Advertisment

ଏମିତି ଥିଲେ ଆମ ସ୍ୱାମୀଜୀ

୧୮୬୩, ଜାନୁଆରୀ ୧୨ ସୋମବାରର ପବିତ୍ର ପ୍ରଭାତରେ କୋଲକାତାର ଏକ ପ୍ରଗତିଶୀଳ ପରିବାରରେ ଆତ୍ମପ୍ରକାଶ କରିଥିଲା ଏକ ଦିପ୍ତୀମୟ ଚେତନା। କଲିକତା ଉଚ୍ଚ ନ୍ୟାୟାଳୟର ଆଟର୍ଣ୍ଣି ଆଟ୍ ଲ ବିଶ୍ୱନାଥ ଦତ୍ତ ଓ ପତ୍ନୀ ଭୁବନେଶ୍ୱରୀ ଦେବୀଙ୍କ ଘରେ ଭୂମିଷ୍ଠ ହୋଇଥିଲେ ଆର୍ଯ୍ୟଭୂମି ଭାରତର ଅପାଶୋରା ଦାୟାଦ ସ୍ୱାମୀ ବିବେକାନନ୍ଦ। ମହାଦେବଙ୍କ ଉପରେ ଅଗାଧ ବିଶ୍ୱାସ ରଖୁଥିବା ମା’ ଆଦରରେ ଡାକୁଥିଲେ ବୀରେଶ୍ୱର ଆଉ ସମସ୍ତଙ୍କ ପାଇଁ ସେ ଥିଲେ ଶ୍ରଦ୍ଧାଶୀଳ ନରେନ୍। ପିଲାବେଳେ ସାଧାରଣରୁ ଥିଲେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଏମିତି ଥିଲେ ଆମ ସ୍ୱାମୀଜୀ

Vivekananda

୮୬୩, ଜାନୁଆରୀ ୧୨ ସୋମବାରର ପବିତ୍ର ପ୍ରଭାତରେ କୋଲକାତାର ଏକ ପ୍ରଗତିଶୀଳ ପରିବାରରେ ଆତ୍ମପ୍ରକାଶ କରିଥିଲା ଏକ ଦିପ୍ତୀମୟ ଚେତନା। କଲିକତା ଉଚ୍ଚ ନ୍ୟାୟାଳୟର ଆଟର୍ଣ୍ଣି ଆଟ୍ ଲ ବିଶ୍ୱନାଥ ଦତ୍ତ ଓ ପତ୍ନୀ ଭୁବନେଶ୍ୱରୀ ଦେବୀଙ୍କ ଘରେ ଭୂମିଷ୍ଠ ହୋଇଥିଲେ ଆର୍ଯ୍ୟଭୂମି ଭାରତର ଅପାଶୋରା ଦାୟାଦ ସ୍ୱାମୀ ବିବେକାନନ୍ଦ। ମହାଦେବଙ୍କ ଉପରେ ଅଗାଧ ବିଶ୍ୱାସ ରଖୁଥିବା ମା’ ଆଦରରେ ଡାକୁଥିଲେ ବୀରେଶ୍ୱର ଆଉ ସମସ୍ତଙ୍କ ପାଇଁ ସେ ଥିଲେ ଶ୍ରଦ୍ଧାଶୀଳ ନରେନ୍। ପିଲାବେଳେ ସାଧାରଣରୁ ଥିଲେ ଟିକେ ଅଧିକ ଦୁଷ୍ଟ । ଥରେ ଦୁଷ୍ଟାମି ଆରମ୍ଭ କରିବା ମାତ୍ରେ ବିଲକୁଲ୍ ବେଲଗାମ୍ ହୋଇ ପଡ଼ୁଥିଲେ । ଅଥଚ ମୁଣ୍ଡ ଉପରେ ଅବା କାନ ପାଖରେ ମା ଥରେ ଶିବ ଶିବ କହିଦେଲେ ଶାନ୍ତ ହୋଇ ପଡ଼ୁଥିଲେ ଅଥୟ ନରେନ୍।

Advertisment

ଶୈଶବରୁ ନରେନଙ୍କ ପାଖରେ ଥିଲା ସନ୍ନ୍ୟାସୀର ମହାତ୍ୟାଗ ପ୍ରୃବୃତ୍ତି। ନିଜ ସନ୍ତାନ ପାଖରେ ମହାଭାବର ଏହି ସର୍ବୋଚ୍ଚ ଲକ୍ଷଣ ଦେଖି ସଜାଗ ହୋଇ ଉଠିଥିଲେ ବାପାମା’। ସାଧୁ ସନ୍ନ୍ୟାସୀ ଭିକ୍ଷା ବୃତ୍ତି ପାଇଁ ଦୁଆରକୁ ଆସିଲେ ନରେନଙ୍କୁ ଏକ କୋଠରୀରେ ରଖି ଚାବି ପକାଇ ଦେଉଥିଲେ। ବାପା ବିଶ୍ୱନାଥ ଦତ୍ତଙ୍କ ରାଜକୀୟ ଚଳଣି, ଭୃତ୍ୟ ଓ ସେବକଙ୍କ ଭିଡ଼ ଭିତରେ ନରେନଙ୍କ ସବୁଠାରୁ ପ୍ରିୟ ଥିଲେ ଘରର ଘୋଡ଼ା ଗାଡ଼ି ଚାଳକ କୋଡମ୍ୟାନ୍। କୁହାଯାଏ ଏହି ଅଶ୍ୱପାଳଙ୍କ ଭଳି ମନର ସଂଖ୍ୟାଧିକ ଦ୍ରୁତଗାମୀ ଇନ୍ଦ୍ରିୟରୂପୀ ଘୋଡ଼ାଙ୍କୁ ଲଗାମ୍ ଦେବାର ଅଭୀପ୍ସା ଘାରିଥିଲା ବାଳକ ନରେନଙ୍କୁ ଶୈଶବରୁ।

ମହାତ୍ୟାଗୀ ଶିବଶମ୍ଭୁଙ୍କୁ ମନରେ ଧରି ବୁଡ଼ି ରହୁଥିଲେ ଶିଶୁ ନରେନ୍ ଘଣ୍ଟା ଘଣ୍ଟା ଧରି ଧ୍ୟାନମଗ୍ନ ଅବସ୍ଥାରେ। ହୋଇପାରେ ତାହା ଥିଲା ଶିଶୁସୁଲଭ କ୍ରୀଡ଼ା କିନ୍ତୁ ସେହି କ୍ରୀଡ଼ାରେ ଲୁଚିଥିଲା ନିଜ ପ୍ରକୃତ ସ୍ୱରୂପକୁ ଖୋଜିବାର ଅଦମ୍ୟ ଇଚ୍ଛା। ଦିନେ ସନ୍ଧ୍ୟାରେ ଆକାଶରେ ଖେଳୁଥିଲେ ଅର୍ଦ୍ଧାକୃତି ଚନ୍ଦ୍ର ଆଉ ସମବୟସୀଙ୍କ ସହ ଧ୍ୟାନ କରୁଥିଲେ ନରେନ। ହଠାତ୍ ଏକ ଗୋଖର ନାଗ ଧ୍ୟାନସ୍ଥଳୀ ଆଡ଼କୁ ମାଡ଼ି ଆସୁଥିବା ଦେଖି ଜଣେ ପିଲା ଚିତ୍କାର କଲା ତ ସମସ୍ତେ ତତକ୍ଷଣାତ୍ ଜାଗା ଛାଡ଼ି ମାରିଲେ ଛୁ। ସାଙ୍ଗମାନଠାରୁ ଖବର ପାଇ ବାପା-ମା ଆସି ଦେଖନ୍ତି ତ ନରେନ୍ ପ୍ରଶାନ୍ତ ପ୍ରସାରିତ ଆକାଶ ଭଳି ନିର୍ବାକ ଓ ନିଷ୍କମ୍ପ ଧ୍ୟାନମଗ୍ନ ଆଉ ନିକଟରେ ଫେଣା ଟେକି ଗୋଖର ଅପଲକ ନୟନରେ ସୌମ୍ୟ ଶାନ୍ତ ମୁଖମଣ୍ଡଳକୁ ଚାହିଁ ରହିଛି ମନ୍ତ୍ରମୁଗ୍ଧ ମୁଦ୍ରାରେ।

Advertisment

୧୮୮୧ ନଭେମ୍ବରର ଏକ ପବିତ୍ର ସନ୍ଧ୍ୟାରେ ନିଜ ଆରାଧ୍ୟ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଭେଟିଥିଲେ ଚପଳ, ଅସ୍ଥିର ଆଉ ଜିଜ୍ଞାସୁ ନରେନ୍। ଏହି ସାକ୍ଷାତ ଥିଲା ସାରା ବିଶ୍ୱ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଆଉ ଏଠାରୁ ଆରମ୍ଭ ହେଲା ଏକ ଅଧ୍ୟାୟ, ଯାହା ଭାରତୀୟ ବେଦାନ୍ତ ସଂସ୍କୃତି ଓ ବିଶ୍ୱ ମାନବ ସଭ୍ୟତା ପାଇଁ ଜାଳିଥିଲା ଚିର ଦେଦୀପ୍ୟମାନ ଦୀପ।

ତ୍ୟାଗୀରୁ ନିର୍ଭୀକ ଆଉ ନିର୍ଭୀକତାରୁ ନେତୃତ୍ୱର ଜନ୍ମଗତ ପ୍ରବୃତ୍ତି ଥିଲା ଅଦମନୀୟ ନରେନଙ୍କ ପାଖରେ। ଜାନୁଆରୀ ୧୮୮୦ରେ କଲିକତାର ପ୍ରେସିଡେନ୍ସି କଲେଜରେ ଭର୍ତ୍ତି ହୋଇଥିଲେ ନରେନ୍ଦ୍ରନାଥ। ସେହି କଲେଜରେ ୧୮୮୫ ପର୍ଯ୍ୟନ୍ତ ପଢ଼ି ପ୍ରଥମେ ଏଫଏ ଓ ପରେ ବିଏ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୧୮୮୧ରେ ସେହି ପ୍ରେସିଡେନ୍ସି କଲେଜର ପ୍ରନିସିପାଲ୍ ପ୍ରଫେସର ହେଷ୍ଟି କ୍ଲାସରେ ଏକ୍ସଟାସୀ ଅବା ଭାବାତୀତ ଅବସ୍ଥାର ଉଦାହରଣ ଦେଇ କହିଥିଲେ ଜଣେ ବିରଳ ବ୍ୟକ୍ତିତ୍ୱ ଅର୍ଥାତ୍ ଦକ୍ଷିଣେଶ୍ୱରର କାଳୀ ମନ୍ଦିରରର ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ କଥା। ପ୍ରଫେସରଙ୍କ ସେହି ସୂଚନା ଯୁବକ ନରେନଙ୍କ ମନରେ ଖେଳାଇ ଦେଇଥିଲା ଅଭୂତପୂର୍ବ ଶିହରଣ, ଦେଇଥିଲା ନୂଆ ଆଶାର ସଂଚାର।

୧୮୮୧ ନଭେମ୍ବରର ଏକ ପବିତ୍ର ସନ୍ଧ୍ୟାରେ ନିଜ ଆରାଧ୍ୟ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଭେଟିଥିଲେ ଚପଳ, ଅସ୍ଥିର ଆଉ ଜିଜ୍ଞାସୁ ନରେନ୍। ଏହି ସାକ୍ଷାତ ଥିଲା ସାରା ବିଶ୍ୱ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଆଉ ଏଠାରୁ ଆରମ୍ଭ ହେଲା ଏକ ଅଧ୍ୟାୟ, ଯାହା ଭାରତୀୟ ବେଦାନ୍ତ ସଂସ୍କୃତି ଓ ବିଶ୍ୱ ମାନବ ସଭ୍ୟତା ପାଇଁ ଜାଳିଥିଲା ଚିର ଦେଦୀପ୍ୟମାନ ଦୀପ। ସେହି ଦୀପ କୋଟି କୋଟି ଭାରତବାସୀଙ୍କୁ ଅନ୍ଧାରରୁ ମୁକ୍ତିର ରାସ୍ତା ଦେଖାଇଲା ତ ସାରା ଦୁନିଆକୁ ବାଣ୍ଟିଲା ବିଶ୍ୱଭାତୃତ୍ୱର ଅମୃତମୟ ମନ୍ତ୍ର।

ତେବେ ୧୮୮୪ର ପ୍ରଥମାର୍ଦ୍ଧ ଥିଲା ନରେନ୍ଦ୍ରଙ୍କ ପାଇଁ ଅଗ୍ନିପରୀକ୍ଷାର ଚରମ ସମୟ। ଫେବ୍ରୁଆରୀ ୨୫ରେ ବାପା ବିଶ୍ନନାଥ ଦତ୍ତଙ୍କ ଅକାଳ ବିୟୋଗ ସାରା ପରିବାରକୁ ନୈରାଶ୍ୟର ସାଗରରେ ବୁଡ଼ାଇ ଦେଲା ଅପ୍ରତ୍ୟାଶିତଭାବେ। ସେତେବେଳକୁ ଆଇନର ଛାତ୍ର ଥିବା ନରେନଙ୍କ ପାଇଁ ଆସିଲା ଆର୍ଥିକ ଅନଟନ ନିଷ୍ଠୁର ବାସ୍ତବତା। ଚାକିରି ନ ମିଳିବାର ବ୍ୟର୍ଥ ଭାବନା, ମା ଓ ଭଉଣୀମାନଙ୍କର ଓଳିଏ ପେଟ ପୂରା କାଇବାରେ ଅସାମର୍ଥ୍ୟ, ଅଦାଲତ ଓ ସାମାଜିକ ଖର୍ଚ୍ଚ ତୁଲାଇବାରେ ବିଫଳତା ସତ୍ତ୍ୱେ ନିଜ ଭିତରେ ଥିବା ପ୍ରଚଣ୍ଡ ଈଶ୍ୱର ବିଶ୍ୱାସକୁ କେବେ ହି ହରାଇ ନଥିଲେ ନରେନ୍। ଏହାରି ଭିତରେ ଚାକିରି କଲେ ଆଉ ଚାକିରି ଛାଡ଼ି ସନ୍ନ୍ୟାସ ନେବାର ଅଭିଲାଷ ତୀବ୍ରତର ହେଲା ତ ପୁଣି ଥରେ ରାମକୃଷ୍ଣଙ୍କୁ ଭେଟିଲେ ନରେନ୍। ଦକ୍ଷିଣେଶ୍ୱରରେ ମା କାଳୀଙ୍କ ଦିବ୍ୟଦର୍ଶନ ଓ ଗୁରୁଦେବ ଶ୍ରୀରାମକୃଷ୍ଣ ପରମହଂସଙ୍କ ଅଭୟବାଣୀ ଧିରେ ଧିରେ ଯୁବକ ନରେନଙ୍କୁ ସ୍ୱାମୀ ବିବେକାନନ୍ଦ ଆଡ଼କୁ ଟାଣି ନେଲା। ମାତ୍ର ପଚିଶ ବର୍ଷ ବୟସରେ ସନ୍ୟାସୀ ହେଲେ ଆଉ ନରେନ ପାଲଟିଗଲେ ସ୍ୱାମୀ ବିବେକାନନ୍ଦ। ମୁଣ୍ଡରେ ପଗଡ଼ି, ଦେହରେ ଗୈରିକ ବସ୍ତ୍ର ଆଉ ଗୋରା ତକତକ ଚେହେରାରେ ରାଜକୀୟ ଠାଣି ଆଉ ରକ୍ତିମା ଅଧର ସାଙ୍ଗକୁ ଦାର୍ଶନିକ ମୁଖମଣ୍ଡଳ ବିବେକାନନ୍ଦଙ୍କୁ ଦେଇଥିଲା ଅନନ୍ୟ ଓ ଅସାଧାରଣ ସ୍ୱାମୀଜୀଙ୍କ ପରିଚୟ।

swami vivekananda୧୮୯୩ ସେପ୍ଟେମ୍ବର ୧୧ରେ ଆମେରିକାର ଚିକାଗୋରେ ଆୟୋଜିତ ଧର୍ମ ସଂସଦରେ କୌଣସି ଧର୍ମ ଓ ସଂପ୍ରଦାୟର ପ୍ରତିନିଧି ନୁହେଁ, ବରଂ ସବୁ ଧର୍ମ ଓ ସଂପ୍ରଦାୟ ରହୁଥିବା ଭାରତ ବର୍ଷକୁ ପ୍ରତିନିଧିତ୍ୱ କରିଥିଲେ ବିବେକାନନ୍ଦ। ଅଭିଭାଷଣର ଆଦ୍ୟ ପର୍ବରେ ସ୍ୱାମୀଜୀଙ୍କ ମୁହଁରୁ ଆମେରିକାର ଭାଇ ଓ ଭଉଣୀମାନେ ର ସମ୍ବୋଧନ ମାତ୍ରେ ସହସ୍ର କରତାଳିରେ ପ୍ରକମ୍ପିତ ହୋଇ ଉଠିଲା ବିଶ୍ୱ ଧର୍ମ ସଂସଦର ସମ୍ମିଳନୀ କକ୍ଷ। ଶହ ଶହ ଶ୍ରୋତା ନିଜ ନିଜ ଆସନରୁ ଛିଡ଼ା ହୋଇ ସ୍ୱାମୀଜୀଙ୍କୁ ଜଣାଇଲେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । ଏହି ସମ୍ବୋଧନ ଭାରତୀୟ ବୈଦିକ ସଂସ୍କୃତିର ବସୁଧୈବଃ କୁଟୁମ୍ବକମର ଆପ୍ତ ବାକ୍ୟକୁ ବିଶ୍ୱ ଦରବାରରେ ଉନ୍ମୋଚନ କଲା। ପରେ ସ୍ୱାମୀଜୀଙ୍କ ମୁହଁରୁ ନିଃସୃତ ହେଲା ଅଗ୍ନିର ଜିହ୍ୱା ସଦୃଶ ଶବ୍ଦମାଳା। ଯେଉଁ ଶବ୍ଦପୁଂଜିରେ ଭାରତର ଅସଲ ସ୍ୱରୂପକୁ ଚିହ୍ନି ପାରିଥିଲା ସାରା ପୃଥିବୀ ଆଉ ଅଦ୍ୱୈତ ସନାତନ ହିନ୍ଦୁ ଧର୍ମର ଅସଲ ଅର୍ଥ ବୁଝିଥିଲା ସାରା ଜଗତ। ଆମେରିକା ଭୂଖଣ୍ଡରେ ଉଡ଼ିଲା ବେଦାନ୍ତର ବିଜୟ, ସାରା ବିଶ୍ୱରେ ପୁନଃ ଆବିଷ୍କୃତ ହେଲା ମହାନ୍ ଭାରତବର୍ଷ। ଆଉ ସ୍ୱଦେଶକୁ ଫେରିବା ପରେ ନିଜ ସୁଯୋଗ୍ୟ ସନ୍ତାନକୁ ସମ୍ବର୍ଦ୍ଧନାର ଉତ୍ସବରେ ମାତି ଉଠିଥିଲା ଆକୁମାରୀ ଭାରତବର୍ଷ।

ଅଧିକ ପଢନ୍ତୁ : ବିବେକାନନ୍ଦଙ୍କ ସ୍ୱପ୍ନ ଓ ସୋନୁ ଏବଂ ସବ୍ୟମାନେ...

୧୮୯୭, ୧ ମେ’ରେ କୋଲକାତାରେ ରାମକୃଷ୍ଣ ମିଶନ ଏବଂ ୧୮୯୮ ଡିସେମ୍ୱର ୯ରେ ଗଙ୍ଗା ନଦୀ କୂଳ ବେଲୁର୍‌ରେ ମଠ ସ୍ଥାପନା କରିଥିଲେ। ଏହା ପୂର୍ବରୁ ଥରେ ସ୍ୱାମୀଜୀ କହିଥିଲେ, ଡାଇବେଟିସ୍ ଓ ଶ୍ୱାସ ଭଳି ରୋଗ ତାଙ୍କୁ ୪୦ ବର୍ଷ ମଧ୍ୟ ପାର୍‌ ହେବାକୁ ଦେବନାହିଁ। ନିଜ ମୃତ୍ୟୁ ନେଇ ବିବେକାନନ୍ଦଙ୍କ ଭବିଷ୍ୟବାଣୀ ସତ ହୋଇଥିଲା। ମାତ୍ର ୩୯ ବର୍ଷ ବୟସରେ ୧୯୦୨, ୪ ଜୁଲାଇରେ ବେଲୁର୍‌ସ୍ଥିତ ରାମକୃଷ୍ଣ ମଠରେ ଧ୍ୟାନମଗ୍ନ ଅବସ୍ଥାରେ ପ୍ରାଣତ୍ୟାଗ କରିଥିଲେ ଭାରତ ମା’ର ଏହି ଶ୍ରେଷ୍ଠ ସନ୍ତାନ। ବେଲୁର୍‌ର ଗଙ୍ଗା ତଟରେ ସ୍ୱାମୀଜୀଙ୍କ ଅନ୍ତିମ ସଂସ୍କାର ହୋଇଥିଲ ଯାହାର ଅପରପାର୍ଶ୍ୱରେ ଥିଲା ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କ ସମାଧି ।

Swami Vivekananda Jayanti