କଟକ(ଓଡ଼ିଶା ରିପୋର୍ଟର): କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଛି। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲଟି ଭୁଶୁଡ଼ି ପଡ଼ିଛି। ମାଟି ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ବଡ଼ ମେଡ଼ିକାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲ ତଳେ ୩ ଜଣ ଥିଲେ ବୋଲି ଜଣାପଡ଼ିଥିଲା। ତଥାପି ମାଟି ବାହାର କରାଯାଉଛି। ପୂରା ମାଟି ବାହାର କରାଯିବା ପରେ ସବୁକିଛି ଜଣାପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି।
ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର ପୁନରୁଦ୍ଧାର କାମ୍ ଦୀର୍ଘ ଦିନ ଧରି ଚାଲିଥିଲା। ଆଜି ମଧ୍ୟ କାମ ଚାଲିଥିଲା। ତେବେ ସନ୍ଧ୍ୟା ବେଳେ ହଠାତ୍ ନିର୍ମାଣାଧୀନ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍ ତଳେ ଚାପି ହୋଇଯାଇଥିଲେ କିଛି ଲୋକ। ଏହି ଖବର ପ୍ରଚାରିତ ହେବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଥିଲେ। ତିନି ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମେଡ଼ିକାଲ୍ରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ତୃତୀୟ ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। କିନ୍ତୁ ପୂରା ନାମ ମଗା ଯାଇଛି ବୋଲି ଡିସିପି କହିଛନ୍ତି।
ଦୁର୍ଘଟଣା ସ୍ଥଳରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଡିସିପି ପ୍ରତୀକ ସିଂ ଓ ସିଏମ୍ସି କମିଶନ ଅନନ୍ୟା ଦାସ ପ୍ରମୁଖ ପହଞ୍ଚିଛନ୍ତି। ଜିଲ୍ଲାପାଳ ଶ୍ରୀ ଚଇନୀ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହାର ତଦନ୍ତ କରାଯିବ। ତଦନ୍ତ କିଏ କରିବ? ସରକାର ନିଷ୍ପତ୍ତି ନେବେ। ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।