ମୋଟୁରେ ସେତୁ : ଓଡ଼ିଶା କରିପାରିଲାନି, ଛତିଶଗଡ଼ କରିବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଏବେ ମୋଟୁଠାରେ ଆଉ ଏକ ସେତୁ ନିର୍ମାଣ ହେବ। ବହୁ ପ୍ରତିକ୍ଷା ପରେ ନିର୍ମାଣ ହେବାକୁ ଯାଉଛି ଏହି ସେତୁ। ଜିଲ୍ଲାର ପଡିଆ ବ୍ଲକଅନ୍ତର୍ଗତ ମୋଟୁଠାରେ ସାବେରୀ ନଦୀ ଉପରେ ଏହି ସେତୁ ନିର୍ମାଣ କରାଯିବାକୁ ଚୂଡାନ୍ତ ହୋଇଛି। କିନ୍ତୁ ଏହି ସେତୁକୁ ଓଡ଼ିଶା ସରକାର ନିର୍ମାଣ କରୁନାହାନ୍ତି। ଏହି ସେତୁ ନିର୍ମାଣ କରିବେ ଛତିଶଗଡ ସରକାର। ଓଡ଼ିଶା ଓ ଆନ୍ଧ୍ରସରକାର […]

Motu Ghata (1)

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 02:22 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଏବେ ମୋଟୁଠାରେ ଆଉ ଏକ ସେତୁ ନିର୍ମାଣ ହେବ। ବହୁ ପ୍ରତିକ୍ଷା ପରେ ନିର୍ମାଣ ହେବାକୁ ଯାଉଛି ଏହି ସେତୁ। ଜିଲ୍ଲାର ପଡିଆ ବ୍ଲକଅନ୍ତର୍ଗତ ମୋଟୁଠାରେ ସାବେରୀ ନଦୀ ଉପରେ ଏହି ସେତୁ ନିର୍ମାଣ କରାଯିବାକୁ ଚୂଡାନ୍ତ ହୋଇଛି। କିନ୍ତୁ ଏହି ସେତୁକୁ ଓଡ଼ିଶା ସରକାର ନିର୍ମାଣ କରୁନାହାନ୍ତି। ଏହି ସେତୁ ନିର୍ମାଣ କରିବେ ଛତିଶଗଡ ସରକାର।

ଓଡ଼ିଶା ଓ ଆନ୍ଧ୍ରସରକାର ଫେଲ ମାରିବାପରେ ଛଡିଶଗଡ ସରକାର ମୋଟୁରେ ସାବେରୀ ନଦୀ ଉପରେ ସେତୁ ନିର୍ମାଣ କରିବାକୁ ପିଡଡବ୍ଲୁଡିକୁ ଚିଠି (୧୦୫୪/ଟି/୧୪,୧୯ ତା୨୧.୦୫.୨୦୧୫) କରିଛନ୍ତି। ଉକ୍ତ ଚିଠି ଅନୁସାରେ ଛତିଶଗଡର କୋଣ୍ଟା ଗ୍ରାମ ଏବଂ ମୋଟୁକୁ ସଂଯୋଗ କରିବା ପାଇଁ ସାବେରୀ ନଦୀ ଉପରେ ନିର୍ମାଣ ହେବ ଏହି ସେତୁ। ଏଥିପାଇଁ ପ୍ରାଥମିକ ଭାବେ ୧୫ କୋଟି ବ୍ୟାୟ ଅଟକଳ କରା ଯାଇଛି। ଆବଶ୍ୟକ ସ୍ଥଳେ ଏହି ରାଶିକୁ ୨୯ କୋଟି ଯାଏଁ ବୃଦ୍ଧି କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ଏହି ସେତୁର ନିର୍ମାଣ କାର୍ଯ୍ୟ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ବର୍ଷକ ମଧ୍ୟରେ ସାବେରୀ ନଦୀ ଉପର ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ଦିଆଯାଇଛି କଡା ନିର୍ଦ୍ଦେଶ ।

