ମହାକର୍ଷଣୀୟ ତରଙ୍ଗ ବା ଆଇନଷ୍ଟାଇନଙ୍କ ତରଙ୍ଗର ଅନୁଧ୍ୟାନ ଏବଂ ଲିଗୋ ଓ ଭର୍ଗୋ ଡିଟେକ୍ଟର ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ତିନିଜଣ ବୈଜ୍ଞାନିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ରେନର୍ ୱିସ୍, ବେରି ସି. ବାରିସ୍ ଏବଂ କିପ୍ ଏସ୍. ଥର୍ନ୍। ହଜାରେରୁ ଅଧିକ ବୈଜ୍ଞାନିକଙ୍କ ସହଯୋଗରେ ଆମେରିକାରେ ନିର୍ମିତ ଲିଗୋ ଅବଜର୍ଭେଟରିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ତାହା ସାହାଯ୍ୟରେ ମହାକର୍ଷଣୀୟ ତରଙ୍ଗ ଚିହ୍ନଟରେ ସଫଳ ହେବା ପଛରେ ଏହି ତିନି ଜଣ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ରହିଛି।
ମହାକର୍ଷଣୀୟ ତରଙ୍ଗ ଓ ଏହାର ଇତିହାସ: ଆମେ ଦୁଇ ହାତରେ ତାଳି ବଜାଇଲେ ସେଠାରୁ ଯେପରି ଶବ୍ଦ ତରଙ୍ଗ ସୃଷ୍ଟି ହୋଇ ଚାରିଆଡ଼କୁ ଗତି କରେ, ସେହିପରି ମହାକାଶରେ ଦୁଇଟି କୃଷ୍ଣଗର୍ତ୍ତ ବା ବ୍ଲାକ୍ ହୋଲ୍ ଭଳି ମହାଗଜାଗତିକ ବସ୍ତୁ ମଧ୍ୟରେ ଧକ୍କା ହେଲେ ସେଠାରୁ ମହାକର୍ଷଣୀୟ ତରଙ୍ଗ ସୃଷ୍ଟି ହୁଏ । ଏହା ସେଠାରୁ ଚାରିଆଡ଼କୁ ଶୂନ୍ୟରେ ଆଲୋକର ବେଗରେ ଗତିକରେ । ୧୮୯୩ମସିହାରେ ଓଲିଭର୍ ହିଭିସାଇଡ୍, ୧୯୦୫ରେ ହେନରି ପୋଏନକେୟାର୍ ଏବଂ ୧୯୧୬ରେ ଆଲବର୍ଟ ଆଇନଷ୍ଟାଇନ ମହାକର୍ଷଣୀୟ ତରଙ୍ଗ ଉପରେ ଗବେଷଣା କରିଥିଲେ। ତେବେ ସବୁଠାରୁ ଚର୍ଚ୍ଚିତ ହୋଇଥିଲା ସାଧାରଣ ଆପେକ୍ଷିକ ତତ୍ତ୍ୱକୁ ବ୍ୟବହାର କରି ମହାକର୍ଷଣୀୟ ତରଙ୍ଗ ଉପରେ ଆଇନଷ୍ଟାଇନଙ୍କ ଗବେଷଣା ଓ ଅନୁମାନ। ତେଣୁ ଏହି ତରଙ୍ଗକୁ ଆଇନଷ୍ଟାଇନଙ୍କ ତରଙ୍ଗ ବୋଲି ମଧ୍ୟ କୁହାଯାଏ।
ମହକାଶରୁ ମହାକର୍ଷଣୀୟ ତରଙ୍ଗର ଏକ କ୍ଷୁଦ୍ର ଅଂଶ ପୃଥିବୀରେ ପହଞ୍ଚିଲା ବେଳକୁ ଏହା ଖୁବ ଦୁର୍ବଳ ହୋଇଯାଇଥାଏ। ତେଣୁ ଏହି କ୍ଷୀଣ ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗକୁ ଚିହ୍ନଟ କରିବା କଷ୍ଟକର ଓ ଏଥିପାଇଁ ଏକ ସ୍ୱତନ୍ତ୍ର ଡିଟେକ୍ଟର ଆବଶ୍ୟକ ହେଉଥିଲା। ତେଣୁ କେଉଁ କେଉଁ ଅନାବଶ୍ୟକ ଉତ୍ସରୁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସୃଷ୍ଟି ହୋଇ ଏହି ମହାକର୍ଷଣୀୟ ତରଙ୍ଗ ଚିହ୍ନଟ କରିବାରେ ସମସ୍ୟା ଉପୁଜାଇବ, ସେସବୁକୁ ୧୯୭୫ ମସିହା ବେଳକୁ ରେନର୍ ୱିସ୍ ଚିହ୍ନଟ କରି ସାରିଥିଲେ। ଏଥିସହ ସେ ଏହି ମହାକର୍ଷଣୀୟ ତରଙ୍ଗ ଚିହ୍ନଟ ପାଇଁ ଏକ ଲେଜର୍ ଭିତ୍ତିକ ଇଣ୍ଟରଫେରୋମିଟର୍ ମଧ୍ୟ ଡିଜାଇନ୍ କରିସାରିଥିଲେ। ଏହି ଡିଜାଇନକୁ ଆଧାର କରି ଲିଗୋ ଏବଂ ଭର୍ଗୋ ଅବଜର୍ଭେଟରି ତିଆରି ହେଲା।
୨୦୧୫ ମସିହା ସେପ୍ଟେମ୍ବର ୧୪ ଥିଲା ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ଦିନ। ଏହି ଦିନ ପ୍ରଥମ ଥର ପାଇଁ ଲିଗୋ ଅବଜର୍ଭେଟରିରେ ମହାକର୍ଷଣୀୟ ତରଙ୍ଗ ଚିହ୍ନଟ ହୋଇଥିଲା । ଦୁଇଟି କୃଷ୍ଣ ଗର୍ତ୍ତର ଧକ୍କାରୁ ଏହି ତରଙ୍ଗ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି । ୧୩୦ କୋଟି ଆଲୋକ ବର୍ଷ ଦୂରତରାରେ ଏହି ଦୁଇଟି ବ୍ଲାକ୍ ହୋଲ୍ ଧକ୍କା ହୋଇଥିଲା ଏବଂ ସେଠାରୁ ସୃଷ୍ଟି ହୋଇଥିବା ମହାକର୍ଷଣୀୟ ତରଙ୍ଗ ୧୩୦ କୋଟି ବର୍ଷ ପରେ ପୃଥିବୀରେ ପହଞ୍ଚିଥିଲା । ତେବେ ୨୦୧୬ ମସିହା ଫେବୃଆରୀ ୧୧ରେ ଲିଗୋ ଓ ଭର୍ଗୋ ଅବଜର୍ଭେଟରି ପକ୍ଷରୁ ମିଳିତ ବିବୃତିରେ ଏହି ଆବିଷ୍କାର ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଗଲା। ସେତେବେଳେ ଏଭଳି ଏକ ଆବିଷ୍କାର କଥା ଶୁଣି ସାରା ବିଶ୍ୱ ଚକିତ ହୋଇଯାଇଥିଲା। ବରିଷ୍ଠ ବୈଜ୍ଞାନିକ ମାନେ ମଧ୍ୟ ଏହି ଆବିଷ୍କାରର ପ୍ରଥମେ ବିଶ୍ୱାସ କରିନଥିଲେ ଓ ଅସ୍ୱୀକାର କରିଥିଲେ। କିନ୍ତୁ ପରେ ଏହି ତିନି ଜଣ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଏହାକୁ ପ୍ରମାଣ ସିଦ୍ଧ କରିଥିଲେ। ଏହାପରେ ଜୁନ୍ ୧୫, ୨୦୧୬ ଓ ଜୁନ୍ ୧, ୨୦୧୭ରେ ମଧ୍ୟ ଦୁଇଟି ମହାକର୍ଷଣୀୟ ତରଙ୍ଗ ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଶେଷଥର ପାଇଁ ୨୭ ସେପ୍ଟେମ୍ବର, ୨୦୧୭ରେ ମହାକର୍ଷଣୀୟ ତରଙ୍ଗ ଚିହ୍ନଟ କରାଯାଇଛି।
ଲିଗୋ ଏବଂ ଭର୍ଗୋ: ମହାକର୍ଷଣୀୟ ତରଙ୍ଗକୁ ଚିହ୍ନଟ କରିବା ପାଇଁ ଲେଜର୍ ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍-ୱେଭ୍ ଅବଜର୍ଭେଟରି (ଲିଗୋ) କାର୍ଯ୍ୟ କରିଥାଏ । ଏହା ଆମେରିକାର ଦୁଇଟି ସ୍ଥାନରେ ରହିଛି । ଗୋଟିଏ ଲିଗୋ ହାନଫୋର୍ଡରେ ଥିବା ବେଳେ ଅନ୍ୟଟି ୩ ହଜାର ୨ କିଲୋମିଟର ଦୂରତାରେ ଲିଭିଙ୍ଗଷ୍ଟୋନରେ ରହିଛି । ମହାକର୍ଷଣୀୟ ତରଙ୍ଗ ଆଲୋକର ବେଗରେ ଗତି କରୁଥିବାରୁ ଏହି ଦୁଇଟି ଅବଜର୍ଭେଟରି ମଧ୍ୟରେ ପ୍ରାୟ ୧୦ ମିଲି ସେକେଣ୍ଡ୍ ଅନ୍ତରାଳରେ ତରଙ୍ଗ ଚିହ୍ନଟ ହୋଇଥାଏ । ଫଳରେ ତରଙ୍ଗର ଦିଗ ଓ ଅନ୍ୟ କେତେକ ବୈଶିଷ୍ଟ୍ୟ ନିର୍ଦ୍ଧାରଣ କରିହୁଏ ।
ସେହିପରି ଭର୍ଗୋ ଅବଜର୍ଭେଟୋରି ଇଟାଲିର ପିସାରେ ରହିଛି । ଏହା ଇଟାଲି, ଫ୍ରାନ୍ସ, ନେଦରଲାଣ୍ଡ୍ସ, ପୋଲାଣ୍ଡ୍ ଓ ହଙ୍ଗେରିର ମିଳିତ ସହଯ଼ୋଗରେ ପ୍ରତିଷ୍ଠା ହୋଇଛି । ୨୦୦୭ ମସିହା ଠାରୁ ଲିଗୋ ଏବଂ ଭର୍ଗୋ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ଏବଂ ମିଳିତ ଭାବେ ତଥ୍ୟ ବିଶ୍ଳେଷଣ ଓ ଫଳ ପ୍ରକାଶନ ପାଇଁ ଚୁକ୍ତି ହୋଇଛି । ଉଭୟ ଲିଗୋ ଏବଂ ଭର୍ଗୋ ଅବଜର୍ଭେଟରି ଦେଖିବାକୁ 'L' ଆକାରର । ଲିଗୋର ଦୁଇଟି ଲେଖାଏଁ ବାହୁ ୪ କିଲୋମିଟର ଦୀର୍ଘ ହୋଇଥିବା ବେଳେ ଭର୍ଗୋର ପ୍ରତିଟି ବାହୁର ଲମ୍ବ ୩ କିଲୋମିଟର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।