ଆଉ ୪ଦିନ ପରେ ଅଚଳ ହେବ ଖାଦ୍ୟ କମିଶନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ଅପରିଣାମଦର୍ଶିତା ଯୋଗୁ ରାଜ୍ୟ ଖାଦ୍ୟ କମିଶନ ସମ୍ପୂର୍ଣ୍ଣ ଅଚଳ ହେବାକୁ ବସିଛି। ଖାଦ୍ୟ କମିଶନରେ ଥିବା ଦୁଇ ସଦସ୍ୟ ମନୋଜ କୁମାର ପଣ୍ଡା ଓ ସିପ୍ରା ମଲ୍ଲିକଙ୍କ କାର୍ଯ୍ୟକାଳ ସରିଯାଇଥିବାବେଳେ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ାଙ୍କ କାର୍ଯ୍ୟକାଳ ଆଉ ୪ଦିନ ପରେ ଶେଷ ହେବ। ଏ ସମ୍ପର୍କରେ ଖାଦ୍ୟ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କମିଶନ ସଦସ୍ୟ ଭାବେ କାହାରିକୁ ନିଯୁକ୍ତି ମିଳିନାହିଁ। ସୂଚନା ଅନୁସାରେ, […]

state-food-commission-will-be-defunct-if-govt-fails-to-appoint-chairman-and-members

state-food-commission-will-be-defunct-if-govt-fails-to-appoint-chairman-and-members

Manoranjan Sial
  • Published: Monday, 13 May 2019
  • Updated: 13 May 2019, 07:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ଅପରିଣାମଦର୍ଶିତା ଯୋଗୁ ରାଜ୍ୟ ଖାଦ୍ୟ କମିଶନ ସମ୍ପୂର୍ଣ୍ଣ ଅଚଳ ହେବାକୁ ବସିଛି। ଖାଦ୍ୟ କମିଶନରେ ଥିବା ଦୁଇ ସଦସ୍ୟ ମନୋଜ କୁମାର ପଣ୍ଡା ଓ ସିପ୍ରା ମଲ୍ଲିକଙ୍କ କାର୍ଯ୍ୟକାଳ ସରିଯାଇଥିବାବେଳେ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ାଙ୍କ କାର୍ଯ୍ୟକାଳ ଆଉ ୪ଦିନ ପରେ ଶେଷ ହେବ। ଏ ସମ୍ପର୍କରେ ଖାଦ୍ୟ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କମିଶନ ସଦସ୍ୟ ଭାବେ କାହାରିକୁ ନିଯୁକ୍ତି ମିଳିନାହିଁ।

ସୂଚନା ଅନୁସାରେ, ଖାଦ୍ୟ କମିଶନ ସଦସ୍ୟ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳ ମେ' ୧୦ତାରିଖରେ ଶେଷ ହୋଇଥିବାବେଳେ ଅନ୍ୟଜଣେ ସଦସ୍ୟ ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଓ ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତି ପାଇଥିବାରୁ ‘ଅଫିସ୍ ଅଫ ପ୍ରଫିଟ୍ ’ ଆଧାରରେ ତାଙ୍କର ସଦସ୍ୟତା ଆପେଆପେ ରଦ୍ଦ ହୋଇଯାଇଛି। କମିଶନ ଅଧ୍ୟକ୍ଷ ଶ୍ରୀ ଜାମୁଡ଼ାଙ୍କ କାର୍ଯ୍ୟକାଳ ଚଳିତମାସ ୧୭ତାରିଖରେ ଶେଷ ହେଉଛି। ଓଡ଼ିଶା ଖାଦ୍ୟ କମିଶନ ରୁଲସ-୨୦୧୬ର ରୁଲ୍ -୪ର ପ୍ରାବଧାନ ଅନୁସାରେ ଖାଦ୍ୟ କମିଶନ ଅଧ୍ୟକ୍ଷ ଓ କମିଶନଙ୍କ କାର୍ଯ୍ୟକାଳ ୩ବର୍ଷ ହେବ। ଏହି ଦୃଷ୍ଟିରୁ କମିଶନରେ ନିଯୁକ୍ତି ପାଇଥିବା ଜଣେ ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏ ସମ୍ପର୍କରେ କମିଶନ ଅଧ୍ୟକ୍ଷ ଶ୍ରୀ ଜାମୁଡ଼ା ମେ' ୭ତାରିଖରେ ରାଜ୍ୟ ସରକାରଙ୍କୁ ଏନେଇ ବିଧିବଦ୍ଧ ଭାବେ ଅବଗତ କରିଥିବା ଜଣାପଡ଼ିଛି।

କିନ୍ତୁ କମିଶନରେ ନୂଆ ନିଯୁକ୍ତି କିମ୍ବା ପୂର୍ବରୁ ଥିବା ସଦସ୍ୟଙ୍କୁ ସାନି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟ ଖାଦ୍ୟ କମିଶନ ରୁଲସ୍ ଅନୁସାରେ କମିଶନରେ ଜଣେ ଅଧ୍ୟକ୍ଷ ଓ ୫ଜଣ ସଦସ୍ୟ ରହିପାରିବେ। କିନ୍ତୁ ଓଡ଼ିଶା ସରକାର ୨୦୧୬ ମସିହାରେ ଜଣେ ଅଧ୍ୟକ୍ଷ ଓ ୨ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇ ଚୁପ୍ ବସିଥିଲେ। ଏବେ କମିଶନ ଅଚଳ ହେବାକୁ ବସିଥିବାବେଳେ ସରକାର କୌଣସି ପଦକ୍ଷେପ ନନେଇ ନିର୍ବାଚନ ଫଳାଫଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି।

ଏ ସମ୍ପର୍କରେ ଖାଦ୍ୟ କମିଶନ ସଦସ୍ୟ ମନୋଜ କୁମାର ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି, କମିଶନରେ ଜଣେ ସଦସ୍ୟ ୩ବର୍ଷ ଭାବେ କାର୍ଯ୍ୟ କରିବାର ପ୍ରାବଧାନ ରହିଛି। ସରକାର ଚାହିଁଲେ ସମ୍ପୃକ୍ତ ସଦସ୍ୟଙ୍କୁ ଆଉ ଏକବର୍ଷ ଅତିରିକ୍ତ ପୁନଃ ନିଯୁକ୍ତି ଦେଇପାରିବେ କିମ୍ବା ନୂତନ ଭାବେ ଅନ୍ୟ କାହାକୁ ନିଯୁକ୍ତି ମଧ୍ୟ ଦେଇପାରିବେ। ଏବେ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିଲେ ମଧ୍ୟ ଯଦି ସରକାର ଚାହିଁବେ, କମିଶନ ସଦସ୍ୟ ଓ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଅବଧିକୁ ଆଉ ଏକ ବର୍ଷ ବଢ଼ାଇବା ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ଆଣି ନିଯୁକ୍ତି ଦେଇପାରିବେ। ତେଣୁ ସବୁକିଛି ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

ସୂଚନାଯୋଗ୍ୟ, ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଭାବେ ସାମିଲ କରିବା ଓ ବିଭିନ୍ନ ପ୍ରକାରର ଆପତ୍ତି-ଅଭିଯୋଗର ଶୁଣାଣି କରିବାରେ ଖାଦ୍ୟ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos