ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି । ରାଜନୈତିକ ଶତ୍ରୁତା ଓ ଇଗୋ କ୍ଲାସ୍ରୁ ପାରିବାରିକ ପ୍ରତିଶୋଧ ନିଆଯାଉଛି । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ।
ସୁଜାତା ସଂଗୀନ ଅଭିଯୋଗ ଆଣି କହିଛନ୍ତି, ଆକାଶ ପାଠକଙ୍କ ସହ ଗତ ଜୁଲାଇ ୧୧ ତାରିଖରେ ବିଜେଡି ନେତା ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟ୍ରେ ଯାତ୍ରା କରିଥିଲେ । ସେ ପୁଣେରେ ଆକାଶଙ୍କୁ ଡ୍ରପ୍ କରି ମୁମ୍ବାଇ ଏକା ଯାଇଥିଲେ। ଯଦି ପ୍ରଦୀପ ପାଣିଗ୍ରାହୀ ଚାର୍ଟର ଫ୍ଳାଇଟ୍ରେ ଯିବା ଜନବିରୋଧୀ, ବିଜେଡି ନେତାଙ୍କ ଏଭଳି କାମ ଜନବିରୋଧୀ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ଗୋଷ୍ଠୀ ପ୍ରଦୀପଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ସେ ନେଇ ତାଙ୍କ ପାଖରେ ପ୍ରମାଣ ଅଛି ଓ ସମୟ ଆସିଲେ ତାହା ଦେବେ ବୋଲି କହିଛନ୍ତି ସୁଜାତା ।
ଝିଅ ବାହାଘର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କହିଛନ୍ତି ସୁଜାତା । ଭାବି ଜ୍ୱାଇଁ ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକ ଲାଞ୍ଚ ନେଇ ରେଡ୍ ହେଣ୍ଡେଡ୍ ଧରା ପଡ଼ି ନଥିଲେ । ଯେଉଁ ସବୁ ଘଟଣା ଘଟିଲା ତାହା ମାସେ ଆଗରୁ କିମ୍ବା ମାସେ ପରେ ବି ହୋଇପାରିଥାନ୍ତା । କିନ୍ତୁ ଝିଅ ବାହାଘର ଭାଙ୍ଗିବା ପାଇଁ ଏପରି ଷଡ଼ଯନ୍ତ୍ର ରଚା ଯାଇଥିବା ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଆଣିଛନ୍ତି ସୁଜାତା।
ଚାର୍ଚର ଫ୍ଲାଇଟରେ ଅରୁପଙ୍କ ଗସ୍ତ ଓ ସୁଜାତାଙ୍କ ଅଭିଯୋଗ ନେଇ ଅରୁପ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳି ପାରି ନାହିଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।