ବର୍ଷକର ନାତିକୁ ବିକିଦେଲା ଆଈ!

ବିନିକା (ଦିଲ୍ଲୀପ କୁମାର ସାହୁ): ସ୍ୱାମୀଙ୍କ ମୃତ୍ୟୁ ପରେ ବାପା-ମାଆଙ୍କ ପାଖକୁ ପଳାଇ ଯାଇଥିଲେ ଝିଅ। ହେଲେ ରକ୍ତର ସମ୍ପର୍କକୁ ତୁଚ୍ଛ କରି ଆଈ ତାଙ୍କ ନିଜର ବର୍ଷକର ନାତିକୁ ବିକି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରୁ ଆସିଛି। ଶିଶୁଟିର ମା’ର ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ସସ୍ମିତା କୁମ୍ଭାରଙ୍କ ସ୍ୱାମୀଙ୍କ ମୃତ୍ୟୁ ୪ ମାସ ତଳେ ହୋଇଯାଇଛି। ଏ ପରିସ୍ଥିତିରେ ଦୁଇ ପିଲାଙ୍କୁ ନେଇ ପରିବାର ଚଳାଇବା ସସ୍ମିତାଙ୍କ ପକ୍ଷେ କଷ୍ଟକର ହେଲା। ଏହି କଥା ଭାବି ସସ୍ମିତା ଶଯ୍ୟାଶାୟୀ ହୋଇଗଲେ। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସସ୍ମିତା ବାପା-ମାଆ ରହୁଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲିକୁ ଚାଲି ଯାଇଥିଲେ। ସେଠାରେ ରହଣି କାଳରେ ସସ୍ମିତାଙ୍କ ମାଆ ଜୟନ୍ତୀ ଜଗଦଲା ଓ ଜଣେ ସମ୍ପର୍କୀୟ ବଳାରଙ୍ଗା ଗାଁର ଦଶରଥ ସୁନା ବର୍ଷକର ଶିଶୁ ପୁତ୍ରକୁ ରାୟଗଡ଼ା ଜିଲ୍ଲାର ଜଣେ ମାରୱାଡ଼ି ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହୋଇଛି।

ଆଜି ଏନେଇ ସସ୍ମିତା ବିନିକା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଗାଁରେ ପହଞ୍ଚି ଜୟନ୍ତୀ ଜଗଦଲାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।