କାହା ଚାପରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନଚିଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦରେ ଓଡ଼ିଶା ପର୍ଯ୍ୟଟନର ରୋଡ୍ ଶୋ’ରେ ଯୋଗ ଦେବା ପାଇଁ ସାଙ୍ଗରେ ୨ଜଣ ମହିଳାଙ୍କୁ ନେବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବିବାଦଘେରକୁ ଟାଣିନେଇଛି। ସମ୍ପୃକ୍ତ ଦୁଇ ମହିଳାଙ୍କ ଯିବାଆସିବା ଓ ରହିବା ବାବଦ ଅର୍ଥ ସରକାରୀ ପାଣ୍ଠିରୁ ଖର୍ଚ୍ଚ କରାଯାଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଜି ବିଧାନସଭାରେ ବୟାନ ଦିଆଯିବା ପରେ ଏହି ବିବାଦରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ତେବେ ନିଜର […]

Tourism-Minister-Jyoti-Prakash-Panigrahi-got-clean-chit

Tourism-Minister-Jyoti-Prakash-Panigrahi-got-clean-chit

Manoranjan Sial
  • Published: Thursday, 28 November 2019
  • Updated: 28 November 2019, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦରେ ଓଡ଼ିଶା ପର୍ଯ୍ୟଟନର ରୋଡ୍ ଶୋ’ରେ ଯୋଗ ଦେବା ପାଇଁ ସାଙ୍ଗରେ ୨ଜଣ ମହିଳାଙ୍କୁ ନେବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବିବାଦଘେରକୁ ଟାଣିନେଇଛି। ସମ୍ପୃକ୍ତ ଦୁଇ ମହିଳାଙ୍କ ଯିବାଆସିବା ଓ ରହିବା ବାବଦ ଅର୍ଥ ସରକାରୀ ପାଣ୍ଠିରୁ ଖର୍ଚ୍ଚ କରାଯାଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଜି ବିଧାନସଭାରେ ବୟାନ ଦିଆଯିବା ପରେ ଏହି ବିବାଦରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ତେବେ ନିଜର ପଞ୍ଚମ ପାଳି ସରକାରରେ ‘ଫାଇଭ-ଟି’ର ସ୍ଲୋଗାନ ଦେଇ ସରକାର ଓ ପ୍ରଶାସନକୁ ଉତ୍ତରଦାୟୀ କରିବା ନିମନ୍ତେ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ କିଭଳି ଜଣେ ମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନତା ଓ ବିଶୃଙ୍ଖଳିତ ଆଚରଣ ପ୍ରତି ଆଖିବୁଜି ଦେଇଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଅକ୍ଟୋବର ୪ତାରିଖରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ରୋଡ୍ ଶୋ’ରେ ସାମିଲ ହେବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ହାଇଦ୍ରାବାଦ ଯାଇଥିଲେ। ମନ୍ତ୍ରୀଙ୍କ ଅତିଥି ଭାବେ ରଶ୍ମିତା ମହାପାତ୍ର ଓ ଏସଏସ୍ ମହାପାତ୍ର ନାମକ ଦୁଇଜଣ ମହିଳା ତାଙ୍କ ସାଙ୍ଗରେ ଯିବେ ଏବଂ ସେମାନଙ୍କ ବିମାନ ଓ ହୋଟେଲ ବୁକିଂ କରିବା ପାଇଁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)କୁ ସେପ୍ଟେମ୍ବର ୩୦ତାରିଖରେ ବିଧିବଦ୍ଧ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରୀ ଓ ତାଙ୍କ ଦୁଇ ଅତିଥିଙ୍କ ବିମାନ ଭଡ଼ା ବାବଦରେ ପ୍ରାୟ ୫୦ହଜାର ଟଙ୍କା ଏବଂ ହୋଟେଲରେ ରହିବା ବାବଦରେ ୨୬ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାର ବିଲ୍ ଅନୁସାରେ ମନ୍ତ୍ରୀ ଓ ତାଙ୍କ ଅତିଥିଙ୍କ ହୋଟେଲ ରହିବା ଓ ଖାଇବା ବାବଦ ଖର୍ଚ୍ଚ ‘ଫିକି’ ହାଇଦ୍ରାବାଦ ପକ୍ଷରୁ ବହନ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି, ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ମନ୍ତ୍ରୀଙ୍କ ଅତିଥିଙ୍କ ଟିକେଟ୍ ଖର୍ଚ୍ଚ ପର୍ଯ୍ୟଟନ ବିଭାଗ ବହନ କରିଥିବାବେଳେ ରହିବା ଓ ଖାଇବା ଖର୍ଚ୍ଚ ‘ଫିକି’ କାହିଁକି ବହନ କରିଛି।
ଏପରି କରି ଶ୍ରୀ ପାଣିଗ୍ରାହୀ କ’ଣ ପର୍ଯ୍ୟଟନ ମନ୍ତ୍ରୀ ନିଜ ପଦମର୍ଯ୍ୟାଦା ଓ କ୍ଷମତାର ଦୁରୂପଯୋଗ କରିନାହାନ୍ତି କି? ତା’ଛଡ଼ା ସରକାରୀ କାର୍ଯ୍ୟକ୍ରମରେ ଏହି ଦୁଇ ମହିଳାଙ୍କୁ ସାଙ୍ଗରେ ନେଇ ଯିବା ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କାହିଁକି ଆଗ୍ରହ ପ୍ରକାଶ କଲେ। ପର୍ଯ୍ୟଟନ କ୍ଷେତ୍ରରେ ଏହି ଦୁଇ ମହିଳାଙ୍କ କ’ଣ ଅବଦାନ ରହିଛି ଓ ସରକାରଙ୍କ ପର୍ଯ୍ୟଟନ ବିଭାଗ ସେମାନଙ୍କୁ କାହିଁକି ସେଠାରେ ଅତିଥି ଭାବେ ସାମିଲ କରିବାକୁ ଆଗ୍ରହ ଦେଖାଇଲା ?

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜର ଦୁଇ ମହିଳା ଅତିଥିଙ୍କ ସହ ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବା ସମୟରେ ଯେଉଁ ସବୁ ଭିଡିଓ ଏବେ ସୋଶାଲ ମିଡିଆରେ ଘୁରିବୁଲୁଛି ତାହା ଅନେକ କିଛି କହୁଥିବାବେଳେ ମନ୍ତ୍ରୀଙ୍କ ଆଚରଣକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି।

ଏବେ ବିବାଦ ଦେଖାଦେବାପରେ ଯଦିଓ ସେହି ଦୁଇ ମହିଳା ଅତିଥିଙ୍କ ଖର୍ଚ୍ଚ ସରକାରୀ ତହବିଲରୁ ଖର୍ଚ୍ଚ ହୋଇନି ବୋଲି ସରକାରୀ ଭାବେ କୁହାଯାଉଛି, ତଥାପି ସେହି ଦୁଇ ମହିଳାଙ୍କୁ କାହିଁକି ସେ ସାଙ୍ଗରେ ନେଲେ ତାହା ଉପରେ ସରକାର ନିରବ ରହିଛନ୍ତି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିବାଦରେ ଶ୍ରୀ ପାଣିଗ୍ରାହୀଙ୍କୁ କ୍ଲିନଚିଟ୍ ଦେବା ପାଇଁ ତୃତୀୟ ମହଲା ଆଗେଇ ଆସିଛି। ତୃତୀୟ ମହଲାରେ ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଚାମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ମନ୍ତ୍ରୀଙ୍କୁ କିଭଳି କ୍ଲିନଚିଟ୍ ଦିଆଯିବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଥିଲା। ବିଧାନସଭା ଅଧିବେଶନବେଳେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିବାରୁ ନିଜର ଭାବମୂର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ତୃତୀୟ ମହଲା ଏଭଳି ସାମୟିକ ଗଳାବାଟ ବାହାର କରିଛନ୍ତି। ବିଜେଡିର କିଛି ପ୍ରଭାବଶାଳୀ ନେତାଙ୍କ ଚାପରେ ଶ୍ରୀ ପାଣିଗ୍ରାହୀଙ୍କୁ କ୍ଲିନଚିଟ୍ ଦିଆଯାଇଥିବା ଜଣାପଡ଼ିଛି।

ତେବେ ନିଜର ପଞ୍ଚମ ପାଳିରେ ‘ଫାଇଭ-ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଭାବମୂର୍ତ୍ତିକୁ ସୁଧାରିବା ଉପରେ ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତା କିନ୍ତୁ ମନ୍ତ୍ରୀଙ୍କ ଏଭଳି ଆଚରଣକୁ ବେଶ୍ ଗୁରୁତ୍ୱର ସହ ନେଇଛନ୍ତି। ଯେଉଁ ମନ୍ତ୍ରୀମାନଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମତା ରହୁନାହିଁ ସେମାନଙ୍କୁ ସତର୍କ କରାଇବା ପାଇଁ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଯେକୌଣସି ମୁହୂର୍ତ୍ତରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos