ପ୍ରାଇଭେଟ୍ ହସ୍‌ପିଟାଲ୍‌କୁ ପୋଷୁଛନ୍ତି ସରକାର, କୋଭିଡ୍ ଚିକିତ୍ସା ଖର୍ଚ୍ଚଠୁ ବଳି ଯାଉଛି ବେଡ୍ ଭଡ଼ା

‘ତୃତୀୟ ଲହରରେ ୯୭ ପ୍ରତିଶତ ଲୋକ ଡାକ୍ତରଖାନା ଯାଉ ନାହାଁନ୍ତି । ତଥାପି ଅଧିକ ବେଡ୍ ସୃଷ୍ଟି କରାଯାଉଛି । କରୋନା ନାଁରେ କିଛି ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲ ଶହ ଶହ କୋଟି ଟଙ୍କା ନେବା ପାଇଁ ବାଟ ଖୋଲି ଯାଇଛି ।’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି ଘୋଡ଼ା ୬ ଟଙ୍କା, କିନ୍ତୁ ଦାନା ୯ ଟଙ୍କା । ଠିକ୍ ସେମିତି କରୋନାର ମାଗଣା ଚିକିତ୍ସା ଆଳରେ ସରକାର ଯେତିକି ଟଙ୍କା ଚିକିତ୍ସାରେ ଲଗାଇ ନାହାଁନ୍ତି, ତାହାର ୩ରୁ ୪ ଗୁଣା କେବଳ ଘରୋଇ ହସ୍ପିଟାଲର ବେଡ୍ ଭଡ଼ାରେ ଗଣିଛନ୍ତି । ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ ଖୋଲି ଦେଇଛି ସରକାରଙ୍କ ଘରୋଇ ହସ୍ପିଟାଲ ପ୍ରୀତିର ଗୁମର। ତଥ୍ୟ ଅନୁଯାୟୀ, କୋଭିଡ଼ ଚିକିତ୍ସା ଆଳରେ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ୨୦୨୦ ଏପ୍ରିଲରୁ ଡିସେମ୍ବର ମଧ୍ୟରେ କେବଳ ବେଡ୍ ଭଡ଼ା ବାବଦକୁ ସରକାର ଦେଇଛନ୍ତି ୪୧ କୋଟି ୧୮ ଲକ୍ଷ ଟଙ୍କା। ଯେତେବେଳେକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିଧାନସଭା ଉତ୍ତର ଅନୁଯାୟୀ ୨୦୨୦ଏପ୍ରିଲରୁ -୨୦୨୧ ଅକ୍ଟୋବର ସୁଦ୍ଧା କୋଭିଡ ଚିକିତ୍ସା ପାଇଁ ଭୁବନେଶ୍ୱର କିମ୍ସ ନେଇଛି ମୋଟ୍ ୫୮ କୋଟି ୯୯ ଲକ୍ଷ କୋଟି ଟଙ୍କା।

Medical Payment
ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ୨୦୨୦ ଏପ୍ରିଲରୁ ଡିସେମ୍ବର ମଧ୍ୟରେ କେବଳ ବେଡ୍ ଭଡ଼ା ବାବଦକୁ ସରକାର ଦେଇଛନ୍ତି ୪୧ କୋଟି ୧୮ ଲକ୍ଷ ଟଙ୍କା

ସେହିପରି ବଲାଙ୍ଗୀରସ୍ଥିତ କିମ୍ସ ହସ୍ପିଟାଲରେ ୨୦୨୦ ଅଗଷ୍ଟରୁ ନେଇ ଡିସେମ୍ବର ପର୍ଯ୍ୟନ୍ତ ବେଡ୍ ବିଲ୍ ହୋଇଛି ୭ କୋଟି ୧୯ ଲକ୍ଷ ଟଙ୍କା। କିନ୍ତୁ ଏପ୍ରିଲ ରୁ ନେଇ ଡିସେମ୍ବର ପର୍ଯ୍ୟନ୍ତ ମେଡିସିନ୍ ଓ ଅନ୍ୟାନ୍ୟ ଚିକିତ୍ସା ବାବାଦକୁ ବିଲ ହୋଇଛି ମାତ୍ର ୨ କୋଟି ୭୧ ଲକ୍ଷ ଟଙ୍କା । କନ୍ଧମାଳ କିମ୍ସ ହ୍ସପିଟାଲର ଆଉ ଏକ ବିଲ୍ ସମସ୍ତଙ୍କ ହୋସ ଉଡାଇ ଦେବ । ୨୦୨୦ ଏପ୍ରିଲ ୧୫ ରୁ ୩୦ ତାରିଖ ମଧ୍ୟରେ ମୋଟ୍ ୬୫ ଲକ୍ଷ ୬୫ ହଜାର ଟଙ୍କାରୁ ରୋଗୀଙ୍କ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୧୧ ହଜାର ୭୫୮ ଟଙ୍କା । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ବେଡ୍‌ରେ ରୋଗୀ ଥା’ନ୍ତୁ କି ନଥା’ନ୍ତୁ ସରକାର କିନ୍ତୁ ପଇସା ଗଣିବାକୁ ବାଧ୍ୟ। ଯେଉଁଥି ପାଇଁ କୋଭିଡ଼ ଚିକିତ୍ସାର ସିଂହ ଭାଗ କେବଳ ବେଡ୍ ଭଡ଼ାରେ ହିଁ ଖର୍ଚ୍ଚ ହୋଇଛି।

