ବ୍ରହ୍ମପୁର (ଜଗନ୍ନାଥ ସାହୁ): ପକ୍କା ଘରେ ରହିବେ। ଖରା, ବର୍ଷା ଓ ଶୀତ କାକରରୁ ମୁକ୍ତି ପାଇବେ। ୨୦୧୮ ମସିହାରେ ଯେତେବେଳେ ବ୍ରହ୍ମପୁର ସହରର ବିଭିନ୍ନ ବସ୍ତିରେ ରହୁଥିବା କିଛି ଲୋକଙ୍କୁ ମହାନଗର ନିଗମ ପକ୍ଷରୁ ରାଜୀବ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଥିଲା, ସେମାନଙ୍କ ମନରେ ଏମିତି ଭାବନା ସୃଷ୍ଟି ହୋଇଥିଲା। ହେଲେ ଏବେ ଆଉ ସେ ଖୁସି ନାହିଁ। କାରଣ ଏହି ଘର ଗୁଡ଼ିକ ମଧ୍ୟରୁ କାହାର କାନ୍ଥ ଫାଟି ଆଁ କରିଥିବା ବେଳେ ଆଉ କେଉଁଠି ପିଲରରୁ ସିମେଣ୍ଟ ଝଡ଼ି ଲୁହାରଡ୍ ଦିଶିଲାଣି। ସେମିତି କାହାର ଝରକା, କବାଟ ଭାଙ୍ଗି ଗଲାଣି। ସେହିପରି ଘରଗୁଡ଼ିକର ଛାତ ସମତୁଲ ହୋଇ ନଥିବାରୁ ବର୍ଷା ଜଳ ଜମି ରହୁଛି। ଅନେକଙ୍କ ଘରେ ପାଣି ବି ଲିକ୍ କରୁଛି। ନିମ୍ନମାନର କାମ ହୋଇଥିବା ଯୋଗୁ ଏମିତି ସ୍ଥିତି ଉପୁଜିଛି ବୋଲି ଘର ପାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ଗେଟା ଓ ପିଚିପିଚା ବସ୍ତି ସହିତ ଆଖପାଖ ଅନ୍ୟାନ୍ୟ ବସ୍ତିରୁ ୧୫୦ରୁ ଅଧିକ ଲୋକଙ୍କୁ ବ୍ରହ୍ମପୁରର ୱାର୍ଡ ନଂ ୫ ସ୍ଥିତ ସୋମନାଥ ନଗରରେ ରାଜୀବ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଛି। ତେବେ ଘରଗୁଡ଼ିକ ଅବସ୍ଥା ମାତ୍ର ଦୁଇ ବର୍ଷ ମଧ୍ୟରେ ବେହାଲ ହୋଇଥିବା ବେଳେ ସେମାନଙ୍କ ଆଉ ଏକ ବଡ଼ ସମସ୍ୟା ହେଉଛି ପାନୀୟ ଜଳ। କେଉଁଠି ପାଣି ଟାଙ୍କିରୁ ଲିକ୍ ହେଉଛି ତ କେଉଁଠି ଟ୍ୟାପ୍ରେ ଠିକ୍ ଭାବେ ପାଣି ଆସୁନି। ଆଉ କେଉଁଠି ଟ୍ୟାପ୍ଗୁଡ଼ିକ ଭାଙ୍ଗି ଗଲାଣି। ଫଳରେ ପାଣି ପାଇଁ ଲୋକମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। କେହି କେହି ୧ କିମି ଦୂରରେ ଥିବା ନଳକୂପରୁ ପାଣି ଆଣି ଚଳୁଛନ୍ତି।
ଏ ସବୁ ଘର ତିଆରି ହୋଇଥିବା ସ୍ଥାନରେ ପରିମଳ ବ୍ୟବସ୍ଥା ମଧ୍ୟ ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନାଳ ଆଦି ସଫା ହେଉଛି। ତେଣୁ ଗନ୍ଧ ହେଉଛି। ମଶାମାଛି ଆଦି ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।
ଏହି ଯୋଜନାରେ ଉପକୃତ ହୋଇଥିବା ଆଶା ବିବି କହିଛନ୍ତି, “ବହୁତ ଅସୁବିଧାରେ ପିଲାଛୁଆଙ୍କୁ ନେଇ ରହୁଛୁ। ଘରେ ପାଣି ଲିକେଜ୍ ରହୁଛି। ବର୍ଷା ଦିନେ ଘରେ ରହିବାକୁ ଅସୁବିଧା ହେଉଛି। ଟ୍ୟାପରେ ପାଣି ଆସୁନି। ସରକାର ଶୀଘ୍ର ଆମର ଏହି ସବୁ ସମସ୍ୟାର ସମାଧାନ କରନ୍ତୁ।”
ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, “ସେମାନଙ୍କର ଯେଉଁ ସବୁ ସମସ୍ୟା ରହିଛି, ତାହାର ଶୀଘ୍ର ସମାଧାନ କରାଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।