ବିଜେପି ସରକାରର ଶପଥ ସମାରୋହ ପାଇଁ ଭୁବନେଶ୍ୱରରେ ଅଧାଦିନ ସରକାରୀ ଛୁଟି

ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତତିରେ ବିଜେପିର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ।

BJP ପତାକା

  • Published: Monday, 10 June 2024
  • , Updated: 10 June 2024, 10:41 PM IST

ଦିନକ ପରେ ରାଜ୍ୟରେ ପ୍ରଥମଥର ପାଇଁ ବିଜେପିର ସରକାର ଗଠନ ହେବାକୁ ଯାଉଛି । ଏହି ଶପଥ ସମାରୋହ ପାଇଁ ରାଜ୍ୟ ସରକାର ବୁଧବାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତତିରେ ବିଜେପିର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଏହି ଶପଥ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ସମସ୍ତଙ୍କୁ ଦୁଇଟି ଲେଖାଏଁ ଦୀପ ନିଜ ଘରେ ଜାଳିବାକୁ ଆହ୍ୱାନ କରାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଆସନ୍ତା ୧୨ତାରିଖ ଦିନ ୧ଟାରୁ ଛୁଟି ରହିବ ।

ସୂଚନାଯୋଗ୍ୟ, ରାଜ୍ୟରେ ୨୪ବର୍ଷର ବିଜେଡି ସରକାରର ଅନ୍ତ ଘଟିଛି ଓ ଆସନ୍ତା ୧୨ତାରିଖ ଅପରାହ୍ନ ୫ଟାରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମୋଦି ଉକ୍ତଦିନ ୨ଟା ୧୦ମିନିଟରେ ଭୁବନେଶ୍ୱରରେ ପହଂଚି ରାଜଭବନ ଯିବେ । ସେଠାରୁ ଜନତା ମଇଦାନରେ ଆୟୋଜିତ ଶପଥ ସମାରୋହରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Related story