ସାଲେପୁର (ମନୋଜ ଆଚାର୍ଯ୍ୟ): କେନ୍ଦ୍ର ଦେଉଛି କୋଟି କୋଟି ଟଙ୍କାର ଅନୁଦାନ। କିନ୍ତୁ ରାଜ୍ୟ ସରକାର ଏହାକୁ ନିଜ ନାଁରେ କରି ବାହାବା ନେଉଛନ୍ତି। ଏମିତି ଏକ ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସାଲେପୁର ବ୍ଲକ୍ ତ୍ରିଲୋଚନପୁରରେ। ଏଠାରେ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଥିବା ପକ୍କାଘର କାନ୍ଥରେ ରାଜ୍ୟ ସରକାର ବିଜୁ ପକ୍କାଘର ଲେଖାଥିବା ପୋଷ୍ଟର ମାରିଛନ୍ତି।
ସବୁ ଯୋଜନା କେନ୍ଦ୍ରର ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ନିଜ ନାଁରେ କରି ବାହାବା ନେବାକୁ ଚାହୁଁଥିବା ଅଭିଯୋଗ ଆଣିଛନ୍ତି ତ୍ରିଲୋଚନପୁରର ସରପଞ୍ଚ। ସରପଞ୍ଚଙ୍କ କହିବା ମୁତାବକ, ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେଣୁ ଏହା ପୂର୍ବରୁ ଶାସକ ଦଳ ଅଭିନବ ଉପାୟରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଘରେ ଘରେ ବିଜୁ ପକ୍କାଘର ପୋଷ୍ଟର ମାରି ଏଭଳି ପ୍ରଚାର କରୁଛନ୍ତି। ୨୦୧୦ରୁ କେନ୍ଦ୍ରୀୟ ଯୋଜନାରେ ଆମ ପଞ୍ଚାୟତରେ ପକ୍କାଘର ନିର୍ମିତ ହୋଇଛି। କିନ୍ତୁ ଏସବୁ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରିବାକୁ ଚାହୁଁଛନ୍ତି।
ତ୍ରିଲୋଚନପୁର ଗାଁର ଦୁଇଜଣ ହିତାଧିକାରୀ ଲକ୍ଷ୍ମୀପ୍ରିୟା ନାୟକ ଓ ରମାକାନ୍ତ ନାୟକ ୨୦୧୬/୧୭ରେ ୧ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ପକ୍କାଘର ପାଇଛନ୍ତି। ତେବେ ସେମାନଙ୍କ କାନ୍ଥରେ ବ୍ଲକ୍ କର୍ମଚାରୀମାନେ ବିଜୁ ପକ୍କାଘର ଲେଖାଥିବା ପୋଷ୍ଟ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ହିତାଧିକାରୀଙ୍କ ଠାରୁ ଆଧାର କାର୍ଡ, ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ପାସବୁକ୍ କପି ନେଇଥିବା ମଧ୍ୟ ସେମାନେ କହିଛନ୍ତି। ତେବେ ଏସବୁ କେବଳ ଆଗାମୀ ପଞ୍ଚାୟକ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ପ୍ରଚାର ପ୍ରସାର ହେଉଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ।