶତ ବଢ଼ିଥଲେ ବି ସରକାର ଋଣ କରିବାର ଦ୍ୱାର ଖୋଲା ରଖିଛନ୍ତି। ରାଜ୍ୟର  ମୋଟ ଋଣ ଭାର ଏବେ ୮୭ ହଜାର କୋଟିକୁ  ଟପିଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ୧ ଲକ୍ଷ ୩ ହଜାର କୋଟି ଡେଇଁବ ବୋଲି ଆକଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos