ବୁର୍ଲା ଭିମ୍‌ସାର ଡାକ୍ତରଙ୍କ ମାଗଣା କ୍ଲିନିକ୍, ସେବା ପାଇ ଭଗବାନ ଭଳି ପୂଜା କରୁଛନ୍ତି ଲୋକେ

ବିନିକା(ଦିଲ୍ଲୀପ କୁମାର ସାହୁ): ମାନବ ସେବା ହିଁ ମାଧବ ସେବା। କହିବା ସହଜ, କିନ୍ତୁ କାମରେ କରି ଦେଖାଇବା ଏତେଟା ସରଳ ନୁହେଁ। ଦୈନନ୍ଦିନ ଜୀବନର ଧାଁଦୌଡ଼ ଭିତରେ ସ୍ୱାର୍ଥ ଓ ଅର୍ଥସର୍ବସ୍ୱ ମଣିଷକୁ ଆଜି ଯେଉଁଠି ନିଜ କଥା ବୁଝିବାକୁ ବେଳ ଅଣ୍ଟୁନି, ସେଠି ପର କଥା ପଚାରେ କିଏ। ହେଲେ ସମସ୍ତେ ସେଭଳି ନୁହଁନ୍ତି। ଭିଡ଼ ଭିତରେ ବି କିଛି ଚେହେରା ସ୍ପଷ୍ଟ ବାରି ହୋଇପଡ଼ନ୍ତି। ନିଜର ନିଆରା ତଥା ମହତ୍ କାର୍ଯ୍ୟ ଯୋଗୁଁ। ଏଇ ଯେମିତି ଡାକ୍ତର ବେଣୁଧର ପାଣ୍ଡେ। ବୁର୍ଲା ଭିମ୍ସାରରେ ସେ ଜଣେ ପ୍ରତିଷ୍ଠିତ ଡାକ୍ତର ହୋଇଥିଲେ ବି, ପ୍ରତି ମାସରେ ଦିନଟିଏ ସେ ନିଜ ଗାଁକୁ ଛୁଟି ଆସନ୍ତି ବିନା ମୂଲ୍ୟରେ ରୋଗୀ ଦେଖିବା ପାଇଁ।

ତେଣୁ କାହା ପାଇଁ ସେ ଦେବଦୂତ ତ, ଆଉ କାହା ପାଇଁ ଦ୍ୱିତୀୟ ଈଶ୍ୱର। କିଏ ତାଙ୍କୁ ମହାନ୍ କହେ ତ, କିଏ ପୁଣି କହେ ମାଟିର ଗର୍ବ। ବୁର୍ଲା ଭିମ୍ସାରର ଗାଇନିକ୍ ସ୍ପେଶାଲିଷ୍ଟ ଡାକ୍ତର ବେଣୁଧର ପାଣ୍ଡେ ମାସ ସାରା ସହରରେ ଡାକ୍ତରୀ ପେଷା କରୁଥିଲେ ବି, ଅପେକ୍ଷା କରିଥାନ୍ତି ପ୍ରତି ମାସର ଚତୁର୍ଥ ଶନିବାରକୁ। କାରଣ ସେଦିନ ସେ ଜୀବୀକାର ନୁହେଁ, ଜନ୍ମମାଟିର ଡାକ ଶୁଣନ୍ତି। ଆଉ ଛୁଟି ଯାଆନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ର ଛୋଟିଆ ଗାଁ ସଂସାମୁରାକୁ।

ମାସର ଏହି ଗୋଟିଏ ଦିନ ସେଠି ଖୋଲେ ତାଙ୍କର ମାଗଣା କ୍ଲିନିକ୍। ବିନା କୌଣସି ଫିରେ ତାଙ୍କ ଡାକ୍ତରୀ ପରାମର୍ଶ ନେବାକୁ ସକାଳୁ ସନ୍ଧ୍ୟା ଯାଏଁ ଲାଗିରହେ ରୋଗୀଙ୍କ ଲମ୍ବା ଲାଇନ୍। ଗାଁ ଗହଳିର ଗରିବ ଗୁରୁବା, ବିଶେଷ କରି ମହିଳା ଓ ପ୍ରସୂତିଙ୍କ ପାଇଁ ବାରମ୍ବାର ସହରକୁ ଯାଇ ଡାକ୍ତର ଦେଖାଇବା ସହଜ ନୁହେଁ। ଖର୍ଚ୍ଚକୁ ଖର୍ଚ୍ଚ, ତା ଉପରେ ପରିଶ୍ରମ। ଏହାକୁ ଅନୁଭବ କରି ପ୍ରାୟ ୧୦ ବର୍ଷ ହେଲାଣି ଏମିତି ନିଆରା ଅଭିଯାନ ଚଳାଇଛନ୍ତି ଏହି ଡାକ୍ତର।

ଆବଶ୍ୟକ ପଡ଼ିଲେ ସେ ରୋଗୀଙ୍କୁ ବଲାଙ୍ଗିର ଓ ବୁର୍ଲା ନେଇ ମାଗଣାରେ ବିଭିନ୍ନ ପରୀକ୍ଷା ଓ ଅସ୍ତ୍ରୋପଚାର ଆଦି ଚିକିତ୍ସା ମଧ୍ୟ କରାଉଛନ୍ତି। ଦିନଥିଲା ଅନ୍ୟ ଡାକ୍ତରଙ୍କ ଭଳି ବେଣୁଧର ବି କ୍ଲିନିକ୍ ଖୋଲି ଫି’ ନେଇ ରୋଗୀ ଦେଖୁଥିଲେ। ହେଲେ ଦିନେ ତାଙ୍କ ବାପାଙ୍କର ଗୋଟିଏ ତାଗିଦ, କେବଳ ତାଙ୍କ ଜୀବନର ମୋଡ଼ ନୁହେଁ, ଡାକ୍ତରୀ ବୃତ୍ତି ପ୍ରତି ଦୃଷ୍ଟିଭଙ୍ଗୀକୁ ବି ବଦଳାଇ ଦେଇଥିଲା।

ଡାକ୍ତର ବେଣୁଧର ପାଣ୍ଡେ କହିଛନ୍ତି ଯେ, ପାଠପଢ଼ିବା ବେଳେ ଲକ୍ଷ୍ୟ ଥିଲା ଯେ ଡାକ୍ତରୀ କରିବା ପରେ ଗାଁ ଆଖପାଖରେ ରହି ପେଷା ଚଳାଇବେ। ହେଲେ ଏହା ସମ୍ଭବ ହେଲାନି। ମାତ୍ର ୧୦ ବର୍ଷ ତଳେ ଗାଁକୁ ଯିବା ଆସିବା କରିବା ଆବଶ୍ୟକ ଭାବି ଅଭ୍ୟାସରେ ପରିଣତ କରିଥିଲେ। ଏବେ ଏଠାରେ ପ୍ରତି ଶନିବାର କ୍ଲିନିକ୍ ଖୋଲି ମାଗଣା ଚିକିତ୍ସା କରୁଛନ୍ତି। ଯେଉଁମାନେ ଗୁରୁତର ସମସ୍ୟାରେ ରହିଛନ୍ତି ସେମାନଙ୍କୁ ଭିମ୍‌ସାର ନେଇ ମାଗଣା ଚିକିତ୍ସା କରାଇ ଛାଡ଼ୁଛନ୍ତି। ଗାଁକୁ ଆସିବା ଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହା ଖୁବ୍ ଶାନ୍ତି ଦେଉଛି। ବାପାଙ୍କର କିଛି ପଦ କଥା ନିଜ ଗାଁ ଲୋକଙ୍କ ମାଗଣା ସେବା କରିବାର ଦୃଷ୍ଟିଭଙ୍ଗି ଆଣି ଦେଇଥିଲା। ବଲାଙ୍ଗିରରେ ରୋଗୀ ଚିକିତ୍ସା କରିବା ବେଳେ ଗାଁର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଯାଇ ଚିକିତ୍ସା ହୋଇଥିଲେ। ଏଥିପାଇଁ ୫୦ ଟଙ୍କା ଫି’ ଦେଇଥିଲେ। ସେଠାରୁ ସମ୍ପୃକ୍ତ ବ୍ୟକ୍ତି ଆସିବା ପରେ ବାପାଙ୍କୁ ଏହି କଥା ଜଣାଇଥିଲେ। ଫି’ ନେଇ ଗାଁ ଲୋକଙ୍କ ଚିକିତ୍ସା କରୁଥିବା ଜାଣି ବାପା ତାଗିଦ୍ କରିଥିଲେ। ଏହି ଟଙ୍କାରେ ବଡ଼ ଲୋକ ହୋଇଯିବୁ କି ବୋଲି ପଚାରିଥିଲେ। ଏହା ପର ଠାରୁ ବଲାଙ୍ଗିର ହେଉ କି ଭିମ୍‌ସାର ଯେଉଁଠି ବି ଗାଁ ଲୋକଙ୍କ ଚିକିତ୍ସା କରିବାକୁ ହୁଏ, ମାଗଣା କରିଚାଲିଛନ୍ତି। ପ୍ରତ୍ୟେକ ଡାକ୍ତରମାନେ ସେମାନଙ୍କ ଗାଁକୁ ଯାଇ ଅତିକମ୍‌ରେ ମାସକୁ ଦିନଟିଏ ସେମାନଙ୍କ ଗାଁ ଲୋକଙ୍କୁ ମାଗଣା ଚିକିତ୍ସା ଦେଇ ନିଜ ମାଟିର ଓ ଲୋକଙ୍କ ସେବା କରିବା ଉଚିତ୍ ବୋଲି ଡାକ୍ତର ପାଣ୍ଡେ କହିଛନ୍ତି।

ସଂସାମୁରା ବାସିନ୍ଦା ସସ୍ମିତା ସାହୁ ଓ ହିମାଂଶୁ ଶେଖର ପଣ୍ଡା କୁହନ୍ତି, ଏହି ଡାକ୍ତର ରୋଗୀଙ୍କ ନିମନ୍ତେ ଭଗବାନ ହୋଇଯାଇଛନ୍ତି। ସେ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ବୁର୍ଲା ନେଇ ମାଗଣା ଅପରେସନ କରୁଛନ୍ତି। ତାଙ୍କ ଯୋଗୁ ଶହ ଶହ ଲୋକ ଉପକୃତ ହେଉଛନ୍ତି। ସେ ଗାଁକୁ ଆସିଲେ ପ୍ରତିଥର ୧୫୦ରୁ ଅଧିକ ରୋଗୀଙ୍କ ଭିଡ଼ ଜମୁଛି।

ବେଣୁଧରଙ୍କ ବାପା ମାଛ ମାରି ପେଟ ପୋଷୁଥିଲେ। ହେଲେ ଡାକ୍ତର ହେବାର ସ୍ୱପ୍ନ ଆଗରେ ବାଧକ ସାଜିପାରିନଥିଲା ଦାରିଦ୍ର୍ୟ। ୧୯୯୧ରେ ଏମ୍‌ବିଏସ୍ ଓ ୧୯୯୬ରେ ପିଜି ପରେ ବେଣୁଧର ଡାକ୍ତରୀ ପେଷା ଆରମ୍ଭ କରିଥିଲେ। ସେ ସୁବର୍ଣ୍ଣପୁର ତରଭା ବ୍ଲକ୍ କମସରା, ସୋନପୁର, ନାଇକେନପାଲି ଓ ବଲାଙ୍ଗିର ଜିଲ୍ଲାର ସଇଁନ୍ତଳା ଆଦି ସ୍ଥାନରେ ଡାକ୍ତର ଥିଲେ। ଏବେ ବୁର୍ଲା ଭିମ୍ସାରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଆସୋସିଏଟ୍ ପ୍ରଫେସର। ତେବେ ନିଜର ବ୍ୟସ୍ତବହୁଳ ଜୀବନ ସତ୍ତ୍ୱେ, ମାସର ଚତୁର୍ଥ ଶନିବାର ନିଜ ଗାଁକୁ ଯାଇ ରୋଗୀସେବା କରିବା ଭୁଲିନାହାନ୍ତି। ବେଣୁଧର ସେଠାରେ ଲୋକଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିବା ପରେ ବିନିକା ଓ ଧର୍ମଶାଳାରେ ବି ସେ ମାଗଣା କ୍ଲିନିକ୍ ଖୋଲିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।