ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ମାଗଣା ‘ତାମିଲ’ ଭାଷା ଶିକ୍ଷା ପାଇଁ ସାର୍ଟିଫିକେଟ୍ କୋର୍ସ ନିମନ୍ତେ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ତେବେ ୨୦୧୧ ମସିହାରୁ ସଂସ୍କୃତି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ରାଜ୍ୟରେ ମାଗଣା ‘ତାମିଲ’ ଭାଷା ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ୨୦୧୪ ଫେବୃୟାରୀରୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ‘ଓଡ଼ିଆ’ ଭାଷା କିଭଳି ଅନ୍ୟ ରାଜ୍ୟରେ ଲୋକପ୍ରିୟ ଓ ବିକଶିତ ହେବ ସେଥିପ୍ରତି ରାଜ୍ୟ ସରକାର ଆଗ୍ରହ ନଦେଖାଇବା ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।
ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁ ସରକାର ୨୦୦୧ ମସିହାରୁ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ତାମିଲ’ ଭାଷା ଚେୟାର ସ୍ଥାପନ କରିଛନ୍ତି। ୨୦୧୧ ମସିହା ପରଠୁ ସଂସ୍କୃତି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଓଡ଼ିଶାରେ ମାଗଣା ତାମିଲ ଭାଷାର ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯାଉଛି। ସମ୍ପୂର୍ଣ୍ଣ ମାଗଣାରେ ଏହି ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯାଉଥିବାରୁ ଓଡ଼ିଶାରେ ଏହା ଅଧିକ ଲୋକପ୍ରିୟ ହେବାରେ ଲାଗିଛି ବୋଲି ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ, ୨୦୧୪ ଫେବୃୟାରୀ ମାସରେ ଦେଶର ଷଷ୍ଠ ଭାଷା ଭାବେ ‘ଓଡ଼ିଆ’କୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସତ୍ତେ୍ୱ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାରପ୍ରସାର ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ତତକାଳୀନ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ମନ୍ତ୍ରୀ ସ୍ମୃତି ଇରାନୀ ୨୦୧୫ ମାର୍ଚ୍ଚ ୨ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦେଶର କେଉଁ ଦୁଇଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ଖୋଲିବାକୁ ରାଜ୍ୟ ସରକାର ଚାହୁଁଛନ୍ତି ତାହା ଜଣାଇବାକୁ କହିଥିଲେ। ଏହି ଚିଠିକୁ ପ୍ରାୟ ୧୮ମାସ ଧରି ପକାଇ ରଖିବାପରେ ୨୦୧୬ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ଗୁଜୁରାଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯଥାକ୍ରମେ ଭକ୍ତକବି ମଧୁସୂଦନ ରାଓ ଓ କୁନ୍ତଳା କୁମାରୀ ସାବତଙ୍କ ନାଁରେ ଚେୟାର ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ନିଜ ଆଡ଼କୁ ଅନ୍ୟ ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚାର ନିମନ୍ତେ ସାମାନ୍ୟତମ ପଦକ୍ଷେପ ନେଇନଥିଲେ।
ରାଜ୍ୟ ସରକାରଙ୍କ ଏଭଳି ଉଦାସୀନତାକୁ ବିଭିନ୍ନ ମହଲରୁ ସମାଲୋଚନା ହେବାପରେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ଓ ବନାରସସ୍ଥିତ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଥିଲେ।
ମାତ୍ର ଶାସ୍ତ୍ରୀୟ ମାନ୍ୟତା ପାଇଥିବା ‘ଓଡ଼ିଆ’ ଭାଷାର ପ୍ରଚାର ଅନ୍ୟ ଭାଷାଭାଷୀ ରାଜ୍ୟଗୁଡ଼ିକରେ କିଭଳି ଲୋକପ୍ରିୟତା ହାସଲ କରିବ ସେ ଦିଗରେ ପଦକ୍ଷେପ ନେବାକୁ ଆଗ୍ରହ ଦେଖାଇନାହାନ୍ତି । ଯଦିଓ ଏଥିପାଇଁ ବହୁ ସୁଯୋଗ ରହିଛି।
ତାମିଲନାଡୁ ସରକାର ଓଡ଼ିଶାରେ ତାମିଲ ଭାଷାର ପ୍ରଚାରପ୍ରସାର ନିମନ୍ତେ ୨୦୦୧ ମସିହାରୁ କାର୍ଯ୍ୟ କରୁଥିବାବେଳେ ଓଡ଼ିଶା ସରକାର ତାମିଲନାଡୁରେ ଓଡ଼ିଆ ଭାଷାର ପ୍ରଚାର ନିମନ୍ତେ ଏପର୍ଯ୍ୟନ୍ତ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି। ଯଦିଓ ମହାରାଷ୍ଟ୍ର, ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚାରପ୍ରସାରର ଅନେକ ସୁଯୋଗ ରହିଛି। ଅବଶ୍ୟ ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ହେଉଛି କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକର ବିଶ୍ୱବିଦ୍ୟାଳୟ ସହ ରାଜିନାମା କରି ସେଠାରେ ଓଡ଼ିଆ ଭାଷାର ସାର୍ଟିଫିକେଟ୍ କୋର୍ସ ପ୍ରଚଳନ ନିମନ୍ତେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଦକ୍ଷେପ ନେବାକୁ ବି ଉଚିତ୍ ମନେ କରିନାହାନ୍ତି।
ଅନ୍ୟ ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ଓ ଲୋକପ୍ରିୟତା ଦୂରର କଥା ଶାସ୍ତ୍ରୀୟ ମାନ୍ୟତା ପାଇଥିବା ‘ଓଡ଼ିଆ ଭାଷା’ ନିମନ୍ତେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସୀ’ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କାର୍ଯ୍ୟକୁ କେବଳ କାଗଜକଲମ ମଧ୍ୟରେ ସୀମିତ ରଖିଛନ୍ତି।
ସୂଚନାଯୋଗ୍ୟ, ୨୦୧୧ ଜନଗଣନା ଅନୁସାରେ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ଭାବେ ୩.୫୬କୋଟି ଲୋକ ବ୍ୟବହାର କରୁଥିବାବେଳେ ୫୦ଲକ୍ଷ ଲୋକ ଦ୍ୱିତୀୟ ଭାଷା ଓ ୧୦ଲକ୍ଷ ଲୋକ ତୃତୀୟ ଭାଷା ଭାବେ ବ୍ୟବହାର କରୁଛନ୍ତି। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ‘ସଂସ୍କୃତ’କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଶାସ୍ତ୍ରୀୟ ଭାଷା ଯଥା- କନ୍ନଡ଼, ମଲାୟଲମ୍ ,ତାମିଲ ଓ ତେଲଗୁ ଭାଷାର ପ୍ରଚାର ନିମନ୍ତେ ସମ୍ପୃକ୍ତ ରାଜ୍ୟ ସରକାରମାନେ ଯେଭଳି ପଦକ୍ଷେପ ନେଇଛନ୍ତି, ଓଡ଼ିଶା ସରକାର ଅତ୍ୟନ୍ତପକ୍ଷେ ସେମାନଙ୍କଠୁ କିଛି ଶିଖନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।