‘ବିଜେଡି’ ଉପରେ ଏନଡିଏ ଓ ୟୁପିଏର ନଜର : ରାଜ୍ୟ ବିଜେପିର ଅସ୍ତିତ୍ୱକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ଉଭୟ ୟୁପିଏ ଓ ଏନଡିଏ ଏବେଠୁ ‘ସହଯୋଗୀ’ ଖୋଜିବାରେ ବ୍ୟସ୍ତଥିବାବେଳେ ଏହା ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ‘ବିଜେଡି’ ପାଇଁ ସୋନେ ପେ ସୁହାଗା ସାବ୍ୟସ୍ତ ହୋଇଛି। ‘ଫୋନି’ ମୁକାବିଲା ଆଳରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଆଜି ତୃଣମୂଳ କଂଗ୍ରେସ ନେତ୍ରୀ […]

modi

modi

Manoranjan Sial
  • Published: Wednesday, 15 May 2019
  • Updated: 15 May 2019, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ଉଭୟ ୟୁପିଏ ଓ ଏନଡିଏ ଏବେଠୁ ‘ସହଯୋଗୀ’ ଖୋଜିବାରେ ବ୍ୟସ୍ତଥିବାବେଳେ ଏହା ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ‘ବିଜେଡି’ ପାଇଁ ସୋନେ ପେ ସୁହାଗା ସାବ୍ୟସ୍ତ ହୋଇଛି। ‘ଫୋନି’ ମୁକାବିଲା ଆଳରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଆଜି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିବା ଆଳରେ ନବୀନଙ୍କୁ ପ୍ରଶଂସା କରି ‘ବିଜେଡି’ର ନିକଟତର ହେବାକୁ ଉଦ୍ୟମ କରୁଥିବାବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଜେଡି ସମେତ କିଛି ଅଣୟୁପିଏ ଓ ଅଣଏନଡିଏ ଦଳକୁ ପରବର୍ତ୍ତୀ ରାଜନୀତିକ ପରିସ୍ଥିତି ଉପରେ ଆଲୋଚନା ପାଇଁ ଡାକିବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।

ବିଜେଡିର ନିକଟତର ହେବାକୁ ବିଜେପି ଜାତୀୟ ନେତୃତ୍ୱଙ୍କ ଏଭଳି ପ୍ରୟାସ ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କଂଗ୍ରେସ ଯେଉଁ ଭୁଲ୍ କରୁଥିଲା ଏବେ ବିଜେପି ସେହି ମାର୍ଗରେ ଯାଇ ନିଜ ଗୋଡ଼ରେ କୁରାଢ଼ୀ ମାରିବାକୁ ଯାଉଥିବା ରାଜନୀତିକ ମହଲରେ ଚର୍ଚ୍ଚା। ରାଜନୀତିକ ବିଶ୍ଲେଷକଙ୍କ ମତରେ, ‘ଫୋନି’ ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ହେଉ ଅବା ବିଜେପି ଅଧ୍ୟକ୍ଷ ଅମିତ୍ ଶାହ କଥାଛଳରେ ଉଦାହରଣ ଦେବାକୁ ଯାଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା କେବଳ ସଂଯୋଗବଶତଃ ବୋଲି କୁହାଯାଇନପାରେ । ବିଜେପି ଜାତୀୟ ନେତୃତ୍ୱ କେନ୍ଦ୍ରରେ କ୍ଷମତାସୀନ ହେବା ପାଇଁ ଆବଶ୍ୟକ ରଣନୀତି ଆଧାରରେ ଏବେ ନବୀନଙ୍କ ‘ବିଜେଡି’ର ସମର୍ଥନ ହାସଲ କରିବା ପାଇଁ ଗୋଟିଚାଳନା କରିଛି ।

ନିଜସ୍ୱ ଦମରେ ୨୦୧୪ ସାଧାରଣ ନିର୍ବାଚନ ଭଳି ଚଳିତଥର ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବାର ସମ୍ଭାବନା କ୍ଷୀଣ ଥିବା ଦଳର ଶୀର୍ଷ ନେତୃତ୍ୱ ଅନୁଭବ କରି ବିଜେଡି ଭଳି କିଛି ଅଣୟୁପିଏ ଓ ଅଣଏନଡିଏ ଦଳର ସମର୍ଥନ ହାସଲ କରିବାକୁ ଚାହୁଁଛି । ବିଜେଡି ସମେତ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ୱାଇଏସଆର କଂଗ୍ରେସ ସହ ଏବେ ବିଜେପି ଶୀର୍ଷ ନେତୃତ୍ୱ ଯୋଗାଯୋଗରେ ରହିଛନ୍ତି। ଏହା ମଧ୍ୟ ବିଜେପି ପାଇଁ ଏବେ ବାଧ୍ୟବାଧକତା ହୋଇଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମଧ୍ୟ ପଛରେ ରହିନି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ବି ବିଜେଡିକୁ ମେ’ ୨୩ତାରିଖ ବୈଠକକୁ ଆମନ୍ତ୍ରଣ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜେଡି କେତୋଟି ଲୋକସଭା ଆସନ ଜିଣିବ ତାହା ସ୍ପଷ୍ଟ ନଥିଲେ ମଧ୍ୟ ବିଜେଡିର ନିକଟତର ହେବାକୁ ଉଭୟ ଏନଡିଏ ଓ ୟୁପିଏର ପ୍ରୟାସ ଏବେ ନବୀନଙ୍କୁ ‘ମୂଲଚାଲ୍’ ରଣନୀତି ଆପଣାଇବାର ସୁଯୋଗ ଆଣିଦେଇଛି।

ଚଳିତଥର କେନ୍ଦ୍ରରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ ଓ ସରକାର ଗଠନରେ ‘ବିଜେଡି’ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ନିର୍ବାଚନ ସଭାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବାରମ୍ବାର ଦୋହରାଇବା ସହ ଓଡ଼ିଶାର ସ୍ୱାର୍ଥ ପାଇଁ ତାଙ୍କ ଦଳ ଉଭୟ ୟୁପିଏ ଓ ଏନଡିଏକୁ ସମର୍ଥନ କରିବାର ଖୋଲା ଅଫର ଦେଇସାରିଛନ୍ତି। ଯାହାର ଫଳସ୍ୱରୂପ ‘ବିଜେଡି’ର ସମର୍ଥନ ପାଇଁ ଉଭୟ ଏନଡିଏ ଓ ୟୁପିଏ ଉଦ୍ୟମ ଆରମ୍ଭ କରିଛନ୍ତି। ସମଗ୍ର ନିର୍ବାଚନରେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ପ୍ରସଙ୍ଗକୁ ନେଇ ଚୁପ୍ ରହିଥିବା ଏନଡିଏର ଅଂଶୀଦାର ଜେଡିୟୁ ଅଚାନକ ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିବା ସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ବିଜେଡିର ଦାବିକୁ ମଧ୍ୟ ସମର୍ଥନ ଜଣାଇଛି।

ଉଭୟ ଜେଡିୟୁ ଓ ବିଜେଡି ପୂର୍ବରୁ ଏନଡିଏର ଅଂଶୀଦାର ଥିବାରୁ ଜେଡିୟୁର ଏଭଳି ଖୋଲା ସମର୍ଥନ ବି ଏକ ରାଜନୀତିକ ଚାଲ୍ର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି। ଏହି ସମସ୍ତ ଘଟଣାକ୍ରମ ଏବେ ଜାତୀୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ବିଜେଡିକୁ ‘ମୂଲଚାଲ୍’ କରିବା ନିମନ୍ତେ ପ୍ରୋତ୍ସାହିତ କରିଛି। ବିଜେଡି ମଧ୍ୟ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଯେକୌଣସି ସ୍ତରକୁ ଯିବାର ସମ୍ଭାବନାକୁ ଅଣଦେଖା କରାଯାଇ ନପାରେ। ଅବଶ୍ୟ ଏହା ସତ୍ୟ ଯେ, କେନ୍ଦ୍ରରେ ଯିଏବି ସରକାର ଗଠନ କରିବ ବିଜେଡି ତାକୁ ସମର୍ଥନ ଅଜାଡ଼ି ଦେବ। ବିଭିନ୍ନ ଦୁର୍ନୀତିର ସିବିଆଇ ତଦନ୍ତ ଓ ନିଜସ୍ୱ ରାଜନୀତିକ ଫାଇଦା ପାଇଁ ଏହା କରିବା ବିଜେଡିର ବାଧ୍ୟବାଧକତା ମଧ୍ୟ।

ତେବେ ମୋଦି-ଶାହ ଯୋଡ଼ି ଓଡ଼ିଶା ଆସି ନିର୍ବାଚନବେଳେ ନବୀନ ଓ ବିଜେଡି ପ୍ରତି ଯେଉଁ ଶାଣିତ ଟିପ୍ପଣୀ ଦେଉଥିଲେ ତାହା ପରିବର୍ତ୍ତିତ ପରିସ୍ଥିତିରେ ଅର୍ଥହୀନ ପାଲଟିଛି। ବିଜେପି କ୍ଷମତାକୁ ଆସିଲେ ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ୯୦ଦିନ ମଧ୍ୟରେ ଜେଲରେ ପୁରାଇବା ଓ ବିଜେଡିର ହିଂସାକାଣ୍ଡର ଶିକାର ହୋଇ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କୁ ନ୍ୟାୟ ଦିଆଯିବ ବୋଲି ଉଭୟ ମୋଦି-ଶାହ ଯୋଡ଼ି ରାଜ୍ୟରେ ବିଜେପି କର୍ମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ବିଜେଡି ସହ ରୋମାନ୍ସ ପାଇଁ ବିଜେପି ଶୀର୍ଷ ନେତୃତ୍ୱ ଯେଉଁଭଳି ଢଙ୍ଗରେ ଗୋଡ଼ ଟେକି ବସିଛନ୍ତି ତାହା ରାଜ୍ୟରେ ବିଜେପି କର୍ମୀଙ୍କ ମନୋବଳକୁ ହ୍ରାସ କରିବାରେ ଲାଗିଲାଣି । ତା’ଛଡ଼ାରେ ପଞ୍ଚାୟତ ନିର୍ବାଚନପରଠୁ କଂଗ୍ରେସକୁ ପଛରେ ପକାଇ ବିଜେପି ଯେଭଳି ବିଜେଡିକୁ ମୁହଁତୋଡ ଜବାବ ଦେଉଥିଲା ଓ ବିଜେଡି ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର କଡ଼ା ଟକ୍କରର ସମ୍ମୁଖୀନ ହେଲା ସେଭଳି ସ୍ଥିତି ବି ଭବିଷ୍ୟତରେ ରହିବାର ସମ୍ଭାବନା କ୍ଷୀଣ।

ଜାତୀୟ ରାଜନୀତିରେ ତିଷ୍ଠି ରହିବା ପାଇଁ କଂଗ୍ରେସ ଶୀର୍ଷ ନେତୃତ୍ୱ ଯେଭଳି ବିଜେଡି ତୁଷ୍ଟୀକରଣ ନୀତିରେ ରହି ରାଜ୍ୟରେ ନିଜର ସଂଗଠନର ଅସ୍ତିତ୍ୱହରା କରିଥିଲେ ଏବେ ବିଜେପି ଶୀର୍ଷ ନେତୃତ୍ୱ ସେହି ନୀତି ଆପଣାଇ ରାଜ୍ୟ ବିଜେପି ସଂଗଠନକୁ ତଳିତଳାନ୍ତ କରିବାର ଆଶଙ୍କା ରହିଛି। ଆଉ ଏପଟେ ‘ସୁବିଧାବାଦୀ ରାଜନୀତି କାର୍ଡ ’ଖେଳି ଦୀର୍ଘ ଦୁଇଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟ ଆଗାମୀ ୫ବର୍ଷ ଶାସନକୁ ସୁରୁଖୁରୁରେ ଚଳାଇ ନେବା ପାଇଁ ‘ମଳୁ ଖୋଜୁଥିଲା ଯାହା ବଇଦ ବତାଇଲା ସେୟା’ ନ୍ୟାୟରେ ରାଜନୀତିକ ହଟଚମଟ ଓ ଡ୍ରାମାବାଜି ନିମନ୍ତେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos