କରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ମୁକାବିଲା ପାଇଁ ବ୍ୟବସ୍ଥା ଅଛି: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଆତଙ୍କିତ ହୁଅନ୍ତୁ ନାହିଁ। ଆମ ରାଜ୍ୟରେ  bf.7  ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଚିହ୍ନଟ ହୋଇଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ। ଏନେଇ ଆଜି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି। ସେ ସୂଚନା ଦେଇଛନ୍ତି, ବିଗତ ୪ଟି ଲହର ପାଇଁ […]

bijaya

  • Published: Saturday, 24 December 2022
  • , Updated: 24 December 2022, 07:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଆତଙ୍କିତ ହୁଅନ୍ତୁ ନାହିଁ। ଆମ ରାଜ୍ୟରେ  bf.7  ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଚିହ୍ନଟ ହୋଇଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ। ଏନେଇ ଆଜି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି।

ସେ ସୂଚନା ଦେଇଛନ୍ତି, ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପାଜିଟିଭ ରେଟ ବଢ଼ିନାହିଁ। ହସ୍ପିଟାଲରେ ରୋଗୀ ଅଧିକ ମଧ୍ୟ ନାହିଁନ୍ତି। ଆଗକୁ ଯଦି ସଂକ୍ରମଣ ଆସେ କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ହୋଇ ଅଛୁ।

ସର୍ଭେଲାନ୍ସକୁ ଜୋରଦାର କରାଯିବ। ଯାହା ଦେହରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରୋଗୀ ନଥିଲେ ମଧ୍ୟ ବେଡ଼ ମହଜୁଦ ରଖାଯାଇଛି। ଦରକାର ପଡ଼ିଲେ ବେଡ଼ ବଢାଯିବ। ରାଜ୍ୟରେ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଅଛି। କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ। ସମସ୍ତଙ୍କୁ ଅନୁରୋଧ ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ। ପୂର୍ବ ଲହର ପରି ଏଥର ମଧ୍ୟ ଯଦି ସଂକ୍ରମଣ ବଢେ ରାଜ୍ୟ ସରକାର ଚିକିତ୍ସା ଦାୟିତ୍ୱ ନେବେ।

ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିଛନ୍ତି। ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ। ତେଣୁ ଯଦି କିଏ ଆସୁଛି। ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ତେଣେ କରୋନାର ପୁଣି ଏକ ସଂକ୍ରାମକ ଲହରରୁ ଦେଶକୁ ବଞ୍ଚାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ତୟାରି କରୁଛନ୍ତି। ଗତକାଲି ଆଡଭାଇଜରି ଜାରି ପରେ ଆଜି ଚୀନ୍ ଓ ଜାପାନ ଆଦି ୫ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏଥିସହ ମେଡିକାଲ ଗୁଡ଼ିକରେ ଅକ୍ସିଜେନ୍ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ବି ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ତେବେ କରୋନା ମୁକାବିକାର ବଡ଼ଅସ୍ତ୍ର- ଟିକାକରଣ କ୍ଷେତ୍ରରେ ପଛରେ ପ଼ଡ଼ିଛି ଓଡ଼ିଶା। ରାଜ୍ୟର ୫୯ ପ୍ରତିଶତ ଲୋକ ଏଯାଏଁ ବୁଷ୍ଟର ଡୋଜ୍ ନେବାକୁ ବାକି ଅଛନ୍ତି। ୧୮ ଓ ତା’ଠୁ ଅଧିକ ବର୍ଷ ବର୍ଗରେ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧ କୋଟି ୩୧ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ଏବେ ବି ରାଜ୍ୟର ୧୨ଟି ଘରୋଇ ମେଡିକାଲରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ୩୮୦ ଟଙ୍କାରେ ବିକ୍ରି ହେଉଛି। ପୁଣି କୋଭିଡ୍ ସଂକ୍ରମଣ ବଢୁଥିବା କଥା ଶୁଣି ଲକ୍ଷଣ ଥିବା ଲୋକେ ଟେଷ୍ଟିଂ ପାଇଁ ଆସୁଥିବାବେଳେ କେହି କେହି ପ୍ରିକସନ ଡୋଜ୍ ବି ନେଉଛନ୍ତି।

ସେପଟେ ନଭେମ୍ବର ୨୯ ପରଠୁ ରାଜ୍ୟରେ ଠପ୍ ରହିଛି ସରକାରୀ ଟିକାକରଣ। ପୁଣି ଏହାକୁ ଚାଲୁ ପାଇଁ ଟିକା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

Related story