/odisha-reporter/media/post_attachments/uploads/2022/11/school-2-1.jpg)
school-2
କୋଣାର୍କ (ସଞ୍ଜୟ ପତି): “ଶ୍ରେଣୀରେ ବସି ପାଠପଢ଼ୁଛୁ ସତ, ହେଲେ ଡର ଲାଗୁଛି। ସଦାବେଳେ ଆଶଙ୍କା- ସ୍କୁଲ ଭୁଶୁଡ଼ି ଯିବନି ତ ?” ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଂଚାୟତ ଉଦୟକଣି ମା’ ବାଟୁଲେଇ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କଥା କହିଛନ୍ତି।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ନା ଏହି ସ୍କୁଲର ପୁରୁଣା କୋଠାର ଉନ୍ନତିକରଣ କରାଯାଉଛି, ନା ନୂଆ ସ୍କୁଲ କୋଠା ନିର୍ମାଣ ନିମନ୍ତେ ଦୃଷ୍ଟି ଦିଆଯାଉଛି। ପିଲାମାନଙ୍କୁ ଏବେ ଅସ୍ଥାୟୀ ଭାବେ ଏକ ବାତ୍ୟା ଆଶ୍ରୟସ୍ଥଳ କୋଠାରେ ପାଠ ପଢ଼ାଇବାର ବ୍ୟବସ୍ଥା ହୋଇଛି। ତେବେ ତାହା ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଏଠାରେ ବାଜିରେ ଲାଗିଛି ୭୦ ଛାତ୍ରଛାତ୍ରୀଙ୍କ ଜୀବନ।
ଶିଶୁଅ ପଂଚାୟତ ଅସ୍ତରଙ୍ଗ ବ୍ଲକର ଏକ ବିଛିନ୍ନାଂଚଳ ଭାବେ ପରିଚିତ। ଏହି ପଞ୍ଚାୟତରେ ସମୁଦ୍ରକୂଳରେ ଉଦୟକଣି, ଛେନୁ, ତଣ୍ଡାହର, କଳମକଣି ଓ କଟକଣା ଆଦି ୫ଟି ଗାଁ ରହିଛି। ଉଦୟକଣି ମା’ ବାଟୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟ ଏଠାର ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ିବାର ଏକମାତ୍ର ବିକଳ୍ପ। ଅଷ୍ଟମରୁ ଦଶମ ତିନୋଟି ଶ୍ରେଣୀର ୭୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପାଠପଢ଼ୁଛନ୍ତି। ବିପଦସଙ୍କୁଳ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି, ଯାହାର ପିଲର ଓ କାନ୍ଥ ଫାଟି ମେଲା ହୋଇଗଲାଣି।
ଏହି ଗାଁମାନଙ୍କ ଠାରୁ ୫ କିଲୋମିଟର ବ୍ୟବଧାନରେ ଆଉ କୌଣସି ଉଚ୍ଚ ବିଦ୍ୟାଳୟ ନାହିଁ। ସମୁଦ୍ର କୂଳରେ ଅବସ୍ଥିତ ଏହି ସ୍କୁଲର ପୁରୁଣା ଶ୍ରେଣୀଗୃହଗୁଡ଼ିକ ଭାଙ୍ଗୁରୁଜି ଯିବା ପରେ ଗାଁମୁଣ୍ଡରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଏବେ ବିଦ୍ୟାଳୟ ଚାଲୁଛି। ଏହି ବାତ୍ୟା ଆଶ୍ରୟସ୍ଥଳୀ କୋଠାର ମଧ୍ୟ ଅବସ୍ଥା ଭଲ ନାହିଁ। କୋଠାର ଅଧିକାଂଶ ପିଲାର ଭାଙ୍ଗି ଫାଟି ଯାଇଥିବା ବେଳେ କେତେକ ସମ୍ପୂର୍ଣ୍ଣ ଅସ୍ତିତ୍ୱ ହରାଇବାକୁ ବସିଛି। ପିଲାରରୁ କଂକ୍ରିଟ ବାହାରି ଗଲାଣି। ଭିତର ରଡ୍ ବାହାରକୁ ଦେଖାଯାଉଛି। ରଡ୍ ଗୁଡ଼ିକ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। ତେଣୁ ଏହା କୋଠା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ସାମାନ୍ୟ ପ୍ରାକୃତି ବିପର୍ଯ୍ୟୟ ଏଠାରେ ବଡ଼ କ୍ଷତି ଘଟାଇପାରେ।