Medical Payment
ବଲାଙ୍ଗୀରସ୍ଥିତ କିମ୍ସ ହସ୍ପିଟାଲରେ ୨୦୨୦ ଅଗଷ୍ଟରୁ ନେଇ ଡିସେମ୍ବର ପର୍ଯ୍ୟନ୍ତ ବେଡ୍ ବିଲ୍ ହୋଇଛି ୭ କୋଟି ୧୯ ଲକ୍ଷ ଟଙ୍କା

ତେବେ ଏହାର ମନିଟରିଂ ଓ ଅଡିଟ୍ ହେଉନଥିବାରୁ ମନ ଇଚ୍ଛା ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ବରିଷ୍ଠ ସମ୍ବାଦିକ ରବି ଦାସ। ତାଙ୍କ କହିବା ଅନୁଯାୟୀ ,“ଘରୋଇ ହସ୍ପିଟାଲକୁ କେତେ ଲୋକ ଗଲେ, କେତେ ଚିକିତ୍ସା ହେଲେ, ତାର ସଠିକ୍ ମନିଟରିଂ ହେଉ ନାହିଁ । ଏଗ୍ରୀମେଣ୍ଟ ଅନୁଯାୟୀ ସେମାନଙ୍କୁ ଟଙ୍କା ଦିଆ ଚାଲିଛି । ତୃତୀୟ ଲହରରେ ୯୭ ପ୍ରତିଶତ ଲୋକ ଡାକ୍ତରଖାନା ଯାଉ ନାହାଁନ୍ତି । ତଥାପି ଅଧିକ ବେଡ୍ ସୃଷ୍ଟି କରାଯାଉଛି । କରୋନା ନାଁରେ କିଛି ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲ ଶହ ଶହ କୋଟି ଟଙ୍କା ନେବା ପାଇଁ ବାଟ ଖୋଲି ଯାଇଛି । ହେଲେ ସେହି ହିସାବରେ ରୋଗୀଙ୍କ ଚିକିତ୍ସା ହୋଇ ନାହିଁ । ଏହାର ସଠିକ୍ ମନିରିଂ କରା ନଯାଇ ସରକାରୀ ପଇସା ଖର୍ଚ୍ଚ ନହେଉ । ଏହା ରାଜ୍ୟ ପ୍ରତି ଅନ୍ୟାୟ। ଘରୋଇ ହସ୍ପିଟାଲ ପାଇଁ ରାଜ୍ୟର କ୍ଷତି ହେଉଛି । ଚିକିତ୍ସା ପାଇଁ ରାଜ୍ୟ ସରକାର ଯେଉଁ ଅସଲ ସୁବିଧା କରିବା କଥା ତାହା କିନ୍ତୁ କରୁ ନାହାଁନ୍ତି ।“

Medical Payment
କନ୍ଧମାଳ କିମ୍ସ ହ୍ସପିଟାଲରେ ୨୦୨୦ ଏପ୍ରିଲ ୧୫ ରୁ ୩୦ ତାରିଖ ମଧ୍ୟରେ ମୋଟ୍ ୬୫ ଲକ୍ଷ ୬୫ ହଜାର ଟଙ୍କାରୁ ରୋଗୀଙ୍କ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୧୧ ହଜାର ୭୫୮ ଟଙ୍କା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ୍‌ ପାଇଁ ମାଗଣାରେ ହିଁ ବେଡ୍ ଯୋଗାଇ ଦିଆଯାଇଛି। କିମ୍ସକୁ ମଧ୍ୟ ସମସ୍ତ ସାଧାରଣ ଓ ଆସିୟୁ ବେଡ୍ ଓଏମସି ପକ୍ଷରୁ ମଗାଣାରେ ମିଳିଛି । ଅର୍ଥାତ୍ ଦାନରେ ମିଳିଥିବା ବେଡକୁ ସରକାରଙ୍କୁ ଭଡ଼ା ଲଗାଇ ମାଲାମାଲ ହୋଇଛନ୍ତି ଘରୋଇ ହସ୍ପିଟାଲ । ତେବେ ଯେଉଁ ସାଧାରଣ ବେଡର ମୂଲ୍ୟ ବଜାରରେ ସର୍ବାଧିକ ୩୦ ହଜାର ଟଙ୍କା, ତାକୁ ସରକାର ଦୈନିକ ୩ ହଜାର ଟଙ୍କା ଭଡ଼ାରେ ନେଉଛନ୍ତି। ସେହିପରି ବଜାରରରେ ସର୍ବାଧିକ ୮୦ ହଜାର ଟଙ୍କାରେ ମିଳୁଥିବା ଆଇସିୟୁ ବେଡ୍‌ ପାଇଁ ଦିନକୁ ୫ ହଜାର ଟଙ୍କା ଭଡ଼ା ଗଣୁଛନ୍ତି ସରକାର।

ରବୀନ୍ଦ୍ର ଫାର୍ମାସୀର ପ୍ରୋପାଇଟର୍ ରବୀନ୍ଦ୍ର ସେନାପତିଙ୍କ କହିବାନୁୟାୟୀ,“ସାଧାରଣତଃ ହସ୍ପିଟାଲ ଗୁଡିକରେ ବ୍ୟାକରେଷ୍ଟ ଉଠାଇବା ଭଳି ବେଡ୍ ବେଶୀ ବ୍ୟବହାର ହୁଏ । ଗଦି ସହ ଯାହାର ମୂଲ୍ୟ ୨୫ରୁ ୩୦ ହଜାର ଟଙ୍କା ରହିବ । ସେହିପରି ମାନ୍ୟୁଆଲ ଆଇସିୟୁ ବେଡ୍ ୪୦ରୁ ୮୦ ହଜରା ପର୍ଯ୍ୟନ୍ତ ରହିଛି । ଯାହାକି କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ବ୍ୟବହାର ହେଉଥିଲା । କିନ୍ତୁ ମୋଟରାଇଜଡ୍ ରିମୋର୍ଟ ଆଇସିୟୁ ବେଡ୍‌ର ଦାମ ଏକ ଲକ୍ଷରୁ ନେଇ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ରହିଛି । ସାଧାରଣତଃ ହସ୍ପିଟାଲ ବେଡ୍ ୨୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇ ପାରିବ ।”

ସେପଟେ କରୋନାର ୨ ବର୍ଷ ପରେ ଘରୋଇ ହସ୍ପିଟାଲ ଉପରେ ସରକାର ନିର୍ଭର କରିବାକୁ କଡା ସମାଲୋଚନା କରିଛନ୍ତି ସାମାଜସେବୀ ସୁଦର୍ଶନ ଦାସ, “ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ନାଁରେ ରାଜ୍ୟରେ ଯେଉଁଭଳି କେଳଙ୍କରୀ ହେଲା, ତାହା ଲୋକଙ୍କୁ ଚକିତ କରିଥିଲା । ଓଏମସି ଓ ଏମସିଏଲ ଭଳି ରାଷ୍ଟ୍ରାୟାତ ସଂସ୍ଥାଗୁଡିକ ପଇସା ଦେଲେ, ଘରୋଇ ହସ୍ପିଟାଲ ସେ ପଇସା ପାଇ ଲୋକଙ୍କୁ ଚିକିତ୍ସା କଲେ । କିନ୍ତୁ ଟ୍ରିଟମେଣ୍ଟ ଆଳରେ ଯେପରି ଅହେତୁକ ଫିସ୍ ଚାର୍ଜ କରାଗଲା, ତାହା ସରକାରୀ ଅର୍ଥର ହରିଲୁଟ ହେଲା ବୋଲି କୁହାଯିବ । ଏବେ ପୁଣି ତୃତୀୟ ଲହରରେ ସେହି ଘରୋଇ ହସ୍ପିଟାଲଗୁଡିକୁ ପ୍ରୋତ୍ସାହନ ଦିଆଯାଉଛି । ୨୦୨୦ ମାର୍ଚ୍ଚ ରୁ ୨୦୨୨ ହୋଇଗଲା । କିନ୍ତୁ ସରକାରୀ ହସ୍ପିଟାଲଗୁଡିକ ସଜଡ଼ା ହୋଇ ପାରିଲା ନାହିଁ । ସରକାରୀ ତହବିଲରୁ ପଇସା ଖର୍ଚ୍ଚ ହେଲା, କିନ୍ତୁ ସରକାରୀ ବ୍ୟବସ୍ଥା ଆମେ ପାଇଲୁ ନାହିଁ । କରୋନାକୁ ଆଳ କରି ମାସ୍କ, ପିପିଇ କିଟ୍ ଆଦିରେ କେମିତି କେଳଙ୍କାରୀ ଭର୍ତ୍ତି ହୋଇଗଲା ତାହା ଆମେ ଦେଖିଲୁ। ଏପରିକି ଟିଏମସି ସେଣ୍ଟର କରି ପଂଚାୟତ ଓ ବ୍ଲକ ସ୍ତର ପର୍ଯ୍ୟନ୍ତ ଦୁର୍ନୀତିର ପ୍ରମାଣ ମିଳିଲା । କରୋନା ରାଜ୍ୟ ସରକାରଙ୍କ ପାଇଁ ଦୁର୍ନୀତି କରିବାର ଗୋଟିଏ ବ୍ୟବସ୍ଥା ସୃଷ୍ଟି ଦେଇଛି ବୋଲି ମନେ ହୁଏ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏବେ ପୁଣି ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାଟା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।”

କୋଭିଡ-ଓମ୍ରିକନ୍ ଭାରିଆଣ୍ଟର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଦକ୍ଷିଣ ଆଫ୍ରିକାରେ ଏହି ଭୂତାଣୁରେ ସଂକ୍ରମିତ ପ୍ରାୟ ୯୦ ପ୍ରତିଶତ ଲୋକ ଲକ୍ଷଣହୀନ ବା ଆସିମଟୋମେଟିକ୍‌। ସେହିପରି କାଲିଫର୍ଣ୍ଣିଆର ଏକ ଗବେଷଣା ଅନୁସାରେ ଓମ୍ରିକନ୍‌ ସଂକ୍ରମିତ କମ୍ ସଂଖ୍ୟକ ରୋଗୀଙ୍କୁ କମ୍ ଦିନ ପାଇଁ ହସ୍ପିଟାଲ ଯିବାକୁ ପଡୁଛି। ଏପରିକି ଓଡିଶାରେ ମଧ୍ୟ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୩ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ହେଲେ ସରକାର ୭,୧୮୧ଟି ସାଧାରଣ ବେଡ୍, ଶିଶୁଙ୍କ ପାଇଁ ୧୦୦୦ରେ ବେଡ୍, ୨୦୨୪ଟି ଆଇସିୟୁ ବେଡ୍ ଓ ୮୭୪ଟି ଭେଣ୍ଟିଲେଟର ବେଡର ବ୍ୟବସ୍ଥା କରିଛନ୍ତି । କିନ୍ତୁ ପୂର୍ବ ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟ ଅଧିକ କ୍ଷୀପ୍ରଗତିରେ ବଢୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭିତ୍ତିଭୂମି ବଢ଼ାଇବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ସରକାରଙ୍କ ଠାରୁ କମ୍ ମୂଲ୍ୟରେ ଜମି ନେଉଛନ୍ତି । ସରକାରଙ୍କ ବିଭିନ୍ନ ଟ୍ୟାକ୍ସରୁ ରିହାତି ପାଉଛନ୍ତି । ଜଳ, ବିଦ୍ୟୁତ, ରାସ୍ତାଘାଟ ଭଳି ସମସ୍ତ ସୁବିଧା ସୁଯୋଗ ନେଉଛନ୍ତି । ଏହା ପରେ ବି କୋରନା ଭଳି ମହାମାରୀ ସମୟରେ ରେଗୀ ସେବା ନାଁରେ କୋଟି କୋଟି ଟଙ୍କା ଲୁଟ କରିବା ପାଇଁ ସରକାରଙ୍କ ସହାୟତା ବି ପାଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବାସ୍ତବରେ କରୋନା ପୋତୁଛିକି ଦୁର୍ନୀତିର ମଞ୍ଜି? ମାଗଣା ଚିକିତ୍ସା ଆଳରେ ଘରୋଇ ହସ୍ପିଟାଲ ପିଛା ଅଯଥାରେ ଖର୍ଚ୍ଚ କରୁଛନ୍ତି କି ଶହ ଶହ କୋଟି ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।