ଡିଲ୍‌କୁ ନେଇ ବିଜେପି ଓ କଂଗ୍ରେସ ଭିତରେ ବାକ୍‌ ଯୁଦ୍ଧ; ମୁହଁ ଖୋଲିଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଫଳାଫଳ ପରେ ‘ଡିଲ୍‌’କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ଏହି ବାକ୍‌ଯୁଦ୍ଧରେ ଲମ୍ଫ ମାରିଛି ବିଜେଡି। ଆଜି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଜେଡି ବିଧାୟକ ସୁଶାନ୍ତ ସିଂ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଆଉ କହିଛନ୍ତି, ଭାରତୀୟ ଜନତା ପାର୍ଟି ଡିଲ୍‌ କରେ। ୨୦୧୪ ନିର୍ବାଚନରେ ସତ୍ୟ ସାହୁ ଛିଡ଼ା ହୋଇନଥିଲେ। ସେତେବେଳେ ସେମାନେ ମଧ୍ୟ ଡିଲ୍ କରିଥିଲେ। ନିର୍ବାଚନରେ ହାରିବା ପରେ ବିଭିନ୍ନ କଥା […]

Susant-Singh

  • Published: Monday, 12 December 2022
  • , Updated: 12 December 2022, 04:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଫଳାଫଳ ପରେ ‘ଡିଲ୍‌’କୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ଏହି ବାକ୍‌ଯୁଦ୍ଧରେ ଲମ୍ଫ ମାରିଛି ବିଜେଡି। ଆଜି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଜେଡି ବିଧାୟକ ସୁଶାନ୍ତ ସିଂ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଆଉ କହିଛନ୍ତି, ଭାରତୀୟ ଜନତା ପାର୍ଟି ଡିଲ୍‌ କରେ। ୨୦୧୪ ନିର୍ବାଚନରେ ସତ୍ୟ ସାହୁ ଛିଡ଼ା ହୋଇନଥିଲେ। ସେତେବେଳେ ସେମାନେ ମଧ୍ୟ ଡିଲ୍ କରିଥିଲେ। ନିର୍ବାଚନରେ ହାରିବା ପରେ ବିଭିନ୍ନ କଥା କହୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି।

ଶ୍ରୀ ସିଂ କହିଛନ୍ତି, ପଦ୍ମପୁରରେ ଜିତିବା ପାଇଁ ସେମାନେ ଡିଲ୍‌ କରିଥିଲେ। ପୂର୍ବତନ ଏମ୍‌ପି ସଞ୍ଜୟ ଭୋଇଙ୍କ ସହିତ ଦିଲ୍ଲୀରେ ଡିଲ୍‌ କରି ଆଣିଥିଲେ। ତାଙ୍କ ମାଧ୍ୟମରେ କଂଗ୍ରେସ ଭୋଟ୍‌କୁ ଡାଇଭର୍ଟ କରିଥିଲେ। ଜିତିବା ପାଇଁ ଓଭର କନ୍‌ଫିଡେଣ୍ଟ ଥିଲେ। ହାରିବାଟାକୁ ଗ୍ରହଣ କରିପାରୁନାହାନ୍ତି। ପଦ୍ମପୁର ହେଉଛି ବିଜେଡିର ଗଡ଼। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପାଇଁ ଆମେ ବିଜୟୀ ହୋଇଛୁ ବୋଲି ସୁଶାନ୍ତ ସିଂ କହିଛନ୍ତି।

ଧାମନଗର ପରାଜୟ ନେଇ ଶ୍ରୀ ସିଂ କହିଛନ୍ତି, ଧାମନଗରେ ଅନୁକମ୍ପା କାମ ଦେଲା। ଆମର ରଣକୌଶଳ ଫେଲ୍‌ ମାରିଲା। ଏହା ଆମେ ସ୍ୱୀକାର କରିଛୁ। ରାଜୁ ଦାସଙ୍କ ସହିତ ବିଜେପି ଡିଲ୍‌ କରିଥିଲା। ସେଠାରେ ଅନେକ କଂଗ୍ରେସ ଭୋଟ ବିଜେପିକୁ ଯାଇଥିଲା। ୧୦ରୁ ଅଧିକ ସରପଞ୍ଚଙ୍କ ସହିତ ବିଜେପି କର୍ମୀମାନେ ମିଶି ଥିଲେ। ଏଠି(ପଦ୍ମପୁରରେ) କୌଣସି ଡିଲ୍‌ ହୋଇନାହିଁ। ବିଜେପି ଅବାନ୍ତରରେ ଅଭିଯୋଗ କରୁଛି। ୨୦ ବର୍ଷର ଶାସନ କାଳ ଭିତରେ ବିଜେଡି ଏତେ ନୀଚ ସ୍ତରକୁ ଯାଇ ରାଜନୀତି କରିନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।

ସେ ଆହୁରି କହିଛନ୍ତି, ପଦ୍ମପୁରରେ ବିଜେପି ନେତାମାନେ ମିଛ କହିଲେ। ରେଳ ପ୍ରକଳ୍ପ, ବୀମା ଟଙ୍କା ଆଦି ପ୍ରସଙ୍ଗରେ ମିଛ କହିଥିଲେ। ଏକ ବିଂଶ ଶତାବ୍ଦୀରେ ଲୋକଙ୍କୁ ସବୁ ଜଣା। ଲୋକ ଭକୁଆ କି ଅଶିକ୍ଷିତ ନାହାନ୍ତି। ସେମାନଙ୍କ ନକାରାତ୍ମକ ପ୍ରଚାରକୁ ଲୋକେ ଗ୍ରହଣ କଲେନାହିଁ ବୋଲି ସିଂ କହିଛନ୍ତି।

୨୦୨୪ ନିର୍ବାଚନ ନେଇ ଶ୍ରୀ ସିଂ କହିଛନ୍ତି, “୨୦୨୪ ପାଇଁ ଭିତ୍ତିପ୍ରସ୍ତର ପଡ଼ି ସାରିଛି। ବିଜେଡିର ଏକ ନମ୍ୱର ନିର୍ବାଚନମଣ୍ଡଳୀ ହେଉଛି ପଦ୍ମପୁର। ଏଠାରେ ବିଜେଡି ବିଜୟ ବାନା ଉଡ଼ାଇଛି। ଓଡ଼ିଶାବାସୀ ମନ ବନାଇ ସାରିଲେଣି ୨୦୨୪ ମସିହାରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ନବୀନ ପଟ୍ଟନାୟକଙ୍କୁ ବସାଇବେ। ମୁଖ୍ୟମନ୍ତ୍ରୀ ମଧ୍ୟ ୨୪ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି।”

ସୂଚନାଯୋଗ୍ୟ ଯେ ପଦ୍ମପୁରର କଂଗ୍ରେସ୍‌ ଭୋଟ୍‌ ହାତେଇବା ପାଇଁ ଭୁବନେଶ୍ୱରରେ ବିଜେଡି ଡିଲ୍‌ କରିଥିଲା ଓ ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ପଦ୍ମପୁର ଯାଇଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଇ ଦିନ ତଳେ ଅଭିଯୋଗ କରିଥିଲେ। ଜୟନାରାୟଣଙ୍କ ଅଭିଯୋଗ ପରେ ଗତ କାଲି ଡିଲ୍‌ ହୋଇଥିବା ପରୋକ୍ଷରେ ସ୍ୱୀକାର କରିଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଏହାକୁ ନେଇ ଗତ ତିନି ଦିନ ହେଲା ରାଜ୍ୟ ରାଜନୀତିରେ ତର୍କବିତର୍କ ଚାଲିଛି।

Related story