ପାଦଚଲା ବାଟ ସରିବା ଆଗରୁ ଜୀବନର ବାଟ ସରିଗଲା…

ଭୁବନେଶ୍ୱର/ ମାଲକାନଗିରି(ଓଡ଼ିଶା ରିପୋର୍ଟର) ସାରା ଦେଶ, ଏମିତି କି ସାରା ବିଶ୍ୱ ଏକ୍‌ଜୁଟ ହୋଇ କରୋନା ବିରୋଧୀ ଲଢ଼େଇରେ ମାତିଥିବା ବେଳେ, ଗରିବ ଖଟିଖିଆ ମେହନତି ମଣିଷକୁ ଏକାଏକା ଲଢ଼ିବାକୁ ପଡ଼ୁଛି। ଭୋକ, ଭୟ ଓ ଭିଟାମାଟିକୁ ବାହୁଡ଼ିବାର ଲଢ଼େଇ ବାଟ ସରୁନି, କି ସରୁନି ଚାଲିଚାଲି ଘରମୁହାଁ ପ୍ରବାସୀଙ୍କ ହୃଦଥରା ଯନ୍ତ୍ରଣା। ଦେଶର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ପ୍ରବାସ ଫେରନ୍ତାଙ୍କ ଏମିତି କିଛି ଉଦ୍‌ବେଗଜନକ ଚିତ୍ର, ଯାହା ହଜାରେ ନୁହେଁ, କହୁଛି ଲକ୍ଷଲକ୍ଷ ଶ୍ରମଜୀବୀଙ୍କ ଅସଂଖ୍ୟ ଦୁର୍ଦ୍ଦଶାର କଥା।

ମାଇଲ ମାଇଲ ଚାଲିବା ପରେ ଥକି ପଡ଼ିଛି କୁନି କୁନି ପାଦ। ଆଉ କେତେ ବା ଚାଲିଥାନ୍ତା? କେଇ ବର୍ଷ ହେବ ତ ସେ ଚାଲି ଶିଖିଛି। ୪/୫ ବର୍ଷର ଶିଶୁଟି ଭାବି ପାରୁନି, ଗାଁ ଯିବାକୁ ଆଗଭଳି ଗାଡ଼ି ନଧରି, ତାକୁ କାହିଁକି ଏ ଟ୍ରଲିବ୍ୟାଗ୍ ଚଢ଼ିବାକୁ ପଡ଼ିଛି? ଏକ ଶ୍ରମିକ ପରିବାର ପଞ୍ଜାବରୁ ଝାନ୍ସୀ ଯାଉଥିବା ବେଳେ ଆଗ୍ରା ନିକଟରେ ଦେଖିବାକୁ ମିଳିଥିଲା ଏଭଳି ହୃଦୟ ବିଦାରକ ଦୃଶ୍ୟ। ସେହିପରି ଜଣେ ପଟାଗାଡ଼ିରେ ନିଜ ଗର୍ଭବତୀ ସ୍ତ୍ରୀ ଓ ଦେଢ଼ବର୍ଷର ଝିଅକୁ ହାଇଦ୍ରାବାଦରୁ ମଧ୍ୟପ୍ରଦେଶ ଟାଣିଟାଣି ନେଉଥିବା ବେଳେ, ଆଉ ଜଣେ ନିଜେ ବଳଦ ଭଳି ଶଗଡ଼ ଟାଣିଟାଣି ମହାରାଷ୍ଟ୍ର ନାନ୍ଦେଡ୍ରୁ ମଧ୍ୟପ୍ରଦେଶ ରେଓ୍ୱାକୁ ପ୍ରାୟ ୮ଶହ କିଲୋମିଟର ଚାଲିଛି।

ସାରା ଦେଶରେ ଲକ୍ଷଲକ୍ଷ ଶ୍ରମଜୀବୀ କାମଧନ୍ଦା ହରାଇ ଏବେ ଘରକୁ ବାହୁଡ଼ୁଛନ୍ତି  । ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁଃଖ ବି କିଛି କମ୍ ନୁହେଁ।  ଡହଡହ ଖରାରେ ପଲିଥିନ୍ ଜରିରେ ପାଣି ଧରି ତେଲେଙ୍ଗାନାରୁ ଚାଲିଚାଲି ଆସିଛନ୍ତି କଟକ ଜିଲ୍ଲାର ବିଜୟ ସ୍ୱାଇଁ। ମାତ୍ର ୧୨ କିଲୋ ଚାଉଳରେ ୨ ମାସ ଚଳିବା ପରେ ସେ ବାଧ୍ୟ ହୋଇ ଚାଲିଚାଲି ଘରକୁ ଫେରୁଥିବା କହିଛନ୍ତି।

ମାଲକାନଗିରି ଟାଙ୍ଗିଣିତଙ୍ଗର କଷା ମାଡ଼କାମୀ ହାଇଦ୍ରାବାଦରୁ ଚାଲିଚାଲି ଫେରୁଥିଲେ ।  ବିଡ଼ମ୍ବନା, ତାଙ୍କ ପାଦଚଲା ବାଟ ସରିବା ଆଗରୁ ଜୀବନର ବାଟ ସରିଗଲା।  ଭଦ୍ରାଞ୍ଚଳମ ନିକଟରେ ଅସୁସ୍ଥ ହୋଇ ପ୍ରାଣ ହରାଇଛନ୍ତି ଏହି ୨୩ ବର୍ଷୀୟ ଯୁବକ॥ ଏକମାତ୍ର ରୋଜଗାରିଆ ଚାଲିଯିବା ପରେ, ଏବେ ଘରେ ଅସହାୟ ମାଆ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।