କୁଟ୍ଟେଙ୍କ ବିରୁଦ୍ଧରେ ପୁଣି ଫେରାଦ ହେଲା ବିଜେପି: ନିରପେକ୍ଷ ନିର୍ବାଚନ ପାଇଁ କଲା ଦାବି

ବିଜେପି ରାଜ୍ୟ ମୁଖପାତ୍ର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ, ଆଶୀଷ ସିଂ ଓ ସତ୍ୟବ୍ରତ ଭୋଇଙ୍କୁ ତୁରନ୍ତ ନିର୍ବାଚନ ଦାୟିତ୍ୱରୁ ବାଦ୍ ଦେବାକୁ ଅନୁରୋଧ କରିଛନ୍ତି।

ବିଜେପି ନେତା

  • Published: Wednesday, 10 April 2024
  • , Updated: 10 April 2024, 10:20 PM IST

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଆଜି ପୁଣିଥରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । କ୍ଷମତାର ଅପବ୍ୟବହାର କରି ସରକାରୀ ଅଫିସରମାନଙ୍କ ମାଧ୍ୟମରେ ଶାସକ ବିଜେଡି ସପକ୍ଷରେ ଭୋଟ୍ ହାତେଇବା ପାଇଁ ଧମକଚମକ ଦେଉଛନ୍ତି । ପୁଲିସ ଆଇଜି ଆଶୀଷ ସିଂ ଓ ସତ୍ୟବ୍ରତ ଭୋଇ ମଧ୍ୟ ଅନୁରୂପ ଭାବେ ମଧ୍ୟ ବିଜେଡି ସପକ୍ଷରେ ଭୋଟ୍ ହାତେଇବାକୁ ବେଆଇନ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଯଦି ଏଭଳି ସ୍ଥିତି ଲାଗି ରହେ ରାଜ୍ୟରେ ନିରପେକ୍ଷ ନିର୍ବାଚନ ସମ୍ଭବପର ନୁହେଁ ବୋଲି ବିଜେପି କହିଛି।

ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ, ଆଶୀଷ ସିଂ ଓ ସତ୍ୟବ୍ରତ ଭୋଇଙ୍କୁ ତୁରନ୍ତ ନିର୍ବାଚନ ଦାୟିତ୍ୱରୁ ବାଦ୍ ଦେବାକୁ ଅନୁରୋଧ କରିଛନ୍ତି । ଗଞ୍ଜାମର ସାଧାରଣ ଭୋଟରଙ୍କୁ କିଭଳି ଭୟଭୀତ କରାଯାଉଛି ସେ ସମ୍ପର୍କରେ ଅବଗତ କରାଇଛନ୍ତି । ଅପରାଧପ୍ରବଣ ଗଞ୍ଜାମରେ ନିର୍ବାଚନବେଳେ ହିଂସା ହେବାର ଆଶଙ୍କା ଥିଲେ ମଧ୍ୟ କାହା ନିର୍ଦ୍ଦେଶରେ ବର୍ତ୍ତମାନର ବିଧାୟକ ତଥା ବ୍ରହ୍ମପୁରରୁ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରାଯାଇଛି ସେ ନେଇ ମଧ୍ୟ ବିଜେପି ପ୍ରତିନିଧିମଣ୍ଡଳୀ ଆଜି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ଛାଟ ପରେ ରାଜ୍ୟ ସରକାର ବାଧ୍ୟ ହୋଇ କିଛି ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କୁ ବଦଳି କଲେ । ଦୀର୍ଘ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ପୁଲିସ ଅଧିକାରୀ ଡିଏସକୁଟ୍ଟେ କ୍ଷମତାର ଅପବ୍ୟବହାର କରି ସରକାରୀ ଅଧିକାରୀଙ୍କ ଜରିଆରେ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବାର ବେଆଇନ କାର୍ଯ୍ୟ କରୁଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି । ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ତତ୍କାଳୀନ ପୁଲିସ ଡିଆଇଜି ଆଶିଷ ସିଂହଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିକଟରେ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ଚଂଚକତା କରି ଶ୍ରୀ ସିଂହଙ୍କୁ ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଉତରାଂଚଳ ପୁଲିସ ଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଗଲା ମଧ୍ୟ ସରକାରୀ କଳ ଓ ବଳର ଅପବ୍ୟବହାର କରି ଭୋଟ ହାତେଇବାର ମନ୍ଦ ଉଦ୍ଦେଶ୍ୟରୁ ଶାସକ ବିଜେଡି ନିବୃତ ହେଉନାହିଁ । ଶାସକ ବିଜେଡି ଏବେ ନିର୍ବାଚନ ଜିତିବା ପାଇଁ ସରକାରୀ ଅଫିସରମାନଙ୍କୁ ଦଳୀୟ କର୍ମୀ ଭଳି କାର୍ଯ୍ୟ କରାଉଛି । ବରିଷ୍ଠ ସରକାରୀ ଅଧିକାରୀମାନେ ମୋବାଇଲରେ ଚୋରା ସିମ୍ ପକାଇ ଜନତାଙ୍କୁ ଧମକ ଦେବା ସହ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରାଉଛନ୍ତି । ତେଣୁ ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ଅଛି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି।

ସେହିପରି ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟର ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ହେଉଛି ଗଞ୍ଜାମ । କିନ୍ତୁ ସେଠାରେ ଭୋଟରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ନିର୍ବାଚନ ଆସିଲେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅଂଚଳ ରକ୍ତମୁଖା ହୋଇଯାଏ । ଶାସକ ଦଳ ବିରୋଧରେ ଯିଏ ମୁହଁ ଖୋଲେ ସେ ମୃତ୍ୟୁବରଣ କରେ । ଶାସକ ଦଳ ହିଞ୍ଜିଳିରେ ନିଜର ପତିଆରା ଦେଖାଇ ବିରୋଧୀଙ୍କ ମୁହଁକୁ ବନ୍ଦ କରିବା ସହ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ପୋଷାଗୁଣ୍ଡା ଭଳି କାମ କରାଏ । ଗଞ୍ଜାମ ଜିଲ୍ଲାରେ ହତ୍ୟା ରେକର୍ଡ ଦିନକୁ ଦିନ ବଢ଼ୁଛି । ଗତ ବର୍ଷ ୧୦୦ରୁ ଉର୍ଦ୍ଧ୍ୱ ହତ୍ୟା ଘଟିଛି । ଚଳିତ ବର୍ଷ ଏବେସୁଦ୍ଧା ୧୩ରୁ ଉର୍ଦ୍ଧ୍ୱ ହତ୍ୟାକାଣ୍ଡ ଘଟିସାରିଛି। ଏଭଳି ସମ୍ବେଦନଶୀଳ ଅଂଚଳରୁ ସେ ବିଧାୟକ ଭାବେ ନିର୍ବାଚିତ ତଥା ଏବେ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କଠୁ ରାଜ୍ୟ ସରକାର ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ୨୦୨୨ ମସିହା ଅଗଷ୍ଟ ୧୫ ଓ ୨୦୨୩ ଅଗଷ୍ଟ ୨୫ ତାରିଖରେ ପୁଲିସ ଉପସ୍ଥିତିରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ପ୍ରଦାନ କରାନଯିବା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

ଜିଲ୍ଲାପାଳ, ଏସପି, ଆଇଆଇସି, ବିଡିଓ, ତହସିଲଦାର ସିମ୍ କାର୍ଡ ଇସ୍ୟୁ କରି କାହାକୁ କାହାକୁ କଲ କରୁଛନ୍ତି ତାହାର ତଦନ୍ତ କରାଯାଉ । ସବୁ ରାଜନୈତିକ ଦଳ ଉପରେ ଇସିଆଇର ଗାଇଡଲାଇନ ଲାଗୁ ହେଉ ବୋଲି ବୋଲି ଶ୍ରୀ ପାଣିଗ୍ରାହି ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ କସ୍ତୁରୀ ମିଶ୍ର, ସୁଜିତ ଦାସ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

ସୂଚନାଯୋଗ୍ୟ, ବିଜେପିର ଏକ ପ୍ରତିନିଧି ଦଳ ଗତ ଦୁଇଦିନ ତଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଫେରାଦ ହୋଇଥିଲା । ବିଜେଡି ସପକ୍ଷରେ ଭୋଟ୍ ହାତେଇବା ପାଇଁ ସେ କିଭଳି କାର୍ଯ୍ୟ କରୁଛନ୍ତି ସେ ନେଇ ଅଭିଯୋଗ କରିଥିଲା ।

Related story