ପାଣି ପାଇଁ ହନ୍ତସନ୍ତ; ୧୫୦ ପରିବାରକୁ ଗୋଟିଏ କୂଅ

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ବଡ଼ଝାଡ଼ ପଞ୍ଚାୟତର ଦୁଇଟି ଗାଁ ଗୋବରଧୂଳି ଓ ଜହ୍ନବୁଡ଼ିରେ ମିଶି ମୋଟ ୧୫୦ଟି ପରିବାର ବସବାସ କରନ୍ତି। ଏ ଦୁଇଟି ଗାଁର ଏକ ସାଧାରଣ ସମସ୍ୟା ରହିଛି। ଆଉ ତାହା ହେଉଛି ପାନୀୟ ଜଳ ସମସ୍ୟା। ଦୁଇଟି ଯାକ ଗାଁରେ ନଳକୂପ ନାହିଁ କି କୂଅ ନାହିଁ। ସେହିପରି ସେଠାକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବି ହୋଇନାହିଁ। କେବଳ ଗାଡ଼ିଆ ଅଛି। ହେଲେ […]

water

water

Jyoshna Pradhan
  • Published: Sunday, 15 December 2019
  • Updated: 15 December 2019, 12:18 PM IST

Sports

Latest News

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ବଡ଼ଝାଡ଼ ପଞ୍ଚାୟତର ଦୁଇଟି ଗାଁ ଗୋବରଧୂଳି ଓ ଜହ୍ନବୁଡ଼ିରେ ମିଶି ମୋଟ ୧୫୦ଟି ପରିବାର ବସବାସ କରନ୍ତି। ଏ ଦୁଇଟି ଗାଁର ଏକ ସାଧାରଣ ସମସ୍ୟା ରହିଛି। ଆଉ ତାହା ହେଉଛି ପାନୀୟ ଜଳ ସମସ୍ୟା। ଦୁଇଟି ଯାକ ଗାଁରେ ନଳକୂପ ନାହିଁ କି କୂଅ ନାହିଁ। ସେହିପରି ସେଠାକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବି ହୋଇନାହିଁ। କେବଳ ଗାଡ଼ିଆ ଅଛି। ହେଲେ ଗାଡ଼ି ପାଣି ଦୂଷିତ। ତାକୁ ଖାଇବାପିଇବାରେ ବ୍ୟବହାର କରି ହେଉନି। ଏଭଳି ସ୍ଥିତିରେ ଏହି ଦୁଇ ଗାଁ ଲୋକଙ୍କର ଏକମାତ୍ରା ସାହାରା ପାଲଟିଛି ଗୋଟିଏ କୂଅ। ଏହି କୂଅଟି ଗୋବରଧୂଳି ଓ ଜହ୍ନବୁଡ଼ି ଗାଁ ମଝିରେ ରହିଛି। ଉଭୟ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏହି କୂଅଟି ଅଛି। ତେଣୁ ପ୍ରତିଦିନ ଉଭୟ ଗାଁର ଲୋକେ ଗରା, ଡେକ୍‌ଚି ଓ ବାଲ୍‌ଟି ଧରି ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ପାଣି ନେବାକୁ ଏହି କୂଅକୁ ଆସନ୍ତି। ହେଲେ କୂଅ ପାଣି ବି ଭଲ ନାହିଁ। ପାଣି ଦୂଷିତ ହୋଇଯାଇଥିବା ବେଳେ ସେଥିରେ ପୋକ ମଧ୍ୟ ଭାସୁଛନ୍ତି। ଲୋକେ ଏହି ପାଣିକୁ କପଡ଼ାରେ ଛାଣି ବ୍ୟବହାର କରୁଛନ୍ତି। ଏଥିପାଇଁ ବେଳେବେଳେ ଝାଡ଼ାବାନ୍ତିର ବି ଶିକାର ହେଉଛନ୍ତି।

ବର୍ଷ ବର୍ଷ ଧରି ଦୁଇ ଗାଁର ଲୋକେ ପାନୀୟ ଜଳ ପାଇଁ ଏଭଳି ହନ୍ତସନ୍ତ ହେଉଥିବା ବେଳେ ସେମାନଙ୍କ ପାଇଁ କିଛି ବିକଳ୍ପ ବ୍ୟବସ୍ଥା କରାଯାଇପାରିନି। ଏନେଇ ବାରମ୍ବାର ଉଚ୍ଚ ‌ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଗାଁ ଲୋକେ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଜହ୍ନବୁଡ଼ି ଗାଁର ରଞ୍ଜନା ନାୟକ କହିଛନ୍ତି, “ଗାଁରେ ନଳକୂପ ନାହିଁ। ଆମେ ଦୁଇ କିଲୋମିଟର ବାଟରୁ ପାଣି ଆଣୁଛୁ। ହେଲେ ଏହି ପାଣିରେ ପୋକ ବାହାରୁଥିବାରୁ ଛାଣିକି ପିଉଛୁ। ଆଉ କ’ଣ କରିବୁ। ଖରାଦିନ ହେଲେ କୂଅ ପାଣି ଶୁଖି ଯାଉଛି। ସେତେବେଳେ ଅବସ୍ଥା ଦୟନୀୟ ହୋଇପଡ଼ୁଛି।’’

ସେହିପରି ଜହ୍ନବୁଡ଼ି ଗାଁର ସୁରଥ ନାୟକ କହିଛନ୍ତି, “ଦୀର୍ଘ ଦିନ ତଳେ ଏହି କୂଅ ଖୋଳା ଯାଇଥିଲା। ଏହି କୂଅରୁ ଏହି ଦୁଇ ଖଣ୍ଡ ଗାଁ ଲୋକେ ପିଇବା ପାଇଁ ପାଣି ନେଉଛନ୍ତି।  ଝିଅ-ବୋହୂମାନେ ମୁଣ୍ଡରେ ଗରା ଓ ଡେକ୍‌ଚିରେ ପାଣି ବୋହି ନେଉଛନ୍ତି। ଏହି କୂଅ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ବି ଆକ୍ରାନ୍ତ ହେଉଛନ୍ତି। ଏନେଇ ବିଡିଓ ଏବଂ ତହସିଲଦାରଙ୍କୁ କହିଛୁ। ଦରଖାସ୍ତ ବି ଦେଇଛୁ। ହେଲେ କେହି ଶୁଣୁ ନାହାନ୍ତି। ଆମ ଗାଁରେ ନଳକୂପ ଖୋଳିଲେ ଲୁଣି ପାଣି ବାହାରୁଛି।  କେବଳ ଏହି କୂଅଟି ଯାହା ସାହାଭରସା।”

କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି କହିଛନ୍ତି, “କୃଷ୍ଣପ୍ରସାଦର ଅନେକ ଅଞ୍ଚଳ ଚିଲିକା ଘେର ଭିତରେ ରହିଥିବାରୁ ଏଠାରେ ଉଠାଜଳସେଚନ ବସାଇଲେ ଲୁଣି ପାଣି ବାହାରୁଛି l ଯେତେଦୂର ସମ୍ଭବ ସେହି କୂଅ ପାଣିକୁ ବିଶୋଧନ କରାଯାଇ ଲୋକଙ୍କୁ ବିତରଣ କରାଯିବ l”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos