/odisha-reporter/media/post_attachments/uploads/2015/04/Gudguda-Photo-5-e1430390086567.jpg)
Gudguda waterfall
କୁଚିଣ୍ଡା: ପାହାଡ ଜଙ୍ଘଲ ଘେରା ଓ ପ୍ରାକୃତିକ ସବୁଜିମାର ଅଞ୍ଚଳ ସମ୍ବଲପୁର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜଙ୍ଗଲ ଭିତରେ ରହିଛି ମନଲୋଭା ପ୍ରାକୃତିକ ପରିବେଶଭରା ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ। ଏହାର ନାମ ଗୁଦଗୁଦା ଜଳପ୍ରପାତ। ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ। ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ସମ୍ବଲପୁରୀ ଲିଚୁ ଓ ସ୍ୱାଦିଷ୍ଟ ଖାଦ୍ୟର ମଜା ମଧ୍ୟ ନେଇଥାନ୍ତି ଏଠାକୁ ଆସିଥିବା ପର୍ଯ୍ୟଟକ। ଏହା ଅତି ମନୋରମ ପର୍ଯ୍ୟଟନ ସ୍ଥଳୀ ଭାବେ ସମ୍ବଲପୁର ଜିଲ୍ଲା ସହ ଓଡ଼ିଶାରେ ମଧ୍ୟ ଖ୍ୟାତି ଲାଭ କରିଛି। ପିକନିକ୍ ସ୍ପଟରେ ଝରଣା ସହ ପ୍ରାକୃତିକ ପରିବେଶ ପ୍ରତି ସବୁ ବର୍ଗର ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି। ଶୀତଋତୁ ଆସିଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଲାଗେ। ପର୍ଯ୍ୟଟନସ୍ଥଳୀକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ଗଛ ସବୁ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ଏହା ସହ ଝରଣାରେ ଗାଧେଇବାର ମଜା ନିଅନ୍ତି ପର୍ଯ୍ୟଟକମାନେ। /odisha-reporter/media/post_attachments/wp-content/uploads/2015/04/Gudguda-Photo-8.jpg)
ଗୁଦଗୁଦା ଜଳପ୍ରପାତ ଯିବାକୁ ହେଲେ ଦୁଇ ଚକିଆ ଓ ଚାରି ଚକିଆ ଯାନରେ ଯିବାକୁ ପଡ଼ିବ। ସମ୍ବଲପୁରଠାରୁ ଗୁଦଗୁଦା ଜଳ ପ୍ରପାତର ଦୂରତା ପ୍ରାୟ ୧୧୦ କିଲୋମିଟର। ସମ୍ବଲପୁର ବସ୍ ଷ୍ଟାଣ୍ଡ୍ କିମ୍ବା ରେଳଷ୍ଟେସନ୍ ଠାରୁ ଅଟୋ କିମ୍ବା ଟ୍ୟାକ୍ସରେ କୁଚିଣ୍ଡା ପର୍ଯ୍ୟନ୍ତ ଯିବାକୁ ପଡିବ । ଆଉ କୁଚିଣ୍ଡା ଠାରୁ ଯିବାକୁ ପଡ଼ିବ ଗୁଦଗୁଦା ଜଳପ୍ରପାତ। ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ରାତିରେ ରହିବା ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା ଅଛି। ପ୍ରଶାସନ ପକ୍ଷରୁ ରହଣୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ବଣ ଭୋଜି ପାଇଁ ରହିଛି ଛୋଟବଡ଼ ଅନେକ ପିଣ୍ଡି। ତା’ସାଙ୍ଗକୁ କିଛି ଅତି ଆବଶ୍ୟକ ଜିନିଷପତ୍ର ବି ମିଳିଥାଏ। ବଣଭୋଜିର ଅନ୍ୟାନ୍ୟ ଆବଶ୍ୟକ ଜିନିଷ ପର୍ଯ୍ୟଟକମାନଙ୍କୁ ସାଙ୍ଗରେ ଆଣିଥିବାକୁ ହୋଇଥାଏ। ଏଠାରେ ଉଭୟ ନିରାମିଷ ଓ ଆମିଷ ଦେଶୀ ଖାଦ୍ୟ ମଧ୍ୟ ମିଳେ। ପର୍ଯ୍ୟଟକମାନେ ଏହି ଦେଶୀ ଖାଦ୍ୟର ବେଶ ମଜା ନେଇ ପାରିବେ। ଏହି ଜଳବାୟୁରେ ପ୍ରଚୁର ଲିଚୁକୋଳି ହୋଇଥାଏ। ଏହି ଅଞ୍ଚଳର ଗୁଦଗୁଦା, ବଡବାହାଲ ଲିଚୁର ବେଶ୍ ଚାହିଦା ରହିଛି।
ପାହାଡ ଓ ଜଙ୍ଘଲ ଘେରା ଅଞ୍ଚଳ ହୋଇଥିବାରୁ ବନ୍ୟଜନ୍ତୁଙ୍କ ଭୟ ସବୁବେଳେ ଲାଗି ରହିଥାଏ। ଏଥିପାଇଁ ଏହି ସ୍ଥାନକୁ ଯିବାକୁ ହେଲେ ସାଙ୍ଗରେ ସ୍ଥାନୀୟ କୁଚିଣ୍ଡା ପୋଲିସ ଫାଣ୍ଡିରୁ ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇପାରିବେ। ପୂର୍ବରୁ ଏହିଠାରେ ପ୍ରଶାସନ ପକ୍ଷରୁ ଗୁଦଗୁଦା ଉତ୍ସବ ପାଳନ କରାଯାଉଥିଲା। ଏହି ଉତ୍ସବକୁ ଦେଖିବାକୁ ରାଜ୍ୟ ସମେତ ବିଦେଶୀଙ୍କ ମଧ୍ୟ ଭିଡ ଜମୁଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
