ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ଐତିହ୍ୟ ଅଧିନିୟମ କାର୍ଯ୍ୟକାରୀ ହେବ ତ?

ଦେବେନ୍ଦ୍ର ପୃଷ୍ଟି

ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଓ କେନ୍ଦ୍ର କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ମିଳିତ ବିରୋଧ ଯୋଗୁଁ ପୁରୀ ଶ୍ରୀମନ୍ଦିର ପାଇଁ ଜାରି ହୋଇଥିବା ପ୍ରସ୍ତାବିତ ଐତିହ୍ୟ ଅଧିନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ତେବେ ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ଦ ବାସୁଦେବ ମନ୍ଦିର ପାଇଁ ଜାରି ହୋଇଥିବା ସମାନ ପ୍ରକାରର ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହୃତ ହୋଇନାହିଁ। ପୁରୀ ଅଧିନିୟମ ପ୍ରତ୍ୟାହୃତ ହେବା ପରେ ଏ ଦୁଇ ମନ୍ଦିର ପାଇଁ ଜାରି ଅଧିନିୟମକୁ କାହିଁକି କେହି ବିରୋଧ କରୁ ନାହାନ୍ତି ସେନେଇ ଆଗ୍ରହ ପ୍ରକାଶ ପାଇବା ସ୍ୱାଭାବିକ। ଯଦି ଶ୍ରୀମନ୍ଦିର ଅଧିନିୟମ ଶ୍ରୀମନ୍ଦିର ବା ପୁରୀ ବିକାଶରେ ପ୍ରତିବନ୍ଧକ ଥିଲା ସେହି ମାପଦଣ୍ଡରେ ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଜାରି ଅଧିନିୟମ ଏ ଦୁଇ ସ୍ଥାନର ବିକାଶ ପାଇଁ କିପରି ଅନୁକୂଳ ତାହା ବୁଝି ହେଉନାହିଁ।

ଶ୍ରୀମନ୍ଦିର ପାଇଁ ଜାରି ପ୍ରସ୍ତାବିତ ଅଧିନିୟମରେ କୁହାଯାଇଥିଲା ଯେ ଶ୍ରୀମନ୍ଦିରର ୩୦୦ ମିଟର ଚତୁର୍ପାଶ୍ୱରେ ୧୯୯୨ ଜୁନ ୧୬ ତାରିଖ ପୂର୍ବରୁ ନିର୍ମିତ କିମ୍ବା ପରେ ନିର୍ମିତ ତଥା ପ୍ରତ୍ନତତ୍ତ୍ୱ ବିଭାଗ ଅନୁମୋଦିତ ନିର୍ମାଣର ମରାମତି, ପୁନଃନିର୍ମାଣ ଆଦି କାର୍ଯ୍ୟ ପାଇଁ ଏହି ବିଭାଗର ଅନୁମୋଦନ ଆବଶ୍ୟକ। କୌଣସି ଐତିହ୍ୟ ସ୍ଥଳର ସୁରକ୍ଷା ପାଇଁ ଏଭଳି କଟକଣା ଅଯଥା କି? ଯଦି କଟକଣା ନରହେ ତେବେ ସଂପୃକ୍ତ ଐତିହ୍ୟ ସ୍ଥଳ ସୁରକ୍ଷିତ ରହିବ କି? ଏଭଳି କଟକଣାକୁ କେହି ମାନୁ ନଥିବାରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଐତିହ୍ୟ ସ୍ଥଳ ଶିଶୁପାଳ ଗଡ଼ର ଅବସ୍ଥା ଆଜି କ’ଣ ତାହା ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ବା ଏହି ଦୁଇ ସରକାରର ପରିଚାଳନା ଦାୟିତ୍ୱରେ ଥିବା ଦୁଇଟି ଦଳର ନେତାମାନେ ହେଜିଛନ୍ତି କି? ଏଭଳି କଟକଣା ଏହି ଅଧିନିୟମରେ ନୂଆ କରି ଯୋଡ଼ାଯାଇଛି ନା ପୂର୍ବରୁ ଏ ସଂପର୍କୀତ ଆଇନରେ ମଧ୍ୟ ଏଭଳି କଟକଣା ରହିଛି?ଐ ତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ନା ବ୍ୟାବସାୟିକ ଅଟ୍ଟାଳିକା ନିର୍ମାଣ? ଐତିହ୍ୟ ସ୍ଥଳର ସୁରକ୍ଷା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଦାୟିତ୍ୱ ରହିଛି ନା ନାହିଁ?

ଶ୍ରୀମନ୍ଦିର ଅଧିନିୟମ ପ୍ରତ୍ୟାହୃତ ହେବା ପରେ ଏପରି ଅନେକ ପ୍ରଶ୍ନର ଉତ୍ତର ଉଭୟ ସରକାରଙ୍କ ତରଫରୁ ଆଶା କରାଯାଇପାରେ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟ ମନ୍ଦିର, ରତ୍ନଗିରି, ଉଦୟଗିରି, ଲଳିତଗିରି, ଶିଶୁପାଳଗଡ଼, ଧଉଳିଗିରି, ଖଣ୍ଡଗିରି ଆଦି ବହୁ ଐତିହ୍ୟ ସ୍ଥଳ ରହିଛି। ଏଗୁଡ଼ିକ ହେଉଛି ଏ ଜାତିର ଗର୍ବ ଓ ଗୌରବର ସ୍ମାରକୀ। ଏ ଜାତିର ଅପାରଗତା ଓ ଉଦାସୀନତା କାରଣରୁ ହେଉ କିମ୍ବା ରାଜ୍ୟ ସରକାରଙ୍କ ଦୁର୍ନୀତିମୂଳକ ଅଭିସନ୍ଧି କାରଣରୁ ହେଉ ରାଜ୍ୟର ପ୍ରାୟ ସମସ୍ତ ଐତିହ୍ୟ ସ୍ଥଳ ଏବେ ଜରାଜୀର୍ଣ୍ଣ ଓ ଅସୁରକ୍ଷିତ। ଅନେକ ଐତିହ୍ୟ ସ୍ଥଳ ନିକଟରେ ବଢ଼ି ବଢ଼ି ଚାଲିଛି ବେଆଇନ ନିର୍ମାଣ। ଶିଶୁପାଳ ଗଡ଼ ପରି ବହୁ ଐତିହ୍ୟ ସ୍ଥଳ ଏବେ ଜବରଦଖଲକାରୀଙ୍କ କବଳରେ। ସନ୍ନିକଟ ଜନବସତି ଓ ବ୍ୟାବସାୟିକ ଅନୁଷ୍ଠାନ ଯୋଗୁଁ ଅଧିକାଂଶ ଐତିହ୍ୟସ୍ଥଳ ଅଳିଆ ଆବର୍ଜନାରେ ଭରପୂର। ନାନାଦି ନିର୍ମାଣ ଯୋଗୁଁ ଐତିହ୍ୟ ସ୍ଥଳଗୁଡ଼ିକ ପ୍ରତି ବିପଦ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଉପରେ ଚିନ୍ତା ନକରି, ଏ ସମସ୍ୟାର ସମାଧାନ ବାହାର ନକରି ଉଭୟ କେନ୍ଦ୍ର ଓ ରାଜ୍ୟର ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ‘ବିକାଶର ବୁଲ୍‌ଡୋଜର’ ଚଳେଇ ଏଗୁଡ଼ିକୁ ସବୁଦିନ ପାଇଁ ଧ୍ୱଂସ କରିବା କେତେ ଦୂର ଯଥାର୍ଥ?

ଭୁବେନଶ୍ୱର ବିମାନ ବନ୍ଦର ନିକଟରେ କେତେ ଉଚ୍ଚର ଘର ତିଆରି କରିହେବ ସେଥିପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ପଡ଼ୁଛି। ସେଥିପାଇଁ ଅନେକ ‘ବିକାଶ’ ପ୍ରକଳ୍ପର ନିର୍ମାଣ ବିଳମ୍ବିତ ହେଉଛି ମଧ୍ୟ। ଯଦି ବିମାନ ବନ୍ଦର ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ଏପରି ଅନୁମତି ଆବଶ୍ୟକ ପଡ଼ୁଛି ତେବେ ଐତିହ୍ୟ ସ୍ଥଳ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ଏଭଳି କଟକଣା ଅଗ୍ରହଣୀୟ କାହିଁକି? କଟକଣା ନରହିଲେ, ମନେ କରନ୍ତୁ କାଲି ସକାଳେ ଶ୍ରୀମନ୍ଦିର ଚାରିପଟେ ତା’ଠାରୁ ଉଚ୍ଚା କୋଠା ନିର୍ମାଣ ହେବ, ତାହାକୁ ଶ୍ରୀମନ୍ଦିର ସେବାୟତ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅନୁମତି ଦେବେ ତ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପ୍ରଭୁଙ୍କ କାମରେ କେହି ବାଧା ଦେଇପାରିବେ ନାହିଁ। ଶ୍ରୀମନ୍ଦିର ଚାରି ପଟେ ରାଜ୍ୟ ସରକାର ଯାହା କରୁଛନ୍ତି ବା କରିବାକୁ ଯାଉଛନ୍ତି ତାହା ପ୍ରକୃତରେ ପ୍ରଭୁଙ୍କ କାମ ନା ମଣିଷର? କଟକଣାକୁ ପ୍ରଭୁ ବିରୋଧ କରିଥିଲେ ନା ମଣିଷ? ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ବା ଏନଏମଏର ପ୍ରସ୍ତାବିତ ଐତିହ୍ୟ ଅଧିନିୟମକୁ ବିରୋଧ କରିବା ପାଇଁ ମହାପ୍ରଭୁ କ’ଣ କାହାକୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଥିଲେ, ଠିକ ଦାରୁ ଚୟନ ପରି?

ନା ଏ ମିଳିତ ବିରୋଧ ପଛରେ ରହିଛି କିଛି ଅନ୍ୟ ଉଦ୍ଦେଶ୍ୟ? ନହେଲେ ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମ ବିନା କିପରି ମୁଖ୍ୟମନ୍ତ୍ରୀ ଜଗନ୍ନାଥ ଦର୍ଶନରେ ବାହାରିଲେ ଓ ଠିକ ସେହି ଦିନ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲ ଓଡ଼ିଶାର ଦୁଇ ଦଳର ସାଂସଦ ଏବଂ ଏହାର ମାତ୍ର କେଇ ଘଣ୍ଟା ଭିତରେ ଅଧିନିୟମ ପ୍ରତ୍ୟାହୃତ ହେଲା? ନୂଆ ଅଧିନିୟମ କେବେ ଜାରି ହେବ? ସେହି ଅଧିନିୟମ ଐତିହ୍ୟ ଓ ସ୍ମାରକୀ କୀର୍ତ୍ତିରାଜିର ସୁରକ୍ଷା ପାଇଁ ହେବ ନା ‘ବିକାଶ’ ପାଇଁ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।