ଚତୁର୍ଥ ଆସନକୁ କେମତି ହାତେଇବ ବିଜେଡି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟସଭା ଚତୁର୍ଥ ଆସନ ଗଣିତକୁ ନେଇ ଚର୍ଚ୍ଚା। ସଂଖ୍ୟା ନଥାଇ ବି ସମସ୍ତ ଚାରିଟି ଆସନରେ ପ୍ରାର୍ଥୀ ଦେଇଥିବା ବିଜେଡି ସବୁ ଆସନରେ ଜିତିବାର ଦମ୍ଭୋକ୍ତି କରୁଛି । ହେଲେ ପ୍ରଶ୍ନ ଉଠୁଛି, କେମିତି? ଘୋଡ଼ା ବେପାର ନା କଂଗ୍ରେସର ଭରସା ? ଏହାରି ଭିତରେ ପିସିସି ସଭାପତିଙ୍କ ଇଙ୍ଗିତ ବି ବିଜେଡିକୁ ଅଧିକ ଦମ୍ଭ ଦେଇଛି। ତେବେ ସବୁଠୁ ବଡ଼ କଥା ହେଲା, ବିଜେପି ଲଢିବ କି ଛାଡ଼ିବ ତାହା ଏଯାଏଁ ସ୍ପଷ୍ଟ କରି […]

bvc

Tapas Behera
  • Published: Sunday, 08 March 2020
  • , Updated: 08 March 2020, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟସଭା ଚତୁର୍ଥ ଆସନ ଗଣିତକୁ ନେଇ ଚର୍ଚ୍ଚା। ସଂଖ୍ୟା ନଥାଇ ବି ସମସ୍ତ ଚାରିଟି ଆସନରେ ପ୍ରାର୍ଥୀ ଦେଇଥିବା ବିଜେଡି ସବୁ ଆସନରେ ଜିତିବାର ଦମ୍ଭୋକ୍ତି କରୁଛି । ହେଲେ ପ୍ରଶ୍ନ ଉଠୁଛି, କେମିତି? ଘୋଡ଼ା ବେପାର ନା କଂଗ୍ରେସର ଭରସା ? ଏହାରି ଭିତରେ ପିସିସି ସଭାପତିଙ୍କ ଇଙ୍ଗିତ ବି ବିଜେଡିକୁ ଅଧିକ ଦମ୍ଭ ଦେଇଛି।

ତେବେ ସବୁଠୁ ବଡ଼ କଥା ହେଲା, ବିଜେପି ଲଢିବ କି ଛାଡ଼ିବ ତାହା ଏଯାଏଁ ସ୍ପଷ୍ଟ କରି ନଥିବାରୁ ଚତୁର୍ଥ ଆସନକୁ ନେଇ ସ୍ଥିତି ରୋଚକ ରହିଛି। ଚତୁର୍ଥ ଆସନ ପାଇଁ ଆବଶ୍ୟକ ସଂଖ୍ୟା ନଥାଇ ୪ଟି ଯାକ ଆସନରେ କେମିତି ଜିତିବ ବିଜେଡି? ମମତା ମହାନ୍ତଙ୍କ ପାଇଁ ଦଳ କେଉଁଠି ଯୋଗାଡ଼ କରିବ ସଂଖ୍ୟା? କାରଣ ବର୍ତ୍ତମାନ ସ୍ଥିତିରେ ଯଦି ସମସ୍ତ ୧୪୭ ବିଧାୟକଙ୍କୁ ନେଇ ଭୋଟ୍ ହୁଏ ତାହେଲେ ୩ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଭୋଟ୍‌ରେ ଜିତାଇବା ପରେ ବିଜେଡି ପାଖରେ ରହୁଛି ଆଉ ମାତ୍ର ୨୩ ବିଧାୟକଙ୍କ ସମର୍ଥନ । ସମାନ ସଂଖ୍ୟା ବିଜେପିର। ତେଣୁ ଜିତିବା ପାଇଁ ଦରକାର ହେଉଥିବା ୩୦ ସଂଖ୍ୟା ସ୍ଥିତିରେ ଉଭୟଙ୍କୁ ଆବଶ୍ୟକ ଆଉ ୭ ବିଧାୟକଙ୍କ ସମର୍ଥନ। ଏଭଳି ସ୍ଥିତିରେ ୯ ବିଧାୟକ ଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଯଦି କଂଗ୍ରେସ ଅନୁପସ୍ଥିତ ରୁହେ, ଚତୁର୍ଥ ସିଟ୍‌କୁ ମଧ୍ୟ ଆରାମରେ ହାତେଇ ନେବ ବିଜେଡି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଂଖ୍ୟା ନଥିବାରୁ ବିଧାୟକ କାହାକୁ ଭୋଟ୍ ଦେବେ ବୋଲି ପ୍ରଶ୍ନ କରିଛନ୍ତି। ଏପଟେ ବିଜେଡି ବି କହିଛି ଚାରି ଆସନରେ ଜିତିବା ପାଇଁ ହିଁ ଦଳ ପ୍ରାର୍ଥୀ ଦେଇଛି । ଏଭଳି ସ୍ଥିତିରେ କଂଗ୍ରେସ ଭରସାରେ ହିଁ ବିଜେଡି ପ୍ରାର୍ଥୀ ଦେଇଥିବା ରାଜନୈତିକ ବିଶାରଦଙ୍କ ମତ।

ଏପଟେ ଚତୁର୍ଥ ଆସନରେ ବିଜେପି ଲଢିବ କି ଛାଡ଼ିବ ତାକୁ ନେଇ ବି ଚର୍ଚ୍ଚା । କାରଣ ଯଦି ଲଢ଼ିବ, ମୈଦାନ୍‌ରେ କାହାକୁ ଓହ୍ଲାଇବ, ନିଜର ୨୩ ବିଧାୟକ ଥିବା ବେଳେ ବାକି ୭ ସମର୍ଥନ କେଉଁଠୁ ଯୋଗାଡ଼ କରିବ ତାହା ବି ବଡ଼ ପ୍ରଶ୍ନ। ହେଲେ ବିଜେଡି ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟା ପରେ ମଧ୍ୟ କେବଳ ପାର୍ଲାମେଣ୍ଟାରୀ ବୋର୍ଡ ଉପରେ ନିଷ୍ପତ୍ତିକୁ ଛାଡ଼ି ଦେଇ ରଣନୀତିକୁ ନେଇ ଚୁପ୍ ବିଜେପିର ରାଜ୍ୟନେତା। ଅପରପକ୍ଷେ ଯଦି ବିଜେପି-ବିଜେଡି ଲଢ଼େଇ ହୁଏ ତାହେଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।

Related story