[caption id="attachment_782706" align="aligncenter" width="650"]
ସ୍କୁଲର ନିଜସ୍ୱ କୋଠା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି।[/caption]
ବିପଦ ଥିବା ଜାଣି ମଧ୍ୟ ପିଲାମାନଙ୍କୁ ଏଠାରେ ଶିକ୍ଷକମାନେ ପାଠ ପଢ଼ାଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଜୀବନକୁ ବାଜି ଲଗାଇ ଏଠାକୁ ଆସୁଥିବା କହିଛନ୍ତି।
ବିଦ୍ୟାର୍ଥୀ ପ୍ରିୟଙ୍କା ପ୍ରିୟଦଦର୍ଶନୀ ଓ ସୁମନ କାଣ୍ଡି କହିଛନ୍ତି, ସମୁଦ୍ର ଧୀରେ ଧୀରେ ସ୍କୁଲ ଆଡ଼କୁ ମାଡ଼ି ଆସୁଥିବା ଦେଖି ଭୟ ଲାଗୁଛି। ଏହା ସାଙ୍ଗକୁ ବିପଦସଙ୍କୁଳ କୋଠାରେ ପାଠ ପଢ଼ିବା ବେଳେ ଡର ଲାଗୁଛି। ତେଣୁ ସରକାର ତୁରନ୍ତ ନୂଆ ସ୍କୁଲ କୋଠାଟିଏ ନିର୍ମାଣ କଲେ ସମସ୍ତ ଛାତ୍ରଛାତ୍ରୀ ଉପକୃତ ହୁଅନ୍ତେ।
ବିପଦସଂକୁଳ କୋଠାରେ ପିଲାମାନେ ପାଠ ପଢ଼ୁଥିବା ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ସ୍ୱୀକାର କରିବା ସହ କହିଛନ୍ତି, ଏ ସମ୍ପର୍କରେ ସେ ବ୍ଲକ ପ୍ରଶାସନକୁ ଅବଗତ କରାଇଛନ୍ତି। ସ୍କୁଲର ଉନ୍ନତିକରଣ କରାଯିବ ବୋଲି କୁହାଯାଉଛି। ହେଲେ କେବେ ହେବ ଦେଖିବାର କଥା।
ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ କହିଛନ୍ତି ଯେ, ସେ ଏ ସମ୍ପର୍କରେ ଅବଗତ ଅଛନ୍ତି। ଏହି ବାତ୍ୟା ଆଶ୍ରୟସ୍ଥଳୀର ପୁନଃ ନିର୍ମାଣ ନିମନ୍ତେ ସେ ଜିଲ୍ଲାପାଳ ଓ ଓସଡମାକୁ ଜଣାଇବେ।
[caption id="attachment_782704" align="aligncenter" width="650"]
ଅସ୍ଥାୟୀ ଭାବେ ସ୍କୁଲ ଚାଲୁଥିବା ବାତ୍ୟା ଆଶ୍ରୟସ୍ଥଳ କୋଠାର ପିଲର ନଷ୍ଟ ହୋଇଗଲାଣି।[/caption]
ଅଭିଭାବକଙ୍କ କହିବା କଥା, ପ୍ରଶାସନିକ ଦାୟିତ୍ୱହୀନତା ଯୋଗୁ ଛାତ୍ରଛାତ୍ରୀଙ୍କ ଜୀବନ ଓ ଭବିଷ୍ୟତ ସହ ଏଠାରେ ଖେଳ ଚାଲିଛି। ନିଜ ଜୀବନକୁ ବାଜି ଲଗାଇ ଜରାଜୀର୍ଣ୍ଣ କୋଠା ତଳେ ନିଜ ନିଜ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ। ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
