ଆସନ୍ତାମାସରୁ ସହରାଞ୍ଚଳର ହିତାଧିକାରୀଙ୍କୁ ନଗଦ ନୁହେଁ, ବ୍ୟାଙ୍କ ଆକାଉଣ୍ଟରେ ମିଳିବ ମାସିକ ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କୁ ଏଣିକି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ମାସିକ ଭତ୍ତା ମିଳିବ। ଆସନ୍ତାମାସରୁ ସହରାଞ୍ଚଳର ସମସ୍ତ ହିତାଧିକାରୀଙ୍କୁ ଓ ଡିସେମ୍ବରରୁ ବ୍ଲକ୍ ମୁଖ୍ୟାଳୟସ୍ଥିତ ପଞ୍ଚାୟତଗୁଡ଼ିକରେ ଏହି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ବ୍ୟବସ୍ଥା ଲାଗୁ ହେବ । ସେଥିପାଇଁ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଅପଡେଟ୍ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ ନଥିବ ତାହା […]

bank

Manoranjan Sial
  • Published: Wednesday, 23 October 2019
  • , Updated: 23 October 2019, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କୁ ଏଣିକି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ମାସିକ ଭତ୍ତା ମିଳିବ। ଆସନ୍ତାମାସରୁ ସହରାଞ୍ଚଳର ସମସ୍ତ ହିତାଧିକାରୀଙ୍କୁ ଓ ଡିସେମ୍ବରରୁ ବ୍ଲକ୍ ମୁଖ୍ୟାଳୟସ୍ଥିତ ପଞ୍ଚାୟତଗୁଡ଼ିକରେ ଏହି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ବ୍ୟବସ୍ଥା ଲାଗୁ ହେବ । ସେଥିପାଇଁ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଅପଡେଟ୍ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ ନଥିବ ତାହା ଆସନ୍ତା ୧୫ତାରିଖ ସୁଦ୍ଧା ଖୋଲାଇବାକୁ ମଧ୍ୟ ତାଗିଦ୍ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କରଜ୍ୟୋତି ଶର୍ମା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଡିବିଟି ମାଧ୍ୟମରେ ଗରିବ ହିତାଧିକାରୀମାନଙ୍କୁ ମାସିକ ଭତ୍ତା ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି। ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ପାଉଥିବା ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ମାସିକ ଭତ୍ତା ଦେବା ପାଇଁ ରାଜ୍ୟ ସରକାର ଅବଧି ସ୍ଥିର କରିଛନ୍ତି। ଏବେ ରାଜ୍ୟବ୍ୟାପୀ ମାସିକ ଭତ୍ତା ପ୍ରତିମାସ ୧୫ତାରିଖରେ ପଞ୍ଚାୟତ ଓ ୱାର୍ଡ କାର୍ଯ୍ୟାଳୟରେ ହିତାଧିକାରୀମାନଙ୍କୁ ନଗଦ ଆକାରରେ ବଣ୍ଟନ କରାଯାଉଛି। ତେବେ ଡିବିଟି ମାଧ୍ୟମରେ ସହରାଞ୍ଚଳର ହିତାଧିକାରୀମାନଙ୍କୁ ମାସିକ ଭତ୍ତା ନଭେମ୍ବର ୩୦ ଓ ବ୍ଲକ ମୁଖ୍ୟାଳୟ ପଞ୍ଚାୟତର ହିତାଧିକାରୀଙ୍କୁ ଡିସେମ୍ବର ୩୧ତାରିଖର ଠିକ୍ ପରେ ମିଳିବ। ଅବଶ୍ୟ ନଭେମ୍ବର ମାସ ୧୫ତାରିଖରେ ହିତାଧିକାରୀମାନେ ପୂର୍ବଭଳି ନଗଦ ଆକାରରେ ନିଜର ଭତ୍ତା ପାଇବେ। ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନ ଲକ୍ଷ୍ୟକୁ ସଫଳ କରିବା ନିମନ୍ତେ ନଭେମ୍ବର ୧୫ତାରିଖରେ ଭତ୍ତା ନେବାବେଳେ ପ୍ରତ୍ୟେକ ହିତାଧିକାରୀଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ୍ ପାସବୁକର ନକଲ ଓ ଆଧାର ନମ୍ବର ନକଲ ସାଙ୍ଗରେ ଆଣିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ଏନେଇ ହିତାଧିକାରୀମାନଙ୍କୁ ଆଗୁଆ ସୂଚନା ଦେବାର ବ୍ୟବସ୍ଥା କରିବେ। ଭତ୍ତା ବଣ୍ଟନବେଳେ ହିତାଧିକାରୀଙ୍କ ବ୍ୟାଙ୍କ ପାସବୁକ ଓ ଆଧାର କାର୍ଡର ଜେରକ୍ସ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବା ସହ ବ୍ୟାଙ୍କ ଆକାଉଣ୍ଟ୍ ଖୋଲିବା ପାଇଁ ଯେଉଁମାନଙ୍କର ଫଟୋ ନଥିବ ତାହା ମଧ୍ୟ ଉଠାଇବାର ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯିବ।

ଏଥିପାଇଁ ସହରାଞ୍ଚଳରେ ନଭେମ୍ବର ୧୫ ତାରିଖ, ବ୍ଲକ ମୁଖ୍ୟାଳୟରେ ଗ୍ରାମପଞ୍ଚାୟତରେ ଡିସେମ୍ବର ୧୫ ତାରିଖ ଓ ଅନ୍ୟ ପଞ୍ଚାୟତଗୁଡ଼ିକରେ ଜାନୁୟାରୀ ୧୫ତାରିଖ ସୁଦ୍ଧା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ନିଶ୍ଚିତ ଭାବେ ଅପଡେଟ୍ କରାଇବାକୁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଦୁର୍ଗମ ପଞ୍ଚାୟତ ଗୁଡ଼ିକରେ ଯେଉଁଠି ବ୍ୟାଙ୍କ ସେବା ନାହିଁ ସେଠାରେ ପୂର୍ବଭଳି ନଗଦ ଭତ୍ତା ବଣ୍ଟନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି।

Related story