ଓଡ଼ିଶା, ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ସୀମାରେ ଅବସ୍ଥିତ ଏହି ଗାଁ ସବୁବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଅଢୁଆଳରେ ରହିଆସିଛି। ରାଜ୍ୟସରକାରଙ୍କ ବହୁ ଚେଷ୍ଠାପରେ ବି ମୋଟୁ ଗାଁରେ ନିର୍ମାଣ ହୋଇପାରିନାହିଁ ଏକ ସେତୁ। ଏହି ଗାଁର ଦୁଇ ପଟେ ବହି ଯାଇଛି ସିଲେରୁ ଓ ସାବେରୀ ନଦୀ। ଓଡ଼ିଶା ଓ ଛତିଶଗଡ ପଟଦେଇ ସାବେରୀ ନଦୀ ବହୁଥିବେଳେ ଆନ୍ଧ୍ରପଟ ଦେଇ ବହିଯାଉଛି ସିଲେରୁ ନଦୀ। ଏହି ନଦୀ ଦ୍ୱୟ ମୋଟୁକୁ ତିନିଟି ରାଜ୍ୟରୁ ବିଛିନ୍ନ କରୁଛି। ଗାଁରୁ ବାହାରକୁ ଆସିବାକୁ ହେଲେ ଦୁଇନଦୀକୁ ପାର କରିବାକୁ ହେବ। ଏଥିପାଇଁ ବହୁ ସମୟରେ ଏହି ଗାଁକୁ ଯୋଗାଯୋଗ କରିବା ସମ୍ଭବ ହୋଇପାରେ ନାହିଁ। ଏହି ଗାଁରେ ଥିବା ୫ହଜାରରୁ ଅଧିକ ଗ୍ରାମବାସୀ ଦେଶୀ ଡଙ୍ଗା ଉପରେ ନିର୍ଭର କରନ୍ତି। ମାଲକାନଗିରି ଜିଲ୍ଲାର ବିଶେଷ କରି କାଲିମେଳାଠାରୁ ମୋଟୁ ପର୍ଯ୍ୟାନ୍ତ ରହୁଥିବା ବହୁ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ଉପରେ ନିର୍ଭର କରନ୍ତି। ମୋଟୁ ନଦୀ ପାର ହେବା ପରେ ଆନ୍ଧ୍ରର ଭଦ୍ରାଞ୍ଚଳମ୍, ରାଜମହେନ୍ଦ୍ରୀ, ବିଜୟୱାଡା ଓ ଛତିଶଗଡକୁ ଯା’ଆସ କରନ୍ତି ମୋଟୁ ଓ ଏହାର ଆଖପାଖ ଗାଁର ଲୋକ। ମାଓ ପ୍ରଭାବିତ ଏହି ଅଞ୍ଚଳରେ ଜନସାଧାରଣଙ୍କ ଯା’ଆସ କରିବା ସହ ଚିକିତ୍ସା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରନ୍ତି। ଏଥିପାଇଁ ରାଜ୍ୟ ସରକାର ରାସ୍ତା ଓ ଗୃହ ନିର୍ମାଣ ହେବା ନେଇ ବିଭାଗ ପକ୍ଷରୁ ୧୨ ଥର ଟେଣ୍ଡର ଡକା ସରିଛି। ହେଲେ ଟେଣ୍ଡର ନେବାକୁ କୌଣସି ସଂସ୍ଥା ଇଚ୍ଛା ପ୍ରକାଶ କରି ନଥିଲେ। ୨୦୦୯ରେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଡଃ ନୀତିନ ଭାନୁଦାସ ଜାୱେଲ ମୋଟୁ ଘାଟରେ ଏକ ଭାସମାନ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ବହୁ ଚେଷ୍ଠା ପରେ ବି ଏଠାରେ ନିର୍ମାଣ ହୋଇ ପାରିଲାନାହିଁ। ଅନ୍ୟପକ୍ଷରେ ସମାନ ଯୋଜନାକୁ ଆନ୍ଧ୍ର ସରକାର ସିଲେରୁ ନଦୀଉପରେ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଆନ୍ଧ୍ରସରକାର ମଧ୍ୟ ସେତୁ ନିର୍ମାଣ କରିବାରୁ ଆଗ୍ରହ ପ୍ରକାଶ କଲେ ନାହିଁ। କେବଳ ୧୨ ମିଟର ଆପ୍ରୋଚ ରୋଡ ସହ ୫ଟି କଲଭଟରେ କାମ ସାରିଛନ୍ତି ଆନ୍ଧ୍ରସରକାର। ଫଳରେ ମୋଟୁର ଯୋଗାଯୋଗ ସମସ୍ୟା ଯେଉଁଠିକି ସେହିଠି ରହିଯାଇଛି। ତେବେ ସେତୁ ନିର୍ମାଣ ପାଇଁ ଛତିଶଗଡ ସରକାର ଅଣ୍ଟା ଭିଡିଥିବା ଯୋଗୁଁ ମୋଟୁ ଓ ଏହାର ଆଖପାଖ ଗାଁ ଲୋକଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ଏହି ସେତୁ ନିର୍ମାଣ ହୋଇଗଲେ ଆନ୍ଧ୍ର, ଛତିଶଗଡ ସହ ମାଲକାନଗିରି ଜିଲ୍ଲା ସିଧାସଳଖ ଭାବେ ଯୋଡି ହୋଇଯିବେ। ଆନ୍ଧ୍ରରର ଭଦ୍ରାଞ୍ଚଳମ୍, ହାଇଦ୍ରାବାଦ,ବିଜୟୱାଡା, ରାଜମହେନ୍ଦ୍ରୀ ଓ ଖମାମ୍ ଅଞ୍ଚଳକୁ ବସ ଓ ଅନ୍ୟନ୍ୟ ଯାନବହାନ ଚଳାଚଳ କରିପାରିବ। କୋରାପୁଟ ଓ ଜୟପୁରର ଲୋକେ ବି ଉପକୃତ ହେବେ।

ଏନେଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତିଯେ, ନବରଙ୍ଗପୁର-ମୋଟୁ ସେତୁ କାର୍ଯ୍ୟକ୍ଷମ ହେଲେ ମାଲକାନଗିରିବାସୀ ଉପକୃତ ହେବ। ମୋଟୁଠାରେ ସେତୁ ନିର୍ମାଣ ଦାୟିତ୍ୱ ନେଇଛନ୍ତି ଛତିଶଗଡ ସରକାର। ଗୁରୁପ୍ରିୟା ସେତୁ ନିର୍ମାଣ ଦାୟିତ୍ୱ ଓଡ଼ିଶା ସରକାର ନେଇଥିବାବେଳେ ସିଲେରୁ ନଦୀଉପରେ ସେତୁ ନିର୍ମାଣ ଦାୟିତ୍ୱ ନେଇଛିନ୍ତି ଆନ୍ଧ୍ର ସରକାର। ତେଣୁ ଏହାକୁ ଯଥାଶୀଘ୍ର ନିର୍ମାଣ କରିବାକୁ ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ, ରାଜ୍ୟସରକାରଙ୍କ ଅପରାଗତା କାରଣରୁ ଏହିଠାରେ ସେତୁଟିଏ ନିର୍ମାଣ ହୋଇପାରୁ ନାହିଁ। ଏହି ସେତୁ ନିର୍ମାଣ ହେଲେ ଅଭିଭକ୍ତ କୋରାପୁଟ ଜିଲ୍ଲାର ନକ୍ସା ବଦଳିବ ବୋଲି ସେ କହିଛନ୍ତି। ବହୁ ବାଦ ବିବାଦ ପରେ ଗୁରୁପ୍ରିୟା ସେତୁ ନିର୍ମାଣ କାମ ଆରମ୍ଭ ହେଉଛି। ହେଲେ ତାହା କେବେ ଶେଷ ହେବ ତାହା ଜଣାପଡୁନାହିଁ ବୋଲି ସେ କହିଛନ୍ତି।

Related story