ଗଛରେ ଝୁଲିଛି ମହିଳାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା!

୧୬ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଆଜି ମିଳିଲା ଝୁଲନ୍ତା ମୃତଦେହ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ୧୬ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ସୀତା। ସବୁ ବାଦବିବାଦକୁ ଖାତିର ନକରି ସାତ ଜନମର ସାଥୀ କରିବା ପାଇଁ ରାଧାକାନ୍ତ ରଣାଙ୍କ ସହିତ ଚାଲି ଆସିଥିଲେ। ସଂସାର ବି ଗଢ଼ିଥିଲେ। ୧୪ ବର୍ଷର ଝିଅକୁ ନେଇ କେତେ ସପନ ଦେଖିଥିବା ବେଳେ ବେଳେ ଆଜି ସକାଳେ ମିଳିଲା ସୀତାଙ୍କ ଝୁଲନ୍ତା ମୃତଦେହ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।

ଗତ ୧୬ ବର୍ଷ ତଳେ ରାହୁପଦର ଗାଁର ରାଧାକାନ୍ତ ରଣା ଓ ସୀତା ସାହୁ ପ୍ରେମ ବିବାହ କରିଥିଲେ। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ଦୁଇ ପରିବାର ସେମାନଙ୍କୁ ଗ୍ରହଣ କରିନଥିଲେ। ଘରୁ ବାହାର କରିଦେଇଥିଲେ। ତେଣୁ ଦୁହେଁ ଗାଁ ମୁଣ୍ଡରେ ଘର କରି ରହୁଥିଲେ। ବର୍ତ୍ତମାନ ସେମାନଙ୍କର ୧୪ ବର୍ଷର ଝିଅଟିଏ ମଧ୍ୟ ଅଛି। ଉଭୟଙ୍କ ବୈବାହିକ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। ରାଧାକାନ୍ତ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ବେଶ୍‌ ହସଖୁସିରେ କଟୁଥିଲା ପରିବାର।

ତେବେ ସୋମବାର ରାତିରେ ହଠାତ୍‌ କ’ଣ ହେଲା ସୀତା ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳେ ସୀତାଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ସୀତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଛି? ଯଦି ଆତ୍ମହତ୍ୟା କଲେ କଣ ପାଇଁ ? ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ସେପଟେ ସୀତାଙ୍କ ବାପ ଘର ଲୋକ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସୀତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଝୁଲାଇ ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।