ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନବେଳେ ମହିଳାଙ୍କୁ ଭୋଟବ୍ୟାଙ୍କ ଭଳି ଉପଯୋଗ କରୁଥିବା ଶାସକ ବିଜେଡିର ‘ମହିଳା’ ପ୍ରୀତି ପଦାରେ ପଡ଼ିଛି । ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇ ଜାତୀୟ ରାଜନୀତି ହଟଚମଟ କରିଥିବା ବିଜେଡି ବାସ୍ତବରେ ମହିଳା ନେତୃତ୍ୱଙ୍କୁ ପ୍ରୋତ୍ସାହିତ କରିବା କିମ୍ବା ସଂସଦ କି ବିଧାନସଭାରେ ୩୩ ପ୍ରତିଶତ ମହିଳା ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବାକୁ ଆନ୍ତରିକତା ଦେଖାଉନଥିବା ଜଣାପଡ଼ିଛି । ବିଶେଷକରି କୋଶଲ ଅଂଚଳ ବା ପଶ୍ଚିମଓଡ଼ିଶାରେ ମହିଳା ନେତୃତ୍ୱ ସଙ୍କଟ ଲାଗି ରହିଥିଲେ ମଧ୍ୟ ରାଜ୍ୟରେ ସାମାଜିକ ଓ ଆଂଚଳିକ ବୈଷମ୍ୟ ଦୂର ସହ ଏସବୁ ଅଂଚଳରେ ମହିଳା ନେତୃତ୍ୱ ସୃଷ୍ଟି କରିବାରେ ଶାସକ ବିଜେଡି ବିଫଳ ହୋଇଥିବା ଗତକାଲିର ରାଜ୍ୟସଭା ପ୍ରାର୍ଥୀ ଚୟନରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ‘ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ’ ପ୍ରସଙ୍ଗ ଉଠାଇଥିବା ବିଜେଡି ରାଜ୍ୟସଭାକୁ ଅତିକମରେ ୨ଜଣ ମହିଳାଙ୍କୁ ପଠାଇ ସଂସଦର ଉଚ୍ଚସଦନରେ ଦଳର ମହିଳା ପ୍ରତିନିଧିତ୍ୱକୁ ୩୩ ପ୍ରତିଶତ ସୁନିଶ୍ଚିତ କରି ଏକ ସନ୍ଦେଶ ଦେବ ବୋଲି ରାଜନୀତିକ ମହଲରେ ଆକଳନ କରାଯାଉଥିଲା । କିନ୍ତୁ ବିଜେଡି ୩ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ନିଜର ‘ମହିଳା ସଂରକ୍ଷଣ’ର ଫମ୍ପା ସ୍ଲୋଗାନ ଓ ନଗ୍ନ ଚିତ୍ରକୁ ପଦାରେ ପକାଇଛି । ମାତ୍ର ଜଣେ ମହିଳା ସୁଲତା ଦେଓଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରି ଦଳ ୩୩ ପ୍ରତିଶତ ପ୍ରତିନିଧିତ୍ୱର ନିଜର ସ୍ଲୋଗାନକୁ ‘ଶୀତଳ ଭଣ୍ଡାର’କୁ ପକାଇ ଦେଇଛି । ଦଳ ପକ୍ଷରୁ ଲୋକସଭାରେ ଦକ୍ଷିଣ ଓଡ଼ିଶାରୁ ପ୍ରମିଳା ବିଶୋୟୀ, ପୂର୍ବ ଓଡ଼ିଶାରୁ ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ ଓ ମଞ୍ଜୁଲତା ମଣ୍ଡଳ ଏବଂ ଉତ୍ତର ଓଡ଼ିଶା ଚନ୍ଦ୍ରାଣୀ ମୁର୍ମୁ ଏବଂ ମମତା ମହନ୍ତ(ରାଜ୍ୟସଭା) ସଂସଦକୁ ପ୍ରତିନିଧିତ୍ୱ କରୁଥିବାବେଳେ ଦଳ ଉପକୂଳ ଓଡ଼ିଶାରୁ ପୁଣିଜଣେ ମହିଳା(ସୁଲତା ଦେଓ)ଙ୍କୁ ସଂସଦକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଯଦିଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା(କୋଶଲ ଅଂଚଳ)ରେ ବିଜେଡିର ଜଣେ ବି ମହିଳା ପ୍ରତିନିଧିତ୍ୱ ସଂସଦରେ ନାହିଁ । ରାଜ୍ୟସଭାରେ ବିଜେଡିର ପ୍ରତିନିଧିତ୍ୱ ଜଣେ ମହିଳା ସାଂସଦ ମମତା ମହନ୍ତ ଓ ଜଣେ ସଂଖ୍ୟାଲଘୁ ସାଂସଦ ମୁନ୍ନା ଖାନ୍ ଏବେ କାର୍ଯ୍ୟ କରୁଛନ୍ତି। ରାଜ୍ୟସଭାରେ ଦଳର ଓବିସି ଓ ପଛୁଆ ବର୍ଗର ପ୍ରତିନିଧିତ୍ୱ ଥିଲେ ମଧ୍ୟ ପୁଣିଥରେ ଏହି ବର୍ଗରୁ ପ୍ରାର୍ଥୀ ଚୟନ କରିଛି । ଦଳ ଏସବୁପ୍ରତି ସାମାନ୍ୟତମ ଗୁରୁତ୍ୱ ନଦେଇ ପାୱାର କରିଡରର ତୋଷାମଦକାରୀଙ୍କୁ ରାଜ୍ୟସଭାକୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟସଭାକୁ ୨ଜଣ ମହିଳାଙ୍କୁ ପଠାଇ ରାଜ୍ୟସଭାରେ ବିଜେଡି ନିଜର ୩୩ ପ୍ରତିଶତ ମହିଳା ପ୍ରତିନିଧିତ୍ୱକୁ ସୁନିଶ୍ଚିତ ବି କରାଇପାରିଥାନ୍ତା।
ପଶ୍ଚିମ ଓଡ଼ିଶାରେ ବିଜେଡି ପାଖରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଛାଡ଼ିଦେଲେ ଏବେ ମହିଳା ଚେହେରା ନାହାନ୍ତି । ସ୍ନେହାଙ୍ଗିନୀ ଏବେ ମହିଳା ବିଜେଡିର ସଭାନେତ୍ରୀ ଥିବାବେଳେ ସେ ନିଜ ଦମରେ ରାଜନୀତିକୁ ଆସି ତିଷ୍ଠି ରହିଛନ୍ତି । ତାଙ୍କୁ ବାଦ୍ ଦେଲେ ଏହି ଅଂଚଳର ଅନ୍ୟ ୨ଜଣ ଟୁକୁନି ସାହୁ ଓ ରୀତା ସାହୁ ନିଜର ଦିବଂଗତ ସ୍ୱାମୀଙ୍କ ଯୋଗୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଦଳର ଗ୍ରହଣୀୟ ଚେହେରା ହୋଇପାରିନାହାନ୍ତି । ବ୍ରଜରାଜନଗର ଉପନିର୍ବାଚନରେ ଦିବଂଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ବିଜେଡି ପ୍ରାର୍ଥୀ କରି ସହାନୁଭୂତି ଭୋଟ୍ ହାତେଇବାକୁ ଚାହିଁଥିଲେ ମଧ୍ୟ ସେ ବି ରୀତା ସାହୁଙ୍କ ଭଳି ‘ରିମୋଟ୍ କଂଟ୍ରୋଲ’ ରାଜନୀତିର ଶିକାର ହେବେ।
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପାଖରେ ‘ମହିଳା କାର୍ଡ’ ଖେଳିବାର ପର୍ଯ୍ୟାପ୍ତ ସୁଯୋଗ ଥିଲେ ମଧ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀର ଚାପରେ ଦଳ ରାଜ୍ୟସଭାର ପ୍ରାର୍ଥିତ୍ୱ ଚୟନ କରାଇଥିବା ଜଣାପଡ଼ିଛି । ପଶ୍ଚିମ ଓଡ଼ିଶାରୁ ସୁସ୍ମିତା ବାଗଚୀ, ଶ୍ରୀମୟୀ ମିଶ୍ର ଓ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭଳି ଚେହେରାକୁ ରାଜ୍ୟସଭା ପଠାଇ କୋଶଲ ଅଂଚଳରୁ ସଂସଦରେ ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱକୁ ବିଜେଡି ସୁନିଶ୍ଚିତ କରାଇପାରିଥାନ୍ତା । କିନ୍ତୁ ବିଜେଡି ଏହା ନକରି ପ୍ରଭାବଶାଳୀ ଗୋଷ୍ଠୀର ଚାପରେ ଏଭଳି ପ୍ରାର୍ଥୀ ଚୟନ କଲା, ଯାହାକୁ ନେଇ ଦଳ ଭିତରେ ଓ ବାହାରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି । ଯଦିଓ କାର୍ଯ୍ୟାନୁଷ୍ଠାନ ଭୟରେ ସମସ୍ତେ ଚୁପ୍ ଅଛନ୍ତି କିନ୍ତୁ ଏହି ନିରବତା ଓ ଅସନ୍ତୋଷ ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ଆଡ଼କୁ ବିଜେଡିକୁ ଠେଲି ଦେବ ବୋଲି ଆଶଙ୍କା କରାଯାଉଛି । କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁମାନଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦେଇଥିଲେ ଓ ଯେଉଁ ଉଦ୍ଦେଶ୍ୟରେ ‘ମହିଳା କାର୍ଡ’ ଖେଳିଥିଲେ ସେସବୁକୁ ମଧ୍ୟ ଏହି ପ୍ରଭାବଶାଳୀ ଗୋଷ୍ଠୀ ନିଷ୍ପ୍ରଭ କରିଛି। ଆଂଚଳିକ ବୈଷମ୍ୟ ଦୂର ପାଇଁ ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱର ଆବଶ୍ୟକତା ଜରୁରୀ ଥିଲା । କିନ୍ତୁ ଦୁଇଦିନ ତଳେ ଦଳରେ ମିଶିଥିବା ସନାତନ ବିଶିଙ୍କୁ ରାଜ୍ୟସଭା ଟିକେଟ୍ ଦେବା ପଶ୍ଚିମଓଡ଼ିଶାର ବିଜେଡି ନେତାମାନଙ୍କ ପାଇଁ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି । ପଶ୍ଚିମଓଡ଼ିଶାରେ ମହିଳା ନେତୃତ୍ୱ ସୃଷ୍ଟି ନକରି ଦଳ ପରୋକ୍ଷରେ ଏହି ଅଂଚଳରେ ମହିଳା ଭୋଟ ବ୍ୟାଙ୍କକୁ ପାଦରେ ଆଡ଼େଇ ଦେଇଛି । ପଶ୍ଚିମ ଓଡ଼ିଶାରେ ବିଜେପିର ମହିଳା ଭୋଟ୍ ବ୍ୟାଙ୍କ ଦୁର୍ବଳ ଥିଲେ ମଧ୍ୟ ବିଜେଡିର ଏଭଳି ନିଷ୍ପତ୍ତି ଏବେ ଦଳକୁ ମହିଳା ଭୋଟରଙ୍କଠୁ ଦୂରେଇବାର ମାର୍ଗକୁ ପ୍ରଶସ୍ତ କରାଇଛି । ଏପରିକି ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟଙ୍କୁ ବିଜେଡି ନିଜର ଭୋଟବ୍ୟାଙ୍କ ଭାବୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ନଦେବା ଓ ସେମାନଙ୍କର ଦୈନନ୍ଦିନ ସମସ୍ୟା ବୁଝିବାରେ ଦଳ ସକ୍ଷମ ହୋଇପାରିନି । ଯାହାକି ‘କୋଶଲ’ ଅଂଚଳରେ ବିଜେଡି ବିରୋଧରେ ଅସନ୍ତୋଷକୁ ଦାନା ବାନ୍ଧିବାରେ ସହାୟକ ହୋଇଛି।
ସେହିପରି ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚ୍ୟାଉପଟ୍ଟନାୟକ, ଯୋଗେନ୍ଦ୍ର ବେହେରା ଓ ବଳଭଦ୍ର ମାଝୀ ଭଳି ନେତାଙ୍କୁ ନବୀନ ରାଜ୍ୟସଭାର ପ୍ରତିଶ୍ରୁତି ଦେଇଥିଲେ। ନବୀନଙ୍କ ପ୍ରତିଶ୍ରୁତିକୁ ବିଜେଡିର ଏହି ପ୍ରଭାବଶାଳୀ ଗୋଷ୍ଠୀ ମୂଲ୍ୟହୀନ କରିଦେଇଛି । ତା’ଛଡ଼ା ଦଳରେ ବିଜୟ ନାୟକ, ଈଶ୍ୱର ପାଣିଗ୍ରାହୀ, ଲେନିନ୍ ମହାନ୍ତିଙ୍କ ସମେତ ଏୟୁ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପୁଷ୍ପେନ୍ଦ୍ର ସିଂହଦେଓ, ରବି ନନ୍ଦ, ମହେଶ୍ୱର ମହାନ୍ତି, ଦେବାଶୀଷ ସାମନ୍ତରାୟଙ୍କ ଭଳି ବରିଷ୍ଠ ନେତାମାନେ ଆରମ୍ଭରୁ ସଂଗଠନ ପାଇଁ କାମ କରୁଥିଲେ ମଧ୍ୟ ସେମାନଙ୍କୁ ବି ଏହି ପ୍ରଭାବଶାଳୀ ଗୋଷ୍ଠୀ ଅଣଦେଖା କରିଛି । ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାରୁ ଦୁଇଜଣ ମହିଳା ବିଧାନସଭାକୁ ଓ ଜଣେ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିବାବେଳେ ଅନ୍ୟଜଣେ ମହିଳାଙ୍କୁ ଦଳ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର କରାଇଛି । ଏହା ସତ୍ୱେ ସେହି ଜିଲ୍ଲାରୁ ପୁଣିଜଣେ ମହିଳାଙ୍କୁ ସଂସଦକୁ ପଠାଇ ବିଜେଡିର ଏହି ପ୍ରଭାବଶାଳୀ ଗୋଷ୍ଠୀ ନିଜର ପତିଆରା ଦେଖାଇବାରେ ସଫଳ ହୋଇଛି। ବିଜେଡିରେ ଏଭଳି ଏକଛତ୍ରବାଦୀ ନିଷ୍ପତ୍ତି ଆଗାମୀ ଦିନରେ ଦଳକୁ ଏକ ଭୟଙ୍କର ବିପର୍ଯ୍ୟୟ ଆଡ଼କୁ ଟାଣି ନେଉଥିବା ରାଜନୀତିକ ମହଲରେ ଆଶଙ୍କା କରାଯାଉଛି।