ସଚିନଙ୍କୁ ଆପଣ କେତେ ଜାଣନ୍ତି ? ତାଙ୍କ ପ୍ରଶଂସକଙ୍କ ପାଇଁ ୨୦ଟି ଅଜଣା କଥା

କ୍ରିକେଟର ଈଶ୍ୱର ବୋଲି କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ଆଜି ୪୪ ବର୍ଷ ପୂରିଛି । ଅସଂଖ୍ୟ ରେକର୍ଡର ଅଧିକାରୀ ଏହି କିମ୍ବଦନ୍ତୀଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଓ କ୍ରୀଡ଼ା ଜୀବନର କିଛି ରୋଚକ ଏବଂ ଅଜଣା କଥା। ୧-ସଚିନଙ୍କ ପୁରା ନାଁ ସଚିନ ରମେଶ ତେନ୍ଦୁଲକର। ତାଙ୍କ ପରିବାରର ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସଚିନ ଦେବ ବର୍ମନଙ୍କ ଅନୁସାରେ ତାଙ୍କର ନାମକରଣ ହୋଇଛି। ସଚିନଙ୍କ ଡାକ ନାଁ ତେନ୍ଦଲ୍ୟା, ଲିଟିଲ ମାଷ୍ଟର, ମାଷ୍ଟର […]

sachin

sachin

Rakesh Mallick
  • Published: Monday, 24 April 2017
  • Updated: 24 April 2017, 01:36 PM IST

Sports

Latest News

କ୍ରିକେଟର ଈଶ୍ୱର ବୋଲି କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ଆଜି ୪୪ ବର୍ଷ ପୂରିଛି । ଅସଂଖ୍ୟ ରେକର୍ଡର ଅଧିକାରୀ ଏହି କିମ୍ବଦନ୍ତୀଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଓ କ୍ରୀଡ଼ା ଜୀବନର କିଛି ରୋଚକ ଏବଂ ଅଜଣା କଥା।

୧-ସଚିନଙ୍କ ପୁରା ନାଁ ସଚିନ ରମେଶ ତେନ୍ଦୁଲକର। ତାଙ୍କ ପରିବାରର ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସଚିନ ଦେବ ବର୍ମନଙ୍କ ଅନୁସାରେ ତାଙ୍କର ନାମକରଣ ହୋଇଛି। ସଚିନଙ୍କ ଡାକ ନାଁ ତେନ୍ଦଲ୍ୟା, ଲିଟିଲ ମାଷ୍ଟର, ମାଷ୍ଟର ବ୍ଲାଷ୍ଟର ଓ ଲିଟିଲ ଚାମ୍ପିଅନ।

୨-୧୯୯୦ରେ ଇଂଲଣ୍ଡ ଗସ୍ତରୁ ଫେରିବା ସମୟରେ ସଚିନ ପ୍ରଥମ ଥର ପାଇଁ ତାଙ୍କ ପତ୍ନୀ ଅଞ୍ଜଳିଙ୍କୁ ଭେଟିଥିଲେ। ବିବାହ ବେଳକୁ ସଚିନଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ସଚିନଙ୍କ ଶ୍ୱଶୁର ସାତ ଥର ଜାତୀୟ ବ୍ରିଜ୍ ଚାମ୍ପିଅନ ହୋଇଛନ୍ତି ।

୩-ସଚିନଙ୍କ ଝିଅର ନାଁ ‘ସାରା’। ସେ କ୍ୟାପଟେନ ଭାବେ ବିଜୟ ଲାଭ କରିଥିବା ପ୍ରଥମ ଟୁର୍ଣ୍ଣାମେଣ୍ଟ ସାହାର କପ୍ ଅନୁସାରେ ତାଙ୍କ ଝିଅର ନାମକରଣ ‘ସାରା’ ହୋଇଛି।

୪-ଅନ୍ତର୍ଜାତୀୟ କ୍ରିକେଟରେ ଥାର୍ଡ୍ ଆମ୍ପାୟାରଙ୍କ ଦ୍ୱାରା ଆଉଟ୍ ଘୋଷିତ ହେବାରେ ସଚିନ ହେଉଛନ୍ତି ପ୍ରଥମ ଖେଳାଳି । ୧୯୯୨ମସିହାରେ ଡର୍ବାନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ମ୍ୟାଚ ଖେଳାଯାଉଥିଲା। ତାଙ୍କୁ ପ୍ରଖ୍ୟାତ କ୍ରିକେଟର୍ ଜଣ୍ଟି ରୋଡ୍ସ ରନ୍ ଆଉଟ କରିଥିଲେ।

୫-ସଚିନ୍ ଜଣେ ଆମ୍ବିଡେକ୍ସଟ୍ରସ୍, ଅର୍ଥାତ୍ ସେ ଦୁଇଟି ଯାକ ହାତକୁ ଅନାୟାସରେ ଭିନ୍ନ ଭିନ୍ନ କାମ ପାଇଁ ବ୍ୟବହାର କରିପାରନ୍ତି। ବାମ ହାତରେ ଖାଆନ୍ତି ଓ ଲେଖନ୍ତି ଏବଂ ଡାହାଣ ହାତରେ ବ୍ୟାଟିଂ ଓ ବୋଲିଂ କରନ୍ତି।

୬-ସଚିନଙ୍କ ଡେବ୍ୟୁ ଟେଷ୍ଟ ମ୍ୟାଚ୍ କପିଳ ଦେବଙ୍କ ୧୦୦ତମ ଟେଷ୍ଟ୍ ମ୍ୟାଚ୍ ଥିଲା।

୭-ସଚିନ୍ ତାଙ୍କ ଡେବ୍ୟୁ ମ୍ୟାଚରେ ସୁନୀଲ ଗାଭାସ୍କର ଉପହାର ଦେଇଥିବା କ୍ରିକେଟ୍ ପ୍ୟାଡ୍ ପିନ୍ଧିଥିଲେ।

୮-ସଚିନ ତେନ୍ଦୁଲକର, ୱାକର୍ ୟୁନିସ୍, ସଲିଲ ଅଙ୍କୋଲା ଏବଂ ସାହିଦ ଆଫ୍ରିଦି ୧୯୮୯ କରାଚି ଟେଷ୍ଟରେ ଏକା ସାଙ୍ଗରେ ଅନ୍ତର୍ଜାତୀୟ ଟେଷ୍ଟ ଡେବ୍ୟୁ କରିଥିଲେ।

୯-ସଚିନ୍, ବ୍ରିଆନ୍ ଲାରା ଏବଂ ଷ୍ଟିଭ୍ ୱଙ୍କ ବ୍ୟାଟ ସ୍ପୋନସର୍ ହେଉଛି ଏମ୍.ଆର୍.ଏଫ୍। ଲାରାଙ୍କ ବ୍ୟାଟର ନାଁ ୱିଜାର୍ଡ, ଷ୍ଟିଭ ୱଙ୍କ ବ୍ୟାଟର ନାଁ ଚାମ୍ପିଅନ୍ ଏବଂ ସଚିନଙ୍କ ବ୍ୟାଟର ନାଁ ଜିନିଅସ୍।

୧୦-ଟିମ୍ ବସ୍ ରେ ସଚିନ୍ ସର୍ବଦା ବାମପଟେ ୱିଣ୍ଡୋ ସିଟ୍ ରେ ବସନ୍ତି। ଏହା ତାଙ୍କର ଅନ୍ଧ ବିଶ୍ୱାସ ମଧ୍ୟରୁ ଗୋଟିଏ।

୧୧-ଗିନିଜ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସରେ ସଚିନଙ୍କ ନାଁରେ ୧୯ଟି ରେକର୍ଡ ରହିଛି।

