୪ଖଣ୍ଡ ଗାଁ ଲୋକଙ୍କ ଭରସା ଗୋଟିଏ ମୋବାଇଲ

ଅନୁଗୋଳ (ବିରଜା ପ୍ରସାଦ ଦାସ): ଆଜିର ଯୁଗରେ ବି ମୋବାଇଲ୍ ନେଟୱର୍କ ପାଇଁ ଦହଗଞ୍ଜ ହେଉଛନ୍ତି ଲୋକେ। ଶୁଣିଲେ ଟିକେ ଅଡୁଆ ଲାଗିବ, ହେଲେ କଥାଟା ସତ। ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ। ସାତକୋଶିଆ  ଅଭୟାରଣ୍ୟ ମଧ୍ୟରେ ଥିବା ଗଇଁନ୍ଦି, ମଝିପଡା, ବେହେରା ସାହି ଓ ରାମିମୁଣ୍ଡା  ଆଦି ୪ଖଣ୍ଡ ଗାଁକୁ ମୋବାଇଲ ନେଟୱର୍କ ଆସେ ନାହିଁ। ଫଳରେ ଲୋକମାନଙ୍କୁ ନାହିଁ ନ ଥିବାର […]

moblle0

moblle0

Tapaswini Nayak
  • Published: Thursday, 09 January 2020
  • Updated: 09 January 2020, 12:02 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାସ): ଆଜିର ଯୁଗରେ ବି ମୋବାଇଲ୍ ନେଟୱର୍କ ପାଇଁ ଦହଗଞ୍ଜ ହେଉଛନ୍ତି ଲୋକେ। ଶୁଣିଲେ ଟିକେ ଅଡୁଆ ଲାଗିବ, ହେଲେ କଥାଟା ସତ। ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ।

ସାତକୋଶିଆ  ଅଭୟାରଣ୍ୟ ମଧ୍ୟରେ ଥିବା ଗଇଁନ୍ଦି, ମଝିପଡା, ବେହେରା ସାହି ଓ ରାମିମୁଣ୍ଡା  ଆଦି ୪ଖଣ୍ଡ ଗାଁକୁ ମୋବାଇଲ ନେଟୱର୍କ ଆସେ ନାହିଁ। ଫଳରେ ଲୋକମାନଙ୍କୁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଗଇଁଦି ଗାଁର ଗୋଟିଏ ସ୍ଥାନକୁ ମୋବାଇଲ ନେଟୱାର୍କ ଆସୁଥିବାରୁ ସକାଳୁ ରାତି ପର୍ଯ୍ୟନ୍ତ ସେଠାରେ ଲୋକଙ୍କ ଗହଳି ଲାଗିରହେ ।
ଗଇଁଦି ଗାଁର ରାସ୍ତା ପାଖରେ ଜଳଧର ପ୍ରଧାନଙ୍କର ଏକ  ଛୋଟିଆ ଦୋକାନ ରହିଛି। ତାଙ୍କ ଦୋକାନ ନିକଟକୁ ନେଟୱର୍କ ଆସିଥାଏ। ଏଥିପାଇଁ ଦୋକାନ ନିକଟରେ ସକାଳଠାରୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଗହଳି ଜମି ରହିଥାଏ। ଜଳଧର ତାଙ୍କ ଦୋକାନ ପାଖରେ ଥିବା ଖୁଣ୍ଟରେ ଫୋନଟିଏ ଟାଙ୍ଗି ଦେଇଛନ୍ତି। ଯାହାର ଦରକାର ପଡ଼େ , ସେ ଆସି ଏହି ମୋବାଇଲରେ ସମ୍ପର୍କୀୟଙ୍କ ସହ କଥା ହୋଇଥାନ୍ତି।

ଗାଁ ଲୋକଙ୍କର ଯାହାର କଲ୍ ଆସେ, ଜଳଧର ତାଙ୍କୁ ଖବର ଦେଇଥାନ୍ତି। ଏହା ସହ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ, ଦମକଳ, ଥାନାକୁ ଯୋଗାଯୋଗ କରିବାକୁ ହେଲେ ଗାଁ ଲୋକେ ଜଳଧର ରଖିଥିବା ଫୋନ ଉପରେ ହିଁ ନିର୍ଭର କରିଥାନ୍ତି। ୪ଖଣ୍ଡ ଗାଁ ଲୋକେ ଏହି ଗୋଟିଏ ଫୋନ୍‌ ଉପରେ ନିର୍ଭର କରି ଚଳିଥାନ୍ତି।

ଜଳଧର ନିଜ ଫୋନରେ ମାସକୁ ଅନଲିମିଟେଡ଼ କଲ ପାଇଁ ରିଚାର୍ଜ କରିଥାନ୍ତି। ଏଥିନିମନ୍ତେ କିନ୍ତୁ ଲୋକଙ୍କଠାରୁ ସେ କୌଣସି ଟଙ୍କା ଦାବି କରି ନ ଥାନ୍ତି।  ଗାଁର ଅନେକ ଲୋକଙ୍କ ପାଖରେ ଆଣ୍ଡ୍ରଏଡ୍ ସେଟ୍ ରହିଛି। କିନ୍ତୁ ନେଟଓ୍ୱର୍କ ନ ଥିବାରୁ ସେ ସବୁ ଘରେ ଏକ ପ୍ରକାର ଅଚଳ ହୋଇପଡ଼ିଛି। ମୋବାଇଲ୍ ସେବା ଯୋଗାଇଦେବାକୁ ଗାଁ ଲୋକେ ଅନେକ ଥର ପ୍ରଶାସନ,ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 

ଅଭୟାରଣ୍ୟ ଅଞ୍ଚଳ ହୋଇଥିବାରୁ ମୋବାଇଲ୍ ଟାଓ୍ୱାର ବସାଇବା ନେଇ କଟକଣା ରହିଥିବାରୁ ନେଟୱର୍କରେ ସମସ୍ୟା ହେଉଛି। ଲୋକେ ଚାହିଁଲେ ଗାଁ ଭିତରେ ହିଁ ଟାଓ୍ୱାର ବସାଇ ପାରିବେ। ଏଥିପାଇଁ National Board Of Wild Lifeର ଅନୁମତି ସହ ଫରେଷ୍ଟ କ୍ଲିଅରାନ୍ସ ନେବା ଜରୁରୀ ବୋଲି କହିଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅତିରିକ୍ତ ଦାୟିତ୍ୱରେ ଥିବା ଡିଏଫ୍ଓ କାର୍ତ୍ତିକ.ଭି।

ଗଇଁଦି ଗାଁର ଜଳଧର ପ୍ରଧାନ କହିଛନ୍ତି, “ଆମ ୪ ଖଣ୍ଡ ଗାଁକୁ ମୋବାଇଲ ନେଟୱର୍କ  ଆସୁନି। ଯାହାଫଳରେ ଲୋକେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ମୋର ଦୋକାନ ପାଖକୁ ନେଟୱର୍କ ଆସୁଛି। ଲୋକମାନେ ଏଠାକୁ ଆସି ମୁଁ ରଖିଥିବା ଫୋନରେ କଥା ହେଉଛନ୍ତି।”

ସେହିପରି ବେହେରାସାହିର ଜ୍ଞାନରଞ୍ଜନ ସାହୁ କହିଛନ୍ତି,‘‍‘ ଆମ ଗାଁକୁ ମୋବାଇଲ ନେଟୱର୍କ ଆସୁନାହିଁ। ସେଥିପାଇଁ ଆମେ ବହୁତ ହଇରାଣ ହେଉଛୁ। ଜିଲ୍ଲା ପ୍ରଶାସନକୁ ଏନେଇ ବାରମ୍ବାର ଆପତ୍ତି କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ଜଳଧରଙ୍କ ଫୋନ୍‌ ଉପରେ ନିର୍ଭର କରି ଚଳିବାକୁ ପଡୁଛି।”

ସାତକୋଶିଆରେ ଥିବା ଆହୁରି ଅନେକ ରାଜସ୍ୱ ଗାଁରେ ମୋବାଇଲ ନେଟଓ୍ୱର୍କ ଆସେ ନାହିଁ।  ଏଠାକୁ ବହୁ ପର୍ଯ୍ୟଟକ ଦେଶ ବିଦେଶରୁ ଆସିଥାନ୍ତି। ହେଲେ ଏଠାକୁ ମୋବାଇଲ ନେଟୱର୍କ ଆସୁ ନଥିବାରୁ ପର୍ଯ୍ୟଟକଙ୍କୁ ହଇରାଣ ହେବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos