ଓଡ଼ିଶା ସରକାରଙ୍କ ଚାଷ ଅଧ୍ୟାଦେଶ-୩: ରାଜନୀତି, ଅର୍ଥନୀତି ନା ବିଭ୍ରାନ୍ତି?

ଦେବେନ୍ଦ୍ର ପୃଷ୍ଟି

ବର୍ଷକ ଭିତରେ ତିନିତିନିଟା ଅଧ୍ୟାଦେଶ। ସବୁ ଅଧ୍ୟାଦେଶର ଉଦ୍ଦେଶ୍ୟ ସମାନ। ଗୋଟିଏ ବିଷୟ ଉପରେ ଏତେ ଗୁରୁତ୍ୱ! ରହିଛି କି କିଛି ଭିତିରି ଉଦ୍ଦେଶ୍ୟ? ରାଜ୍ୟ କ୍ୟାବିନେଟ ୨୦୨୧ ଫେବୃଆରୀ ୯ ତାରିଖରେ କୃଷି ଉତ୍ପାଦ ଓ ପ୍ରାଣୀଧନ ବିପଣନ (ଉତ୍ସାହ ଓ ସୁବିଧା) ଅଧ୍ୟାଦେଶକୁ ମଂଜୁର କରିବା ପରେ ଏଭଳି ସନ୍ଦେହ ହେବା ସ୍ୱାଭାବିକ। କେନ୍ଦ୍ର ସରକାରଙ୍କ ଏପରି ଏକ ଆଇନକୁ ନେଇ ତିନି ମାସ ଧରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଲାଗି ରହିଥିବାବେଳେ ଓଡ଼ିଶା ସରକାର ପୁଣି ଥରେ ଏଭଳି ଏକ ଅଧ୍ୟାଦେଶ ଜାରି କରିବାର ଜରୁରୀ ଆବଶ୍ୟକତା କାହିଁକି ଉପଲବ୍ଧ କଲେ ତାହା ନିଶ୍ଚୟ ତର୍ଜମା ସାପେକ୍ଷ।

୨୦୨୧ ଫେବୃଆରୀ ୯ ତାରିଖରେ ରାଜ୍ୟ କ୍ୟାବିନେଟ ଏହି ଅଧ୍ୟାଦେଶକୁ ମଂଜୁର କରିବା ପରେ ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନରେ ଏହାକୁ ବିଲ୍‌ ଆକାରରେ ଆଣିପାରନ୍ତି। ଅବଶ୍ୟ ଗତ ବର୍ଷକ ଭିତରେ ରାଜ୍ୟ ସରକାର ଆଉ ଦୁଇ ଥର ଏଭଳି ଅଧ୍ୟାଦେଶ ଜାରି କରିଥିଲେ। କିନ୍ତୁ ତାହାକୁ ବିଧାନସଭାରେ ଆଗତ କରାଯାଇ ନଥିଲା। ତେଣୁ ରାଜନୀତିକ ମହଲ ଧରି ନେଇଥିଲେ ଯେ କେନ୍ଦ୍ରର ଏପରି ଆଇନ ବିରୋଧରେ କୃଷକମାନେ ରାସ୍ତାକୁ ଓହ୍ଲାଇଥିବାରୁ ରଜ୍ୟ ସରକାର ରାଜନୀତିକ ଦୃଷ୍ଟିକୋଣରୁ ରାଜ୍ୟର କୃଷକମାନଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। କିନ୍ତୁ ଏହି ଅଧ୍ୟାଦେଶ ରାଜନୀତିକ ମହଲର ସେହି ଧାରଣା ଭୁଲ ଥିଲା ବୋଲି ପ୍ରମାଣିତ କରିଛି। ଏବେ ପୁଣି ଥରେ ସେହି ଅଧ୍ୟାଦେଶକୁ ସରକାର ଆଇନରେ ପରିଣତ କରିବାକୁ ପଦକ୍ଷେପ ନେଇପାରନ୍ତି। କାରଣ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କୌଣସି ଅଧ୍ୟାଦେଶ ଜାରି ହେବାର ୬ ମାସ ମଧ୍ୟରେ ଆଇନରେ ପରିଣତ ନହେଲେ ସ୍ୱତଃ ଅକାମି ହୋଇଯାଏ।

ନୂଆ ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ ଭିତରେ ଯେକୌଣସି ସ୍ଥାନରେ କୃଷିଜାତ ସାମଗ୍ରୀ ବିକ୍ରି କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ରହିବ ନାହିଁ। ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଆଉ ବିଜ୍ଞାପିତ ବଜାର ବୋଲି କିଛି ରହିବ ନାହିଁ। ସମଗ୍ର ରାଜ୍ୟ ଗୋଟିଏ କୃଷି ବଜାର ଭାବରେ ଗଣାଯିବ। ଚାଷୀମାନେ ନିଜ ଉତ୍ପାଦକୁ ରାଜ୍ୟର ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ। ସେଥିପାଇଁ ଗୋଟିଏ ବିପଣନ ଫି ଆଦାୟ ହେବ ଓ ରାଜ୍ୟ ସରକାର ଗୋଟିଏ ବିପଣନ ଲାଇସେନ୍ସ ଦିଆଯିବ। ସେହପରି ଏହି ଅଧ୍ୟାଦେଶ ଅନୁସାରେ ରାଜ୍ୟରେ ଘରୋଇ ମଣ୍ଡି ବା କୃଷିଜାତ ଦ୍ରବ୍ୟର କିଣାବିକା କେନ୍ଦ୍ର ଓ ଖାଉଟି ଓ ଚାଷୀଙ୍କ ବଜାର ଆଦି ଖୋଲିବ। ଏହା ଫଳରେ ଚାଷୀମାନେ ପ୍ରତିଯୋଗିତାମୂଳକ ଦର ପାଇବେ ବୋଲି ରାଜ୍ୟ ସରକାର ଆଶା କରିଛନ୍ତି।

ରାଜ୍ୟ କ୍ୟାବିନେଟର ଏପରି ନିଷ୍ପତ୍ତି ପରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ କହିଥିଲେ ଯେ ପୂର୍ବର ଏଭଳି ଦୁଇଟି ଅଧ୍ୟାଦେଶ ପଛରେ କ୍ୟାବିନେଟ ମୋହର ନଥିଲା। ତେଣୁ ଏଥର କ୍ୟାବିନେଟର ମଂଜୁରୀ ନେଇ ଅଧ୍ୟାଦେଶ ଜାରି ହେବ ଓ ବିଧାନସଭାରେ ଆଗତ ହେବ। ଏହି ଅଧ୍ୟାଦେଶ ରାଜ୍ୟରେ ୧୯୫୭ ମସିହାରୁ ପ୍ରଚଳିତ ଓଡ଼ିଶା କୃଷି ଉତ୍ପାଦ ବିପଣନ ଆଇନ ୧୯୫୬ ବଦଳରେ କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ କୃଷକ ଉତ୍ପାଦ ବିପଣନ ଓ ବାଣିଜ୍ୟ ଆଇନରେ ଥିବା ବ୍ୟବସ୍ଥା ପରି ରାଜ୍ୟ ସରକାରଙ୍କ ଅଧ୍ୟାଦେଶରେ ସମାନ ପ୍ରକାର ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଅବ୍ୟାହତ ରହିଥିବାବେଳେ ରାଜ୍ୟ ସରକାର ପୁଣି କାହିଁକି ଏପରି ଅଧ୍ୟାଦେଶ ଜାରି କଲେ ତାହା ନିଶ୍ଚୟ ଅବୋଧ୍ୟ। ବିଶେଷକରି କେନ୍ଦ୍ର ସରକାରଙ୍କ ଚାଷୀ ଆଇନ ନେଇ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ବିଭ୍ରାନ୍ତିକର ଆଭିମୁଖ୍ୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ଅବୁଝା ଓ ଅସ୍ପଷ୍ଟ କରିଦେଉଛି।

