ଯାଜପୁର(ଅଭୟ ପତି):କନ୍ୟା ସନ୍ତାନ ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଏନେଇ ଡାକ୍ତରଖାନା ଆଗରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ ଅଛନ୍ତି। ଘଟଣାସ୍ଥଳକୁ ସମବେଦନା ଜଣାଇବାକୁ ଯାଇଥିବା ପ୍ରଫୁଲ୍ଲ ଘଡେ଼ଇ ଓ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇଙ୍କୁ ବିରୋଧ କରାଯାଇଛି।
ସୂଚନା ଅନୁଯାୟୀ ଗତକାଲି ରାତିରେ ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଅଞ୍ଚଳର ବିଜୟ ମହନ୍ତଙ୍କ ପତ୍ନୀ ନିବେଦିତା ମହନ୍ତ(୨୮) ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ହେଲେ ଡାକ୍ତର କିମ୍ବା ନର୍ସ କେହି ତାଙ୍କୁ ଠିକ୍ ଭାବରେ ଚିକିତ୍ସା କରିନଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ଘଟିଥିବା ବିଜୟ ଅଭିଯୋଗ କରିଛନ୍ତି।
ଏଥିସହ ଡାକ୍ତରଖାନାର କିଛି କର୍ମଚାରୀ ତାଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ସେ ଏକ ହଜାର ଟଙ୍କା ମଧ୍ୟ ଦେଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଏହି ଟଙ୍କାକୁ ସମ୍ପୃକ୍ତ କର୍ମଚାରି ଫେରାଇ ଦେଇଥିବା ବିଜୟ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ମୃତା ନିବେଦିତାଙ୍କ ପରିବାର ଏବଂ ଗ୍ରାମବାସୀ ଡାକ୍ତରଖାନା ଆଗରେ ଧାରଣା ଦେଇଥିଲେ। ଏହି ସମୟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ ଏବଂ ତାଙ୍କ ବାପା ପ୍ରଫୁଲ୍ଲ ଘଡେ଼ଇ ପହଞ୍ଚିବାରୁ ଧାରଣାକାରୀମାନେ ତାଙ୍କୁ ବିରୋଧ କରିବା ସହ ତାଙ୍କର ମୁର୍ଦ୍ଦାବାଦ ନାରା ପକାଇଥିଲେ। ଠିକ୍ ଏହି ସମୟରେ କଂଗ୍ରେସର ଶରତ ରାଉତ ସେହି ସ୍ଥାନରେ ପହଞ୍ଚି ଯିବାରୁ ଉଭୟ ଗୋଷ୍ଠୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଘଟଣାର ତଦନ୍ତ ସହ ସମ୍ପୃକ୍ତ ଡାକ୍ତର, କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକେ। ସେପଟେ ମୃତଦେହ ପୋଷ୍ଟମଟର୍ମ ହେବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।