ଫ୍ଲୋରାଇଡ ଯୁକ୍ତ ପିଇବା ପାଣି ନୂଆପଡ଼ାବାସୀଙ୍କ ପାଇଁ ସାଜିଛି ଅଭିଶାପ: ପ୍ରଶାସନ ସ୍ଥାଣୁ

ନୂଆପଡା: ନୂଆପଡ଼ା ଜିଲ୍ଲାର ଅନେକ ଗାଁ ପାଇଁ ନଳକୂଅ ପାଲଟିଛି ଅଭିଶାପ। ବର୍ଷ ପରେ ବର୍ଷ ଏହି ଗାଁ ଗୁଡ଼ିକର ଲୋକେ ନଳକୂପ ଗୁଡ଼ିକରୁ ବାହାରୁ ଥିବା ମାତ୍ରାଧିକ ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଆସୁଛନ୍ତି ଓ ଦୁର୍ଦ୍ଦଶା ଭୋଗୁଛନ୍ତି। ଏକାଧିକ ଯୋଜନା ସତ୍ତ୍ୱେ ଏହି ଗ୍ରାମବାସୀମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ କି ସରକାର, କେହି ଶୁଣୁ ନାହାନ୍ତି ସେମାନଙ୍କ ଦୁଃଖ। ନୂଆପଡ଼ା ଜିଲ୍ଲାର ଯେଉଁ […]

flouride 1

flouride 1

Rakesh Mallick
  • Published: Monday, 25 May 2015
  • Updated: 25 May 2015, 08:55 AM IST

Sports

Latest News

ନୂଆପଡା: ନୂଆପଡ଼ା ଜିଲ୍ଲାର ଅନେକ ଗାଁ ପାଇଁ ନଳକୂଅ ପାଲଟିଛି ଅଭିଶାପ। ବର୍ଷ ପରେ ବର୍ଷ ଏହି ଗାଁ ଗୁଡ଼ିକର ଲୋକେ ନଳକୂପ ଗୁଡ଼ିକରୁ ବାହାରୁ ଥିବା ମାତ୍ରାଧିକ ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଆସୁଛନ୍ତି ଓ ଦୁର୍ଦ୍ଦଶା ଭୋଗୁଛନ୍ତି। ଏକାଧିକ ଯୋଜନା ସତ୍ତ୍ୱେ ଏହି ଗ୍ରାମବାସୀମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ କି ସରକାର, କେହି ଶୁଣୁ ନାହାନ୍ତି ସେମାନଙ୍କ ଦୁଃଖ।

ନୂଆପଡ଼ା ଜିଲ୍ଲାର ଯେଉଁ ଗାଁକୁ ଗଲେ, ଏକ ଭିନ୍ନ ଦୁନିଆକୁ ପଶି ଆସିଲା ଭଳି ମନେ ହୁଏ। ଛୋଟ ଛୋଟ ପିଲାମାନଙ୍କ ଠାରୁ ଧରି ଯୁବକ,ଯୁବତୀ ପର୍ଯ୍ୟନ୍ତ ସମସ୍ତଙ୍କ ଦାନ୍ତ କଳା ହୋଇଯାଇଥାଏ। ଯୁବକ,ଯୁବତୀମାନେ ଅବେଳରେ ବାର୍ଦ୍ଧକ୍ୟର ଶିକାର ହୋଇ ଥାଆନ୍ତି। ଅନେକେ ଭିନ୍ନକ୍ଷମ ହୋଇ ଯାଇଥିବା ଯୋଗୁ ବାଡ଼ି ଧରି ଚାଲନ୍ତି। ଆଉ ଏହାର କାରଣ ହେଉଛି ମାତ୍ରାଧିକ ଫ୍ଲୋରାଇଡ୍ ଯୁକ୍ତ ପାଣି। ଧୂମାଉଟା ଗାଁର ପରମେଶ୍ୱର ହଂସ କହିଛନ୍ତି ଯେ ତାଙ୍କ ଗାଁର ସମସ୍ତ ଲୋକ ନଳକୂଅ ପାଣି ବ୍ୟବହାର କରନ୍ତି। ପାଣି ଭଲ ଲାଗୁନି। ସମସ୍ତଙ୍କ ଦାନ୍ତ କଳା ପଡ଼ିଯାଉଛି, ଅଣ୍ଟା ବି ବିନ୍ଧୁଛି। ସମସ୍ତେ କୁବୁଜା ହୋଇଯାଉଛନ୍ତି। ୨୫-୩୦ ବର୍ଷର ଯୁବକମାନେ ବୁଢ଼ା ଭଳି ଦେଖାଯାଉଛନ୍ତି। ଲୋକେ ଅନ୍ୟାନ୍ୟ ରୋଗରେ ମଧ୍ୟ ପଡୁଛନ୍ତି। ସେହିଭଳି କରନବାହାଲି ଗାଁର ବାଳମୁକୁନ୍ଦ ଗୁଆଲ କହିଛନ୍ତି ଯେ ତାଙ୍କ ସହିତ ଗାଁର ଅନେକ ଲୋକ ଫ୍ଲୋରସିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି। ଆଉ ଏଥିରେ ଗତ ତିନି ବର୍ଷରେ ଗାଁର ପ୍ରାୟ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।

flouride 2

ପୁଣି ଏହି ପାଣି ପିଇ ଅନେକଙ୍କ କିଡନୀ ମଧ୍ୟ ଖରାପ ହୋଇଛି। କିଡନୀ ରୋଗରେ ପୀଡ଼ିତ ହୋଇ ଜିଲ୍ଲାର ଖଡ଼ିଆଳ ବ୍ଲକର ବଙ୍କାପୁର, ଚାନ୍ଦେଲ, ଠକପାଲି, ଭୋଜପୁର ଆଦି ଗାଁରେ ଏଯାବତ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଅର୍ଥାଭାବରୁ ଅନେକ ଚିକିତ୍ସା ହେବାକୁ ଯାଇ ପାରନ୍ତି ନାହିଁ। ଏପରିକି ଛୋଟ ଛୁଆମାନେ ବି କିଡନୀ ରୋଗରୁ ବର୍ତ୍ତି ନାହାନ୍ତି। ଖାସବାହାଲର ସରପଞ୍ଚ ହଳମଣୀ ମହାନନ୍ଦ କହିଛନ୍ତି ଯେ ତାଙ୍କ ଗାଁ ବଙ୍କାପୁରରେ ଗତ ୧୫ ବର୍ଷ ମଧ୍ୟରେ ୩୦ ରୁ ଅଧିକ ଲୋକଙ୍କର କିଡନୀ ରୋଗରେ ମୃତ୍ୟୁ ହୋଇଛି। ଏବେ ତାଙ୍କ ଗାଁରେ ୫୦ରୁ ଅଧିକ ଲୋକ କିଡନୀ ରୋଗରେ ପୀଡ଼ିତ ଅଛନ୍ତି। ଏପରିକିତାଙ୍କର ୩ ବର୍ଷର ନାତୁଣୀର ବି କିଡନୀ ଖରାପ ହୋଇଛି। ବୁର୍ଲାରେ ତା’ର ଅପରେସନ କରାଯାଇଛି।

ସରକାରୀ ରିପୋର୍ଟ ଅନୁଯାୟୀ, ନୂଆପଡ଼ା ଜିଲ୍ଲାର ମୋଟ ୯୦୫ଟି ଜନବସତିରେ ଥିବା ନଳକୂପଗୁଡ଼ିକରୁ ବାହାରୁଛି ମାତ୍ରାଧିକ ଫ୍ଲୋରାଇଡ ଯୁକ୍ତ ପାଣି। ଜିଲ୍ଲାରେ ନଳକୂପ ଗୁଡ଼ିକରୁ ମାତ୍ରାଧିକ ଫ୍ଲୋରିଡ୍ ମିଶା ପାଣି ବାହାରୁ ଥିବା ନେଇ ପ୍ରଥମେ ଜଣାପଡ଼ିଥିଲା ୧୯୯୦ରେ। ବୋଡ଼େନ୍ ବ୍ଲକର କର୍ଲାକୋଟ୍ ଗାଁର କିଛି ଲୋକ ଚିକିତ୍ସିତ ହେବା ପାଇଁ ଯାଇଥିଲେ ବିଶାଖାପାଟଣା। ସେଠାରେ ପରୀକ୍ଷା ବେଳେ ଜଣାପଡ଼ିଲା ଯେ ସେମାନେ ସମସ୍ତେ ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ନଳକୂପରୁ ବାହାରୁଥିବା ଅତ୍ୟଧିକ ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ସେମାନେ ଫ୍ଲୋରୋସିସ୍ ରୋଗରେ ଆକ୍ରନ୍ତ ହୋଇଛନ୍ତି ବୋଲି ସେତେବେଳେ ଡାକ୍ତରମାନେ କହିଥିଲେ। ଫ୍ଲୋରାଇଡ଼ ଯୁକ୍ତ ପାଣି ପିଇ ଲୋକେ ଭିନ୍ନକ୍ଷମ ହୋଇଯାଉଥିବା ନେଇ ସେତେବେଳେ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶ ପାଇଲା। ଏହା ପରେ ସରକାର ପ୍ରଥମେ କର୍ଲାକୋଟ ଗାଁର ନଳକୂଅ ଗୁଡ଼ିକରୁ ବାହାରୁ ଥିବା ପାଣିର ପରୀକ୍ଷା କରାଇଲେ। ପରୀକ୍ଷାରୁ ଜଣାପଡ଼ିଲା ବିଶାଖାପାଟଣାର ଡାକ୍ତରମାନେ ଠିକ୍ କହିଥିଲେ। ନଳକୂଅ ପାଣିରେ ଥିଲା ମାତ୍ରାଧିକ ଫ୍ଲୋରାଇଡ୍। ଏହା ପରେ ଗାଁର ସମସ୍ତ ନଳକୂଅକୁ ଅଚଳ କରି ଦିଆଗଲା। ଗାଁକୁ ପାଇପ ଯୋଗେ ଯୋଗାଇ ଦିଆଗଲା ବିଶୁଦ୍ଧ ପାନୀୟ ଜଳ। ତା’ପରେ ଜିଲ୍ଲାର ସବୁ ଗାଁର ନଳକୂଅ ପାଣି ପରୀକ୍ଷା କରାଗଲା। ଏଥିରୁ ଜଣାପଡ଼ିଲା ଯେ ୯୦୫ ଟି ଜନବସତିରେ ଥିବା ନଳକୂଅ ଗୁଡ଼ିକରୁ ବାହାରୁଛି ମାତ୍ରାଧିକ ଫ୍ଲୋରାଇଡ୍ ଯୁକ୍ତ ପାଣି।

