ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ୨୩ ରାଜ୍ୟର ୪୭ ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ‘କରୋନା’ ପଜିଟିଭ ଆସିନି। ପୂର୍ବରୁ ପଜିଟିଭ ମିଳିଥିଲେ ମଧ୍ୟ ଏବେ ନୂଆ କେସ୍ ଆସିନାହିଁ। ଉକ୍ତ ୪୭ ଜିଲ୍ଲା ଭିତରେ ଓଡ଼ିଶାର ୨ ଜିଲ୍ଲା ରହିଛି। ଓଡ଼ିଶାର ପୁରୀ ଓ ଭଦ୍ରକ ଜିଲ୍ଲାରେ ୧୪ ଦିନ ହେଲାଣି ପଜିଟିଭ ନାହିଁ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ।
ଏପ୍ରିଲ୍ ୧ ତାରିଖରେ ଭଦ୍ରକରୁ ପ୍ରଥମ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ସେ ଦୁବାଇରୁ ଭାଇ କୋଲକାତା ଦେଇ ଭଦ୍ରକ ଆସିଥିଲେ। ଭଦ୍ରକ ଆସିବା ପରେ ସେ ହୋମ୍ ଆଇସୋଲେସନ୍ରେ ରହିଥିଲେ। ତେବେ ୧ ତାରିଖରେ ରକ୍ତ ଓ ସ୍ୱାବ୍ ଚେଷ୍ଟରୁ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଭଦ୍ରକରେ ଆଉ ଜଣେ ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଥିଲା।
ଭଦ୍ରକ ପରି ପୁରୀ ଜିଲ୍ଲାରେ ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ସେ ଜଣେ ଡାକ କର୍ମଚାରୀ। ଭୁବନେଶ୍ୱର ବିଜେବି ନଗର ଡାକ ଅଫିସ୍ରେ କାର୍ଯ୍ୟରତ ଥିଲେ। ଦିଲ୍ଲୀ ନିଜାମୁଦ୍ଦିନ୍ ଧାର୍ମିକ ସଭାରୁ ଫେରି ଚାକିରିରେ ଯୋଗଦେଇ ସେ ଡାକ ବିତରଣ କରିଥିଲେ। ପରେ ତାଙ୍କ ରକ୍ତ ଓ ସ୍ୱାବ୍ ଟେଷ୍ଟ ପାଇଁ ପଠାଇ ଯାଇଥିଲା। ତାଙ୍କ ଶରୀରରେ ‘କରୋନା’ ଭାଇରସ୍ ଥିବା ସ୍ପଷ୍ଟ ହୋଇଥିଲା।
ହେଲେ ଗତ ୧୪ ଦିନ ହେଲା ଏହି ଦୁଇ ଜିଲ୍ଲାରେ ‘କରୋନା’ ରୋଗୀ ଚିହ୍ନଟ ହୋଇନାହାନ୍ତି। ଲକ୍ଡାଉନ୍ ଓ ସାମାଜିକ ଦୂରତା ଯୋଗୁଁ ଗତ ୧୪ ଦିନ ହେଲା ନୂଆ ‘କରୋନା’ କେସ୍ ଆସିନଥିବା ଅନୁମାନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।