/odisha-reporter/media/post_attachments/uploads/2020/04/puri-0.jpg)
puri-0
ଭୁବନେଶ୍ୱର/ସ୍ୱତନ୍ତ୍ର ପ୍ରତିନିଧି
କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଚଳିତ ବର୍ଷ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଓ ଯାଜପୁରର ବାରୁଣୀ ସ୍ନାନ ବନ୍ଦ ରହିଥିବାରୁ ସମାନ କାରଣ ପାଇଁ ଜଗନ୍ନାଥ ରଥଯାତ୍ରା ବନ୍ଦ ରହିପାରେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ତେବେ ନିର୍ଦ୍ଦିଷ୍ଟ ଏକ ବର୍ଗର ସେବାୟତ ନିଜର ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ନକରିବାକୁ ସରକାରଙ୍କ ଉପରେ ଚାପ ପକାଉଛି। ତେବେ ରାଜ୍ୟ ସରକାର ଏଯାଏଁ ଏନେଇ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ସଂପୃକ୍ତ ପକ୍ଷମାନଙ୍କ ସହିତ ଆଲୋଚନା କରି ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ କହିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସାରା ଦେଶ ଏବେ ତାଲାବନ୍ଦୀ। ଦୁଇଟି ପର୍ଯ୍ୟାୟରେ କେନ୍ଦ୍ର ସରକାର ମେ ୩ ତାରିଖ ଯାଏଁ ତାଲାବନ୍ଦ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏପ୍ରିଲ ୩୦ ଯାଏଁ ତାଲାବନ୍ଦ ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ଦେଶ ଭିତରେ ସମସ୍ତ ପ୍ରକାର ଧାର୍ମିକ ମେଳା ଉପରେ କଟକଣା ଜାରି ହୋଇଛି। କଟକଣା ଦୃଷ୍ଟିରୁ ଚଳିତ ବର୍ଷ ଲିଙ୍ଗରାଜ ରଥଯାତ୍ରା, ଯାଜପୁର ବାରୁଣୀ ଓ ଜଳେଶ୍ୱର ଚଡ଼କ ଯାତ୍ରା ଅନୁଷ୍ଠିତ ହୋଇନାହିଁ। ସେହିପରି ତାଳଚେର ହିଙ୍ଗୁଳା, କାକଟପୁର ମଙ୍ଗଳାଙ୍କ ଦଣ୍ଡଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇପାରିନାହିଁ। ତେବେ, ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ବା ପୁରୀ ଜଗନ୍ନାଥ ରଥଯାତ୍ରା ଜୁନ ୨୩ ତାରିଖରେ ପଡ଼ୁଥିବାରୁ ଏବଂ ସେତେବେଳକୁ କରୋନା ତାଲାବନ୍ଦ ଅବ୍ୟାହତ ରହିଥିବାର ସମ୍ଭାବନା କ୍ଷୀଣ ଥିବାରୁ ରଥଯାତ୍ରା କରାଇବାକୁ ଏକ ନିର୍ଦ୍ଦିଷ୍ଟ ବର୍ଗର ସେବାୟତ ଗୋଷ୍ଠୀ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ଏହି ସେବାୟତ ଗୋଷ୍ଠୀ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାର ନଜୀର ରହିଛି। ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏନେଇ ସରକାର ଗଜପତି ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ, ମନ୍ଦିର ପ୍ରଶାସନ ଓ ସେବାୟତ ପ୍ରମୁଖ ସବୁ ପକ୍ଷଙ୍କ ସହିତ ଆଲୋଚନା କରୁଛନ୍ତି। ସମସ୍ତଙ୍କ ସହିତ ବିଚାର ବିମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ମଧ୍ୟ ଏନେଇ ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏବେ ଜିଲ୍ଲାର ପ୍ରଶାସନ କରୋନା ସଂକ୍ରମଣ ରୋକିବା କାର୍ଯ୍ୟ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛି। ରଥଯାତ୍ରା ସମୟ ଆସିନାହିଁ।
ଚଳିତ ବର୍ଷ ରଥଯାତ୍ରା ପାଇଁ ଜଙ୍ଗଲ ବିଭାଗ ତରଫରୁ ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ କାଠ ବଡ଼ଦାଣ୍ଡରେ ପହଞ୍ଚାଇ ଦିଆଯାଇଛି। ପରମ୍ପରା ଅନୁସାରେ ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବା କଥା। କିନ୍ତୁ ରଥ ନିର୍ମାଣ ପାଇଁ ପ୍ରାୟ ୮୦ ବଢ଼େଇ ନିୟୋଜିତ ହୁଅନ୍ତି। କରୋନା ସଂକ୍ରମଣ ଯୋଗୁଁ ଶାରୀରିକ ବା ସାମାଜିକ ଦୂରତା ମାନି ସମସ୍ତେ କାମ କରିବା କଥା। ଏପ୍ରିଲ ୨୬ ତାରିଖ ବେଳକୁ ତାଲାବନ୍ଦ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇନଥିବ। ତେବେ କେତେକ କଟକଣା କୋହଳ ହୋଇଥାଇପାରେ। କିନ୍ତୁ, ସଂକ୍ରମଣ ରୋକିବାକୁ ମୁହଁପଟି ବାନ୍ଧିବା ଓ ୬ ଫୁଟ ଦୂରତା ରକ୍ଷା କରିବା କଟକଣା ଅବ୍ୟାହତ ରହିଥାଇ ପାରେ। ଏ କଟକଣା ଅବ୍ୟାହତ ରହୁ ନରହୁ ସଂପୃକ୍ତ ବଢ଼େଇମାନେ ରଥଖଳାରେ ନିଜ ସ୍ୱାସ୍ଥ୍ୟ ପାଇଁ ଏହି ନିୟମ ପାଳନ କରିବା ଦରକାର। ସେମାନେ ଏ ନିୟମ ପାଳନ କଲେ ରଥ ନିର୍ମାଣରେ ଅସୁବିଧା ସୃଷ୍ଟି ହୋଇପାରେ। କାରଣ ରଥ ନିର୍ମାଣ ସମୟରେ ଗୋଟିଏ ଜାଗାରେ ୮୦ ଲୋକ କାମ କଲେ ଏ ନିୟମ ମାନିବା ସମ୍ଭବ ନୁହେଁ। ଯଦି କରୋନା କଟକଣା ନିୟମ ମାନି ରଥ ନିର୍ମାଣ କରାଯାଏ ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିର୍ମାଣ ଶେଷ ନହେବାର ଆଶଙ୍କା ରହିଛ। ଶେଷ ଆଡ଼କୁ ତରବରରେ ରଥ ନିର୍ମାଣ କଲେ ପୂର୍ବ ବର୍ଷ ପରି ଚକଅଖ ହୁଗୁଳା ରହିଥିବା କିମ୍ବା କେଉଁଠି କାଠ ଫାଟିଥିବା ଦେଖିବାକୁ ମିଳିପାରେ।
ପ୍ରାୟ ପ୍ରତିବର୍ଷ ରଥାଯାତ୍ରାରେ ୬-୭ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ଜୁନ ୨୩ ତାରିଖରେ ରଥଯାତ୍ରା ପଡ଼ୁଛି। ସେତେବେଳକୁ ତାଲାବନ୍ଦ କଟକଣା ରହି ନଥାଇପାରେ। କିନ୍ତୁ ସଂକ୍ରମଣ ଆଶଙ୍କା ରହିଥାଇପାରେ। ବଡ଼ଦାଣ୍ଡରେ ଏତେ ଲୋକ ଏକାଠି ହେଲେ କା’ ଦେହରୁ କା’ ଦେହକୁ କରୋନା ସଂକ୍ରମଣ ହେବ ତାହା ଜାଣିହେବ ନାହିଁ। କାହା ଦେହରେ କରୋନା ଭୂତାଣୁ ନାହିଁ ତାହା ପରୀକ୍ଷା କରିବା ପାଇଁ ସମସ୍ତ ଯାତ୍ରୀଙ୍କର କରୋନା ପରୀକ୍ଷା ହେବା ଦରକାର। ଗୋଟିଏ ଦିନରେ ଏହା ମଧ୍ୟ ସମ୍ଭବ ନୁହେଁ। ତେଣୁ ଭବିଷ୍ୟତରେ ଏକ ବଡ଼ ଧରଣର ସ୍ୱାସ୍ଥ୍ୟ ସଂକଟ ଏଡ଼ାଇବା ପାଇଁ ଅନ୍ୟାନ୍ୟ ଧାର୍ମିକ ମେଳା ଭଳି ଚଳିତ ବର୍ଷ ରଥଯାତ୍ରା ବନ୍ଦ ରହିବାର ସମ୍ଭାବନା ଅଛି। ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ କାରଣ ପାଇଁ ରଥଯାତ୍ରା ବନ୍ଦ ରହିଥିବାର ନଜୀର ରହିଛି। ଏବେ ଜଗତର ସ୍ୱାସ୍ଥ୍ୟ ସଂକଟ ଦୃଷ୍ଟିରୁ ଜଗତର ହିତ ପାଇଁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ରହିଲେ ଧର୍ମ ଓ ସଂସ୍କୃତିର ଉଲ୍ଲଙ୍ଘନ ହେବ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