flouride 3

ଏହି ରିପୋର୍ଟ ଆସିବା ପରେ ଜିଲ୍ଲାର ସମସ୍ତ ଫ୍ଲୋରାଇଡ୍ ପ୍ରଭାବିତ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଅନେକ ଯୋଜନା ପ୍ରସ୍ତୁତ କଲେ ସରକାର। ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠି ବ୍ୟବସ୍ଥା ବି କରାଗଲା। ଫ୍ଲୋରାଇଡ ପ୍ରଭାବିତ ୯୦୫ଟି ଜନବସତିରୁ  ୪୦୦ଟିରେ ପାଇପ ପାଣି ଯୋଗାଣ ବ୍ୟବସ୍ଥା କରାଗଲା। କିନ୍ତୁ ବାକି ୫୦୫ ଟି ଗାଁରେ ଏଯାଏଁ ପାଇପ ପାଣି ବ୍ୟବସ୍ଥା ହୋଇପାରିଲା ନାହିଁ। ଏହି ଜନବସତି ଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ପାଇପ ପାଣି ପ୍ରକଳ୍ପ ଆରମ୍ଭ ହୋଇଛି। କିନ୍ତୁ ବର୍ଷ ବର୍ଷ ଧରି ସେଗୁଡ଼ିକର କାମ ଶେଷ ହୋଇପାରୁନି। ଉଦାହରଣ ସ୍ୱରୂପ ୧୩ଟି ଗାଁକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ  ନୂଆପଡ଼ା ଜିଲ୍ଲା ସଦର ବ୍ଲକର ଆମୋଦୀ ଗାଁରେ ୮ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପ୍ରକଳ୍ପ ନିର୍ମାଣ କରାଯାଉଛି। ଅନେକ ବର୍ଷ ବିତି ଯାଇଥିବା ସତ୍ତ୍ୱେ ଏହା ସଂପୂର୍ଣ୍ଣ ହୋଇପାରୁ ନାହିଁ। ସେହିପରି ସିନାପାଲି ବ୍ଲକର ନୂଆମାଳପଡ଼ାରେ ୨ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ବି ଶେଷ ହୋଇପାରୁନି।

ଅନ୍ୟପକ୍ଷରେ ଯେଉଁ ୪୦୦ ଟି ଗାଁକୁ ସରକାରଙ୍କ ତରଫରୁ ପାଇପ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଥିଲା ସେଥିରୁ ଅଧିକାଂଶ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ତେଣୁ ଲୋକେ କୌଣସି ଉପାୟ ନପାଇ ପୁଣି ଅଚଳ କରାଯାଇଥିବା ନଳକୂପଗୁଡ଼ିକୁ ନିଜେ ସଜାଡ଼ି ସେହି ପାଣିକୁ ବ୍ୟବହାର କରୁଛନ୍ତି।

ନୂଆପଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବହୀ ଯନ୍ତ୍ରୀ ସୁରେଶ କୁମାର ରାଉତ କହିଛନ୍ତି ଯେ ଜିଲ୍ଲାର ବିଭିନ୍ନ ଜନବସତିରେ ୬୦ଟି ନଳକୂପରେ ଫ୍ଲୋରାଇଡ୍ ଫିଲଟର ପ୍ଲାଣ୍ଟ ବସା ଚାଲିଛି। ଏଥିରୁ ବୋଡ଼େନ ବ୍ଲକରେ ୨୦ଟି, ସିନାପାଲିରେ ୨୦ଟି ଓ କାମନାରେ ୨୦ଟି ନଳକୂପ ଅନ୍ତର୍ଭୁକ୍ତ ରହିଛି। ସାରା ଜିଲ୍ଲାରେ ୬୦୦ଟି ନଳକୂଅପରେ ଫ୍ଲୋରାଇଡ୍ ଫିଲଟର ପ୍ଲାଣ୍ଟ ବସା ଯିବ। ଏହା ପେର ପୂରା ଜିଲ୍ଲା ଫ୍ଲୋରାଇଡ଼ ମୁକ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos