ବାତ୍ୟା ‘ଗୁଲାବ’ ଓଡ଼ିଶାରେ ସେତେ କ୍ଷୟକ୍ଷତି କରିନାହିଁ: ଏସ୍‌ଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବାତ୍ୟା ‘ଗୁଲାବ’ ରାଜ୍ୟରେ ସେଭଳି ପ୍ରଭାବ ପକାଇନାହିଁ। ଏହା ପ୍ରଭାବରେ ସେତେ କ୍ଷୟକ୍ଷତି ହୋଇନାହିଁ।’  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ‘ଗୁଲାବ’ ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ୪ଘଣ୍ଟା ମଧ୍ୟରେ ଏହା ପ୍ରଭାବ ଓଡ଼ିଶା ଉପରେ କମି ଯିବ। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରିରେ କେନ୍ଦ୍ର ବିନ୍ଦୁ […]

SRC

Tapaswini Nayak
  • Published: Monday, 27 September 2021
  • , Updated: 27 September 2021, 07:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): 'ବାତ୍ୟା ‘ଗୁଲାବ’ ରାଜ୍ୟରେ ସେଭଳି ପ୍ରଭାବ ପକାଇନାହିଁ। ଏହା ପ୍ରଭାବରେ ସେତେ କ୍ଷୟକ୍ଷତି ହୋଇନାହିଁ।'  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାତ୍ୟା ‘ଗୁଲାବ’ ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ୪ଘଣ୍ଟା ମଧ୍ୟରେ ଏହା ପ୍ରଭାବ ଓଡ଼ିଶା ଉପରେ କମି ଯିବ। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରିରେ କେନ୍ଦ୍ର ବିନ୍ଦୁ ରହିଛି। ବାତ୍ୟା ପ୍ରଭାବରେ କେଉଁଠି ଅଧିକ ପବନ ହୋଇଥିବାର ସୂଚନା ନାହିଁ।

ଏସ୍‌ଆରସି ଆହୁରି କହିଛନ୍ତି, ବାତ୍ୟା ପ୍ରଭାବରେ କନ୍ଧମାଳ, ଗଜପତି, ରାୟଗଡ଼ା ଓ କୋରପୁଟ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ତେବେ ଏହି ସବୁ ଜିଲ୍ଲାରେ ଅଳ୍ପ ବର୍ଷା ହେବା ସହ କମ୍‌ ପବନ ହୋଇଛି। ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ୮୩ ମିମି, ମୋହନାରେ ୭୦, ଆର. ଉଦୟ ଗିରିରେ ୬୯, ଗୁମ୍ମାରେ ୬୮, ରାୟଗଡ଼ାରେ ୬୬ ଓ ପାରଳାଖେମୁଣ୍ଡିରେ ୬୦ ମିମି ବର୍ଷା  ହୋଇଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୫ ମିମି ବର୍ଷା ରେକର୍ଡ ହୋଇଛି।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ବର୍ଷା ଓ ପବନ ଯୋଗୁ ସେଭଳି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ। କିଛି ପାହାଡ଼ି ଝରଣାରୁ ପାଣି ଆସି ରାସ୍ତାରେ ଜମି ଥିଲା। ତେବେ ତାହା କମି ଯାଇଛି। ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିଲା। ତାହାମଧ୍ୟ କଟାଯାଇ ସଫା କରି ଦିଆଯାଇଛି। ବିଜୟନଗରମରୁ କୋରାପୁଟ ରାସ୍ତାର ସୁଙ୍କି ଘାଟିରେ ଭୂସ୍ଖଳନ ହୋଇଛି। ଫଳରେ ରାସ୍ତା ବନ୍ଦ ହୋଇଯାଇଛି। ସେଠାରେ ଏବେ ବର୍ଷା ହେଉଛି। ବର୍ଷା ଛାଡ଼ିବା ପରେ ରାସ୍ତା ସଫା ହୋଇଯିବ।

ବାତ୍ୟା ପ୍ରଭାବରେ କିଛି ଅଘଟଣ ଘଟିନାହିଁ କି, ବଡ଼ ସମସ୍ୟା ହୋଇଥିବା ଖବର ଆମ ପାଖକୁ ଆସିନାହିଁ। ବାତ୍ୟା ପୂର୍ବରୁ ୪୬ ହଜାର ୭୫ ଜଣ ଲୋକଙ୍କୁ ୧୧୮୯ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ୫୩୩ ଜଣ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳ, ପିଏଚ୍‌ସି ଓ ସିଏଚ୍‌ସିକୁ ନିଆଯାଇଥିଲା। ବାତ୍ୟା ‘ଗୁଲାବ’ ପ୍ରଭାବରେ କ’ଣ କ୍ଷୟକ୍ଷତି ହୋଇଛି, ତାର ରିପୋର୍ଟ ୫ ଦିନ ମଧ୍ୟରେ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଏସ୍‌ଆରସି କହିଛନ୍ତି।

Related story