୧୨-ସଚିନଙ୍କ ପାଇଁ ଆଣ୍ଡ୍ରିଉ ସାଇମଣ୍ଡସ୍ ଏକ ଟି ସାର୍ଟରେ ଅଟୋଗ୍ରାଫ ଦେଇଥିଲେ, ଯେଉଁଥିରେ ଲେଖାଥିଲା ‘ଟୁ ସଚିନ, ଦି ମ୍ୟାନ୍ ୱି ଅଲ୍ ୱାଣ୍ଟ୍ ଟୁ ବି (To Sachin, the man we all want to be)’।

୧୩-ଜିମ୍ବାୱେ ବିପକ୍ଷରେ ସଚିନ ଗୋଟିଏ ବି ଟେଷ୍ଟ ଶତକ ହାସଲ କରି ନାହାନ୍ତି।

sachin2

୧୪-ବିମାନ ଉଡ଼ାଣରେ କୌଣସି ଦକ୍ଷତା ନଥାଇ ମଧ୍ୟ ସଚିନଙ୍କୁ ପ୍ରଥମ ବ୍ୟକ୍ତି ଭାବେ ଭାରତୀୟ ବାୟୁସେନା ପକ୍ଷରୁ ଅନରାରୀ ଗ୍ରୁପ କ୍ୟାପଟେନର ପଦବୀ ପ୍ରଦାନ କରାଯାଇଛି।

୧୫-ସଚିନଙ୍କ ପ୍ରିୟ ହଲିଉଡ୍ ଫିଲ୍ମ ହେଉଛି ଏଡି ମର୍ଫିଙ୍କ କମେଡି ଫିଲ୍ମ ‘କମିଂ ଟୁ ଆମେରିକା’।

୧୬-ସଚିନ ଏମ୍.ଆର୍.ଏଫ୍ ପେସ୍ ଫାଉଣ୍ଡେସନରେ ଫାଷ୍ଟ ବୋଲର୍ ଭାବେ ପ୍ରଶିକ୍ଷଣ ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ଅଷ୍ଟେଲିଆର ପ୍ରଖ୍ୟାତ ବୋଲର୍ ଡେନିସ୍ ଲିଲି ସଚିନଙ୍କ ଦ୍ରୁତ ବୋଲିଂରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବ୍ୟାଟିଂରେ ମନ ଦେବାକୁ ପରାମର୍ଶ ଦେଇଥିଲେ।

୧୭-୧୯୮୭ ବିଶ୍ୱକପ୍ ସେମିଫାଇନାଲରେ ସଚିନ ବଲ୍ ବୟ୍ ଭାବେ କାର୍ଯ୍ୟ କରିଥିଲେ । ୱାଂଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା।

୧୮-ସଚିନ ୧୯୮୮ ରେ ଭାରତ ବିପକ୍ଷ ଏକ ଅଭ୍ୟାସ ମ୍ୟାଚରେ୍ ପାକିସ୍ତାନ ଦଳ ପକ୍ଷରୁ ବିକଳ୍ପ ଖେଳାଳି ଭାବେ ଫିଲ୍‌ଡିଂ କରିଥିଲେ।

୧୯-ସଚିନ ତେନ୍ଦୁଲକର ଏବଂ ବିନୋଦ କାମ୍ବଲିଙ୍କ ନାଁରେ ତିହାର୍ ଜେଲ୍‌ରେ ଦୁଇଟି ୱାର୍ଡ ନାମିତ ହୋଇଛି । ସ୍କୁଲ ମ୍ୟାଚରେ ୬୬୪ ରନ୍‌ର ବିଶାଳ ପାର୍ଟନରସିପ ପାଇଁ ଏହି ନାମକରଣ ହୋଇଛି।

୨୦-ସଚିନ ତାଙ୍କ ବାୟୋପିକ ସଚିନ-ଏ ବିଲିୟନ ଡ୍ରିମସ୍ ରେ ନିଜେ ନିଜ ଭୂମିକାରେ ଅଭିନୟ କରିଛନ୍ତି।

ଉପସ୍ଥାପନା-ସଂଗ୍ରାମ ଦାସ ମହାପାତ୍ର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos