ଦୁନିଆକୁ ଅଲବିଦା କହିଛନ୍ତି ଫ୍ଲାଇଙ୍ଗ୍ ଶିଖ ନାମରେ ଜଣାଶୁଣା ଗ୍ରେଟ୍ ମିଲଖା ସିଂହ। ପତ୍ନୀ ନିର୍ମଳ ସାଇନିଙ୍କୁ ଯିବାର ୫ ଦିନ ପରେ ମିଲଖା ସିଂହ ମଧ୍ୟ ପରଲୋକ ଗମନ କରିଛନ୍ତି। ଭାରତୀୟ କ୍ରୀଡ଼ାକୁ ଯେବେବି ସ୍ମରଣ କରାଯିବ, ମିଲଖା ସିଂହଙ୍କ ନାଁ ସର୍ବଦା ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ। ସେ ଦେଶର ପ୍ରଥମ ଟ୍ରାକ୍ ଆଣ୍ଡ ଫିଲ୍ଡ ସୁପର୍ ଷ୍ଟାର୍ ଥିଲେ। ମିଲଖା ସିଂହ ଶୁକ୍ରବାର ଚଣ୍ଡୀଗଡ଼ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେବଳ ମିଲଖା ଯେ କ୍ରୀଡ଼ାବିତ୍ ଥିଲେ ତାହା ନୁହେଁ, ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଜଣାଶୁଣା କ୍ରୀଡ଼ାବିତ୍।
ବଡ଼ କଥା ହେଉଛି ମିଲଖା ଓ ତାଙ୍କ ପୁତ୍ର ଜୀଭ୍ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଦୁହେଁ ଭାରତର ପ୍ରଥମ ପିତା-ପୁତ୍ର ଭାବେ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି । ମିଲଖାଙ୍କୁ ୧୯୫୯ରେ ଏବଂ ଜୀଭଙ୍କୁ ୨୦୦୭ରେ ଏହି ପୁରସ୍କାର ମିଳିଥିଲା। ମିଲଖା ଭାରତର ସର୍ବଶ୍ରେଷ୍ଠ ଆଥଲେଟ୍ ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ତାଙ୍କ ପତ୍ନୀ ନିର୍ମଳ ସାଇନି ଭାରତୀୟ ଭଲିବଲ୍ ଟିମର ପୂର୍ବତନ କ୍ୟାପଟେନ୍ ରହିଆସିଛନ୍ତି।
ସେହିପରି ତାଙ୍କ ପୁଅ ଜୀଭ୍ ମିଲଖା ସିଂହ ମଧ୍ୟ ଭାରତର ଜଣାଶୁଣା ଗଲ୍ଫର। ନିର୍ମଳ ଜୁନ୍ ୧୩ ତାରିଖରେ କରୋନା ଲଢ଼େଇରେ ହାରି ଯାଇଥିଲେ। ନିର୍ମଳଙ୍କ ଯିବାର ଦୁଃଖ ହୁଏତ ମିଲଖା ସହିପାରିନଥିବେ। ଏହି ଦୁଃଖ ମିଲଖାଙ୍କୁ ବହୁତ ବ୍ୟଥିତ କରିଥିଲା, ଯାହାର ପ୍ରଭାବ ତାଙ୍କ ଶରୀର ଉପରେ ପକାଇଥିଲା। ଶୁକ୍ରବାର ରାତି ୧୧.୩୦ ମିଲଖା ମଧ୍ୟ କରୋନା ସହ ଲଢ଼େଇରେ ହାରି ଗଲେ। ମିଲଖା ସିଂହ ସିନା ଦୁନିଆକୁ ଛାଡ଼ି ଚାଲି ଗଲେ, କିନ୍ତୁ ଆଜିବି ତାଙ୍କ ପ୍ରଦର୍ଶନ ପ୍ରତିଟି ଭାରତୀୟଙ୍କ ହୃଦୟରେ ରହିଛି।
ମିଲଖା ସିଂହ: ମିଲଖା ସିଂହ ୧୯୬୦ରେ ରୋମ୍ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ । ୧୯୫୬ ମେଲବର୍ଣ୍ଣ ଅଲିମ୍ପିକରେ ସେ ନୂଆ ପ୍ରତିଭା ଭାବେ ପାଦ ଦେଇଥିଲେ। ସେହି ବର୍ଷ ତାଙ୍କ ପ୍ରଦର୍ଶନ ଭଲ ରହିନଥିଲା। କିନ୍ତୁ ଆଗାମୀ ବର୍ଷରେ ମିଲଖା ଅନେକ ରେକର୍ଡ ନିଜ ନାଁରେ କରିଥିଲେ। ସେ ୨୦୦ ଓ ୪୦୦ ମିଟରରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ମିଲଖା କେବଳ ରୋମ୍ ଅଲିମ୍ପିକ୍ ପାଇଁ ମହାନ୍ ନଥିଲେ । ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡରେ ମିଲଖାଙ୍କ ଉପଲବ୍ଧି ବହୁତ ଅଧିକ ।
ଏସିଆନ୍ ଗେମ୍ସରେ ସେ ୪ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୯୫୮ରେ ଇଂଲଣ୍ଡରେ ଅନୁଷ୍ଠିତ କମନଓ୍ବେଲଥ ଗେମ୍ସରେ ସେ ୪୦୦ ମିଟର ରେସରେ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଏଥିସହ ସେ ପ୍ରଥମ ଆଥଲେଟ୍ ଭାବେ ଭାରତକୁ ବ୍ୟକ୍ତିଗତ ଗୋଲ୍ଡ ମେଡାଲ୍ ଦେଇଥିଲେ। ଏହାସହ ଜାପାନରେ ଖେଳାଯାଇଥିବା କ୍ରୀଡ଼ାରେ ମିଲଖାଙ୍କ ଜଲୱା ଜାରି ରହିଥିଲା, ଯେଉଁଠାରେ ସେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ୨୦୦ ଓ ୪୦୦ ମିଟର ରିଲେ ରେସରେ ସ୍ୱର୍ଣ୍ଣ ପଦକ ଜିତାଇ ଇତିହାସ ରଚିଥିଲେ ।
୧୯୬୦ରେ ରୋମ୍ ଅଲିମ୍ପିକ୍ସରେ ତାଙ୍କ ନାଁରେ ଏକ ରେକର୍ଡ ହୋଇଥିଲା। ହୁଏତ ସେ ବ୍ରୋଞ୍ଜ ପଦକ ଜିତିବାରୁ ବଞ୍ଚିତ ହେଲେ, କିନ୍ତୁ ରେସରେ ସେ ଯେଉଁଭଳି ଦୌଡ଼ିଥିଲେ, ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ ଥିଲା। ଏହି ଇଭେଣ୍ଟରେ ଯେଉଁ ଧାବକ ଜଣକ ବ୍ରୋଞ୍ଜ ପଦକ ଜିତିଥିଲେ, ସେ ଦୌଡ଼କୁ ୪୫.୫ ସେକେଣ୍ଡରେ ପୂରଣ କରିଥିଲେ। ତେବେ ମିଲଖା ସିଂହ ରେସ୍ ୪୫.୬ ସେକେଣ୍ଡରେ ପୂରଣ କରିଥିଲେ। ମିଲଖାଙ୍କୁ ବ୍ରୋଞ୍ଜ ପଦକ ନଜିତିବାର ଦୁଃଖ ସବୁଦିନ ପାଇଁ ରହିଥିଲା। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୧ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ ସେ ଏହି ପୁରସ୍କାରକୁ ଅସ୍ୱୀକାର କରିଦେଇଥିଲେ । କାରଣ ତାଙ୍କୁ ଏହି ପୁରସ୍କାର ୪୦ ବର୍ଷ ପରେ ମିଳିଥିଲା, ଯାହା ବହୁତ ବିଳମ୍ବ ହୋଇଯାଇଥିଲା ।
ନିର୍ମଳ ସାଇନି: ଭାରତୀୟ ମହିଳା ଭଲିବଲ୍ ଟିମର ପୂର୍ବତନ କ୍ୟାପଟେନ୍ ନିର୍ମଳ ସାଇନିଙ୍କ ଜନ୍ମ ଅକ୍ଟୋବର ୮, ୧୯୩୮ ମସିହାରେ ପଞ୍ଜାବ ଶେଖୁପୁରା (ବର୍ତ୍ତମାନ ପାକିସ୍ତାନ) ହୋଇଥିଲା। ୧୯୫୮ରେ ସେ ପଞ୍ଜାବ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନରେ ମାଷ୍ଟର୍ ଡିଗ୍ରୀ ପୂରଣ କରିଥିଲେ। ସେ ତିନିଥର ପଞ୍ଜାଭ ଭଲିବଲ୍ ଟିମର କ୍ୟାପଟେନ୍ ହୋଇଥିଲା । ୧୯୫୫ରେ ସେ ସିଲନ୍ (ଶ୍ରୀଲଙ୍କା) ଗସ୍ତ ବେଳେ ୟୁପି ଭଲିବଲ୍ ଟିମର ସଦସ୍ୟ ମଧ୍ୟ ଥିଲେ।
୧୯୫୬ ମସିହାରେ ସେ ପତିଆଲାରେ ଆୟୋଜିତ ଜାତୀୟ ଚାମ୍ପିୟନଶିପରେ ବିଜେତା ପଞ୍ଜାବ ଟିମର ସଦସ୍ୟ ଥିଲେ। ଟୁର୍ଣ୍ଣାମେଣ୍ଟରେ ତାଙ୍କ ଟିମ୍ ଗୋଟିଏ ବି ମ୍ୟାଚ୍ ହାରିନଥିଲା। ସେହି ବର୍ଷ ଇଣ୍ଡୋ-ସିଲନ୍ ଚାମ୍ପିୟନଶିପରେ ସେ ନିଜ ଭାବିପତିଙ୍କ ସହ ସାକ୍ଷାତ କରିଥିଲେ, ଯିଏ ଜଣାଶୁଣା ଆଥଲେଟ୍ ମିଲଖା ସିଂହ ନାମରେ ପରିଚିତ ଥିଲେ ।
୧୯୫୯ରେ ସିଲନ୍ ଗସ୍ତରେ ନିର୍ମଳଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ସବୁ ଯାକ ମ୍ୟାଚ୍ ଜିତି ବିଜେତା ହୋଇଥିଲା। ୧୯୬୨ରେ ସେ ମିଲଖା ସିଂହଙ୍କ ସହ ବିବାହ କରିଥିଲେ। ୧୯୬୩ରେ ସେ ଭଲିବଲକୁ ବାଏ ବାଏ କରିଥିଲେ । କିନ୍ତୁ ତାଙ୍କ ଖେଳିବା ସମୟରେ ଅର୍ଥାତ୍ ୧୯୬୩ ପର୍ଯ୍ୟନ୍ତ ପଞ୍ଜାବ ଟିମ୍ ଭାରତରେ ଏକ ନମ୍ବର ଥିଲା । ନିର୍ମଳ ଭାରତର ପ୍ରଫେସନାଲ୍ ଗଲ୍ଫର ଜୀଭ୍ ମିଲଖା ସିଂହଙ୍କୁ ଜନ୍ମ ଦେଇଥିଲେ। ଜୀଭଙ୍କ ଉପରେ ମଧ୍ୟ ସ୍ପୋର୍ଟିଂ ବ୍ୟାକଗ୍ରାଉଣ୍ଡର ବେଶ୍ ପ୍ରଭାବ ପଡ଼ିଥିଲା।
ଏକ ସାକ୍ଷାତକାରରେ ନିର୍ମଳ କହିଥିଲେ ଯେ ଗ୍ଲୋବାଲ୍ ଟୁର୍ଣ୍ଣାମେଣ୍ଟରେ ସେ ସର୍ବଦା ପାରମ୍ପରିକ କପଡ଼ା ପରିଧାନ କରିବାକୁ ପସନ୍ଦ କରୁଥିଲା। ସେହିପରି ଅନ୍ତର୍ଜାତୀୟ ମ୍ୟାଚରେ ନିର୍ମଳା ସବୁବେଳେ ସାଲୱାର୍ କମୀଜ୍ ପିନ୍ଧି ଖେଳୁଥିଲେ।
ଜୀଭ୍ ମିଲଖା ସିଂହ: ଜୀଭ୍ ମିଲଖା ସିଂହ ଭାରତର ପ୍ରଥମ ପେସାଦାର ଗଲ୍ଫର। ସେ ଭାରତର ପ୍ରଥମ ପେସାଦାର ଗଲ୍ଫର, ଯିଏ ୧୯୯୮ରେ ୟୁରୋପିଅନ୍ ଟୁରରେ ଭାଗ ନେଇଥିଲେ। ସେ ୟୁରୋପିଅନ୍ ଟୁରରେ ଚାରୋଟି ଇଭେଣ୍ଟ ଜିତିଥିଲେ। ଏହାସହ ଜୀଭ୍ ପ୍ରଥମ ଭାରତୀୟ ଯିଏ ଗଲ୍ଫ ରାଙ୍କିଙ୍ଗର ଟପ୍-୧୦୦ରେ ସ୍ଥାନ ହାସଲ କରିଥିଲେ । ଏହା ପରେ ୨୦୦୭ରେ ଭାରତ ସରକାର ତାଙ୍କୁ ଦେଶର ନାଗରିକ ସମ୍ମାନ ପଦ୍ମଶ୍ରୀରେ ପୁରସ୍କୃତ କରିଥିଲେ । ଏହା ପୂର୍ବରୁ ଅର୍ଥାତ୍ ୧୯୯୯ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।