ବ୍ରହ୍ମଦାରୁଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠ

କୋଣାର୍କ: କାକଟପୁର ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଅବସ୍ଥିତ ଦେଉଳି ମଠ । ପଞ୍ଚଦଶ ଶତାଦ୍ଧୀ ଠାରୁ ଏକ ବିଂଶ ଶତାବ୍ଦୀ ମଧ୍ୟରେ ୩୬ ଥର ଅନୁଷ୍ଠିତ ହୋଇଥିବା ନବକଳେବରର ଏହା ମୁକସାକ୍ଷୀ। ଏହି ପବିତ୍ର ସ୍ଥାନରେ ପରମ ବୈଷ୍ଣବୀ ମା’ ମଙ୍ଗଳା ପୂଜା ପାଉଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ୧୪୪ ବର୍ଷ ପାତାଳୀ ହେଲା ପରି  ମା’ ବୈଷ୍ଣବୀ ମଧ୍ୟ ସେହିପରି ଅର୍ନ୍ତଧ୍ୟାନ ହୋଇଯାଇଥିଲେ। ଦଧିବାମନ ନାମକ ଜଣେ ବଣିକ ସିଂହଳ ଦ୍ୱୀପକୁ ବେପାର ବଣିଜ କରିବାକୁ ଯାଇ ମା’ ମଙ୍ଗଳାଙ୍କ ବିଗ୍ରହକୁ ଆଣି ପ୍ରାଚୀ ନଦୀ କୂଳରେ  ଥିବା ଦେଉଳି ମଠ ନିକଟରେ ସ୍ଥାପିତ କରି ପୂଜାର୍ଚ୍ଚନା କରିଥିଲେ । ପରବର୍ତ୍ତୀ ସମୟରେ ନଦୀ ଗର୍ଭରେ ବନ୍ୟାଜଳରେ ଏହି ବିଗ୍ରହ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ପଞ୍ଚଦଶ ଶତାବ୍ଦୀରେ ଏହି ବିଗ୍ରହକୁ ପ୍ରାଚୀ ନଦୀ ତଟରୁ ଉଦ୍ଧାର କରାଯାଇଥିଲା। ଏହି ସ୍ଥଳ ଠାରୁ ଅଳ୍ପ କିଛି ଦୂରରେ ତତ୍କାଳୀନ ଜମିଦାର ଏକ ମନ୍ଦିର ପ୍ରତିଷ୍ଠା କରିଥିଲେ। ମା’ଙ୍କ ଏହି ଆଦ୍ୟପୀଠ ପୁରୀସ୍ଥିତ  ଏମାର ମଠ ଅଧୀନରେ ପରିଚାଳିତ ହୋଇ ଦେଉଳି ମଠ ନାମରେ ପ୍ରସିଦ୍ଧି ଲାଭ କଲା।

ବ୍ରହ୍ମଦାରୁ ଗୀତା ଅନୁସାରେ ୧୫୦୯ ମସିହା ଠାରୁ ମହାପ୍ରଭୁଙ୍କର ନବକଳେବର ଆରମ୍ଭ ହୋଇଥିଲା। ନବକଳେବର ପାଇଁ ସେହି ସମୟରୁ ଶ୍ରୀକ୍ଷେତ୍ରରୁ ମା’ମଙ୍ଗଳାଙ୍କ ପୀଠକୁ ବନଯାଗ ଯାତ୍ରା ଆରମ୍ଭ ହୋଇଥିଲା। ଦୀର୍ଘ ୫୦୬ ବର୍ଷ ମଧ୍ୟରେ ମହାପ୍ରଭୁଙ୍କ ଦାରୁ ସନ୍ଧାନ ନିମନ୍ତେ ୩୬ ଥର ବନଯାଗ ଯାତ୍ରାର ମୁକସାକ୍ଷୀ ଭାବେ ଦେଉଳି ମଠ ଦଣ୍ଡାୟମାନ ହୋଇଛି। ମହାନ୍ ସାଧୁସନ୍ଥ ପଣ୍ଡିତ ବ୍ରାହ୍ମଣ ଓ ମହାପ୍ରଭୁଙ୍କ ସେବକ ମାନଙ୍କ ପାଇଁ ଏହି ମଠ ତା’ର ପବିତ୍ରତା ବଜାୟ ରଖିଛି। ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ ୮ ବର୍ଷ ବ୍ୟବଧାନରେ ୪ଟି ନବକଳେବର ଯାତ୍ରା ଅନୁଷ୍ଠିତ ହେବା ସହ ବନଯାଗୀ ଯାତ୍ରୀ ଦଳ ଏଠାକୁ ଆସିଥିଲେ। ସେହିପରି ବୀରକେଶରୀ ଦେବଙ୍କ ସମୟରେ ୪ଟି ନବକଳେବର ବନଯାଗ ଯାତ୍ରୀ ଦଳ ଏହି ପିଠକୁ ଆସିଥିଲେ। ୧୯୭୭, ୧୯୯୬ ପରେ ଚଳିତବର୍ଷକୁ ମିଶାଇ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବଙ୍କ ସମୟରେ ତିନିଥର ବନଯାଗ ଯାତ୍ରୀ ଏହି ପୀଠକୁ ଯାତ୍ରା କରିଛନ୍ତି।

ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ମହାପ୍ରଭୁଙ୍କର ନବକଳେବର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହିବର୍ଷ ଚୈତ୍ର ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଆଦିଶକ୍ତି ମା’ ମଙ୍ଗଳାଙ୍କ ଦାରୁ ସନ୍ଧାନ ନିର୍ଦ୍ଦେଶ ପାଇବା ପାଇଁ ଶ୍ରୀ କ୍ଷେତ୍ରରୁ ମହାପ୍ରଭୁଙ୍କର ସେବକମାନେ ମା’ ମଙ୍ଗଳାଙ୍କ ପୀଠକୁ ବନଯାଗ ଯାତ୍ରାରେ ଯାଇଥା’ନ୍ତି। ଚୈତ୍ର ମାସ ଶୁକ୍ଲ ଏକାଦଶୀରେ ଏହି ଯାତ୍ରା  ପୁରୀର ଜଗନ୍ନାଥ ବଲ୍ଲଭମଠ ରୁ ମା’ ସର୍ବମଙ୍ଗଳା ପୀଠ ଅଭିମୁଖେ ଯାତ୍ରା କରିଥା’ନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ୪ଟି ଆଜ୍ଞାମାଳାକୁ ସାଙ୍ଗରେ ଧରି ଦଇତା ପତି, ଦଳପତି, ରାଜଗୁରୁ, ଶ୍ରୀ ମନ୍ଦିର ପୁରୋହିତ , ବିଶ୍ୱକର୍ମା, ସୁଦର୍ଶନଙ୍କ ବାହକ ଶଗଡ଼ି ଗାଡ଼ି ଧରି ପଦଯାତ୍ରାରେ ଆସି ଦେଉଳି ମଠରେ ପହଞ୍ଚିଥାଆନ୍ତି। ବନଯାଗ ଯାତ୍ରୀମାନେ ଆଣିଥିବା ପାଟ ଲୁଗା ଓ ପୁଷ୍ପମାଳ ମା’ ନିକଟରେ ଲାଗି କରାଯାଇଥାଏ। ମା’ଙ୍କ ଭଣ୍ଡାରରେ ଥିବା ସମସ୍ତ ସ୍ୱର୍ଣ୍ଣ ଅଳଙ୍କାରରେ ମା’ଙ୍କୁ ସୁସଜ୍ଜିତ କରାଯାଇଥାଏ। ବଡ଼ସିଂହାର ବେଶ ପରେ ଲଙ୍କା ସେବକ ଆଣିଥିବା ସୁଦର୍ଶନକୁ ମା’ଙ୍କ ପାଦପାର୍ଶ୍ୱରେ ରଖାଯାଇଥାଏ। ଏହି ସମୟରେ ବନଯାଗ ଯାତ୍ରୀମାନେ ଧ୍ୟାନ କରିଥା’ନ୍ତି। ଲେଙ୍କା ସେବକ ପୂଜା ପଣ୍ଡାଙ୍କ ଠାରୁ ସୁଦର୍ଶନ ଗ୍ରହଣ କରି ସମସ୍ତ ବନଯାଗ ଯାତ୍ରୀ ଦେଉଳି ମଠକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଦଇତାପତି ମାନେ ହବିଷ୍ୟାନ୍ନ ଗ୍ରହଣ କରି ବାହ୍ୟ ଜଗତରୁ ସମ୍ପର୍କ ଛିନ୍ନ ହୋଇ ନିରବଛନ୍ନ ଭାବେ ସ୍ୱପ୍ନାବତୀ ମନ୍ତ୍ର ପଠନ କରି  ଦାରୁ ସନ୍ଧାନ ନିମନ୍ତେ ସ୍ୱପ୍ନାଦେଶ ପ୍ରାପ୍ତି ପର୍ଯ୍ୟନ୍ତ ଧ୍ୟାନମଗ୍ନ ରହିଥା’ନ୍ତି। ମା’ଙ୍କ ସ୍ୱପ୍ନାଦେଶ ଲାଭ ପରେ ଏହି ଯାତ୍ରୀମାନେ ଭିନ୍ନ ଭିନ୍ନ ସ୍ଥାନକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ନିକଟକୁ ଯାଇଥା’ନ୍ତି। ଦାରୁ ପ୍ରାପ୍ତ ସ୍ଥାନରୁ ଦାରୁ ଛେଦନ ହେବା ପର୍ଯ୍ୟନ୍ତ ଏକ ମାସରୁ ଦୁଇମାସ ପର୍ଯ୍ୟନ୍ତ ଏହି ଯାତ୍ରା ଲାଗି ରହେ। ଶ୍ରୀ କ୍ଷେତ୍ରକୁ ଦାରୁ ନେଇ ବନଯାଗ ଯାତ୍ରୀମାନେ ଯିବା ପରେ ଏହି ଯାତ୍ରାର ପରିସମାପ୍ତି ହୋଇଥାଏ। ନବକଳେବରର ଆଦ୍ୟପର୍ବ ଏହି ବନଯାଗ ଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଆଦି ଶକ୍ତି ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ ଦେଉଳି ମଠ କାହିଁ  କେତେ କାଳରୁ ଏକ ମୂକସାକ୍ଷୀ ହୋଇରହିଛି।