ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ରେ ଲୋକଙ୍କୁ ନାନା ଲୋଭନୀୟ ଅଫର ଦେଇଥିଲେ ରାଜ୍ୟ ସରକାର। ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପାଇଁ ଏବେ କସରତ ଆରମ୍ଭ କରିଛି ଅର୍ଥ ବିଭାଗ। ଜୁନ ୧୫ ତାରିଖ ଯାଏ ଯେ କୌଣସି ଲୋକ ଇମେଲ୍, ହ୍ୱାଟ୍ସଆପ ଓ SMSରେ ବଜେଟ୍ ନେଇ ସରକାରଙ୍କୁ ପରାମର୍ଶ ଦେଇପାରିବେ। ତା' ପରେ ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସରକାର ଜୁନ ୨୮ ତାରିଖରେ ଉପସ୍ଥପାନ କରିବେ ପୂର୍ଣ୍ଣାଙ୍ଗ ବଜେଟ୍।
ତେବେ ଏଥର ବଜେଟ ଆଣିବ ଅନେକ ଚ୍ୟାଲେଞ୍ଜ। କାମଚଳା ବଜେଟରେ ସରକାର ୧ ଲକ୍ଷ ୩୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ। ପୂର୍ଣ୍ଣାଙ୍ଗ ବଜେଟରେ ଏହି ହିସାବ ମଧ୍ୟ ରହିବ। ତେବେ ବ୍ୟୟକୁ ଦେଖି ଆୟର ହିସାବ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସ୍ଟିରୁ ମିଳିଥିଲା ୬୧୨୭ କୋଟି। ୨୦୧୮-୧୯ବର୍ଷରେ ଆସିଲା ୧୦,୨୮୦ କୋଟି। ଗତବର୍ଷ ତୁଳନାରେ ଏହା ୧୧ ପ୍ରତିଶତ ବଢ଼ିଛି। ସେହିପିରି ଖଣିରୁ ଗତବର୍ଷର ପ୍ରଥମ ୩ ମାସରେ ଆସିଥିଲା ୧୫୪୬ କୋଟି। ଏଥର ଆସିଛି ୨୧୦୬ କୋଟି। ଯଦିଓ ଖଣି ରାଜସ୍ୱ ଓ ଜିଏସ୍ଟି ଆୟ ଗତବର୍ଷ ତୁଳନାରେ ବଢ଼ିଛି, ତଥାପି ଲୋଭନୀୟ ଯୋଜନା ପାଇଁ ଅର୍ଥ ବରାଦକୁ ଦେଖି ଏହା ଯଥେଷ୍ଟ ନୁହେଁ ବୋଲି ଆକଳନ କରାଯାଉଛି। ଫୋନି କ୍ଷୟକ୍ଷତି ଜନିତ ଖର୍ଚ୍ଚର ବୋଝ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପଡ଼ିପାରେ।
ଯୋଜନା ଭିତରୁ ସବୁଠୁ ଅଧିକ ଅର୍ଥ ଟାଣିବ ‘କାଳିଆ’। ସରକାର ଏଥିପାଇଁ ୪ ହଜାର ୪୬୧ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏପର୍ଯ୍ୟନ୍ତ ୨୨୦୦ କୋଟି ବାଣ୍ଟି ସାରିଛନ୍ତି। ବଡ଼ କଥା ହେଉଛି ଫେବ୍ରୁଆରୀରେ ଏଥିପାଇଁ ବ୍ୟୟ ବରାଦ କଲା ବେଳେ ୫୦ ଲକ୍ଷ ହିତାଧିକାରୀଙ୍କ ପାଇଁ ଯୋଜନା ହୋଇଥିଲା। ଏବେ ସେଥିରେ ଆଉ ୨୫ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ା ଯାଇଥିବାରୁ ସେହି ଅନୁପାତରେ ବ୍ୟୟ ମଧ୍ୟ ବଢ଼ିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ପିଠା, କୃଷିଋଣରେ ସୁଧଛାଡ଼, ଟଙ୍କିକିଆ ଚାଉଳ, ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଗାଁ ଗାଁକୁ ପିଇବା ପାଣି ଯୋଗାଣ ପାଇଁ ବସୁଧା, ମିଶନ ଶକ୍ତିପାଇଁ ଲୋଭନୀୟ ଘୋଷଣା ଓ ମଧୁବାବୁ ପେନ୍ସନ ଯୋଜନା ପରି ଅନେକ ଯୋଜନା ପାଇଁ ଅର୍ଥ ଯୋଗାଡ଼ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଆଣିପାରେ। ଏସବୁ ଭିତରେ ଋଣ ଭାର ମଧ୍ୟ ବଢ଼ି ଚାଲିଛି। ଏବେ ଏହା ୮୭ ହଜାର କୋଟି ଟପିଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ୧ ଲକ୍ଷ ୩ ହଜାର କୋଟି ଡେଇଁବ ବୋଲି ଆକଳନ କରାଯାଉଛି। ଏହା ରାଜ୍ୟର ଆର୍ଥିକ ସ୍ଥିତି କୁ ବିଗାଡ଼ି ଦେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଜୁଲାଇ ୫ ତାରିଖରେ କେନ୍ଦ୍ରୀୟ ବଜେଟ୍ ଆସିବ। ତେବେ ତା’ ପୂର୍ବରୁ ରାଜ୍ୟ ସରକାର ବଜେଟ୍ ଆଣୁଥିବାରୁ କେନ୍ଦ୍ରୀୟ ଯୋଜନାର ଅଂଶଧନ ବାବଦକୁ କେତେ ଟଙ୍କା ଆସିବ ତାହା ଆକଳନ କରିହେବନି। ଏସବୁ ଦୃଷ୍ଟିରୁ ଏଥର ବଜେଟକୁ ସମତୁଲ କରିବା ନୂଆ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ବୃହତ ଚ୍ୟାଲେଞ୍ଜ ହୋଇପାରେ।