କେନ୍ଦ୍ର ସରକାର ତିନିଟି କୃଷି ଆଇନ ପ୍ରଣୟନ କରିବା ପୂର୍ବରୁ ଯେଉଁ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ ସେଥିରେ ଅନ୍ୟତମ ସଦସ୍ୟ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି କମିଟି ଏହି ତିନିଟି ଆଇନର ଆବଶ୍ୟକତା ଅନୁଭବ କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଏହି ସୁପାରିଶ ଆଧାରରେ କେନ୍ଦ୍ର ସରକାର କରୋନା ଲକ୍‌ଡାଉନ୍‌ ଅବଧି ଭିତରେ ଏ ସଂପର୍କରେ ତିନିଟି ଅଧ୍ୟାଦେଶ ଜାରି କରିଥିଲେ। ରାଜ୍ୟ ସରକାର ମଧ୍ୟ ସେହିପରି ଅଧ୍ୟାଦେଶ ଜାରି କରିଥିଲେ। ପରେ ଯେତେବେଳେ କେନ୍ଦ୍ର ସରକାର ସଂସଦରେ ଏହି ବିଲ୍‌ଗୁଡ଼ିକୁ ଆଗତ କଲେ ସେତେବେଳେ ଲୋକସଭାରେ ବିଜୁ ଜନତା ଦଳର ସାଂସଦମାନେ ଏହା ସପକ୍ଷରେ ମତ ଦେଇଥିଲେ। ମାତ୍ର ରାଜ୍ୟ ସଭାରେ ଏହାକୁ ବିରୋଧ କରିଥିଲେ। ପରେ ଯେତେବେଳେ ଏହି ତିନି ଆଇନ ବିରୋଧରେ ଅକାଳୀ ଦଳ, କଂଗ୍ରେସ ଓ ଅନ୍ୟ କେତେକ ଦଳ ମତ ପ୍ରକାଶ କଲେ ଓ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଲା ସେହି ସମୟରେ ବିଧାନସଭା ଅଧିବେଶନ ବସିଥିଲେ ମଧ୍ୟ ରାଜ୍ୟ ସରକାର ରାଜ୍ୟର ଅଧ୍ୟାଦେଶକୁ ବିଲ୍‌ ଆକାରରେ ଆଗତ କଲେ ନାହିଁ। ଅଧିକନ୍ତୁ ଚାଷୀମାନଙ୍କ ଭାରତ ବନ୍ଦ ଡାକରାକୁ ରାଜ୍ୟ ସରକାର ପରୋକ୍ଷରେ ସମର୍ଥନ କଲେ। ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାର ରକ୍ଷଣାତ୍ମକ ସ୍ଥିତିର ସମ୍ମୁଖୀନ ହେବା ପରେ ବିଜେଡି ସାଂସଦ ପିନାକୀ ମିଶ୍ର ଏନଡିଟିଭିକୁ କହିଲେ ଯେ ସାଂପ୍ରତିକ ପରିସ୍ଥିତି ଦୃଷ୍ଟିରୁ ସରକାର ଆଇନ ପ୍ରତ୍ୟାହାର କରି ପରେ ବିଭିନ୍ନ ପକ୍ଷ ସହିତ ଆଲୋଚନା କରି ନୂଆ ଆଇନ ପ୍ରଣୟନ କରନ୍ତୁ। ଏ ସଂପର୍କୀତ ବିଲ୍‌କୁ ଅଧିକ ତର୍ଜମା ପାଇଁ ସିଲେକ୍ଟ କମିଟିକୁ ପଠାଇବା ସପକ୍ଷରେ ବିଜେଡି ମତ ଦେଇଥିଲେ ବୋଲି ସେ କହିଥିଲେ। ମାତ୍ର ତାଙ୍କର ଏହି ବକ୍ତବ୍ୟ ଭିଡ଼ିଓ ଜାରି ହେବାର କେଇ ଘଣ୍ଟା ଭିତରେ ପିନାକୀ ଟୁଇଟ୍‌ କରି ନିଜର ମତ ବଦଳାଇଥିଲେ ଓ ତାଙ୍କ ଦଳ କୃଷି ଆଇନ ପ୍ରତ୍ୟାହାର ସପକ୍ଷରେ ନୁହେଁ ବୋଲି ମତ ଦେଇଥିଲେ।

ଚାଷ ଆଇନ ନେଇ ଏଭଳି ଏକ ଗୋଳମାଳିଆ ଓ ବିଭ୍ରାନ୍ତିକର ଆଭିମୁଖ୍ୟ ପୋଷଣ କରିଥିବା ବିଜୁ ଜନତା ଦଳର ରାଜ୍ୟ ସରକାର ଏବେ ଯେଉଁ ଅଧ୍ୟାଦେଶ ମଂଜୁର କରିଛନ୍ତି ସେଥିରେ ଘରୋଇ ମଣ୍ଡିର ବ୍ୟବସ୍ଥା ଥିବାରୁ ଭବିଷ୍ୟତରେ ଏହି ଅଧ୍ୟାଦେଶ ବା ଏହା ଆଇନରେ ପରିଣତ ହେଲେ ତାହାର ସୁଯୋଗ ନେଇ ରାଜ୍ୟ ଭିତରେ ବଡ଼ ବଡ଼ ବେପାରୀମାନେ ଘରୋଇ ମଣ୍ଡି ପ୍ରତିଷ୍ଠା କରିପାରିବେ। ସେପରି ହେଲେ ବର୍ତ୍ତମାନ ରାଜ୍ୟରେ ରହିଥିବା ଧାନ ମିଲ୍‌ଗୁଡ଼ିକ ଧାନ ସଂଗ୍ରହ ମଣ୍ଡିରେ ପରିଣତ ହୋଇପାରେ। କିମ୍ବା ଖୁଚୁରା ବ୍ୟବସାୟ ଆରମ୍ଭ କରିଥିବା ବଡ଼ ବଡ଼ କମ୍ପାନୀମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ଘରୋଇ ମଣ୍ଡ ଖୋଲି ପାରନ୍ତି। ଏବେ ଯେଉଁ ଚାଷୀମାନେ କେନ୍ଦ୍ର ଆଇନକୁ ବିରୋଧ କରୁଛନ୍ତି ସେମାନଙ୍କର ଗୋଟିଏ ଯୁକ୍ତି ହେଉଛି କେନ୍ଦ୍ର ସରକାର ନୂଆ ଆଇନରେ ଘରୋଇ ମଣ୍ଡି ପାଇଁ ବାଟ ଛାଡ଼ିଛନ୍ତି। ଏହି ଆଇନ ପ୍ରଣୟନ ପୂର୍ବରୁ ଦେଶର ଗୋଟିଏ କମ୍ପାନୀ ସମଗ୍ର ଦେଶରେ ଶତାଧିକ ଗୋଦାମ ପ୍ରତିଷ୍ଠା କରିଛି। ତାହା ମଣ୍ଡିର କାମ କରିପାରେ। ଓଡ଼ିଶାରେ ସେଭଳି ହେଲେ କୃଷିକ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ହେଉ ବା ନହେଉ କୃଷିଜାତ ଦ୍ରବ୍ୟର ବିପଣନ କ୍ଷେତ୍ରରେ ନିଶ୍ଚୟ ଅଧିକ ଘରୋଇ ପୁଞ୍ଜି ନିବେଶର ସମ୍ଭାବନା ରହିଛି। ସେଥିରୁ କୃଷକମାନ ଲାଭବାନ ହେବେ କି ଘରୋଇ ବ୍ୟବସାୟୀ ଫାଇଦା ନେବେ ତାହା ଚାଷୀମାନ ଆକଳନ କରିପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।