ମହାନଦୀକୁ ନେଇ ବିଜେଡି କରୁଛି ଭୋଟ୍ ରାଜନୀତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ମହାନଦୀ ଶୁଖିଲା ପଡ଼ିଛି, ଯେଉଁ ପରିମାଣର ଜଳପ୍ରବାହ ରହିବା କଥା, ତାହା ନାହିଁ । ତଥାପି ରାଜ୍ୟ ସରକାର ମାମଲା ଟ୍ରିବ୍ୟୁନାଲରେ ବିଚାରଧୀନ କହି ଚୁପ୍ ହୋଇ ବସିପଡ଼ିଛନ୍ତି । ମହାନଦୀ ଜଳବିବାଦକୁ ପଂଚାୟତ ଓ ସାଧାରଣ ନିର୍ବାଚନରେ ବିଜେଡି ପ୍ରସଙ୍ଗ କରି ନିଜର ରାଜନୀତିକ ଫାଇଦା ହାସଲ କରିଥିଲା । କିନ୍ତୁ ନିର୍ବାଚନ ଜିତିବା ପରେ ଏବେ ଚୁପ୍ ହୋଇ ବସିପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ କୃଷକ […]

BJP

Ordigital Desk
  • Published: Saturday, 21 May 2022
  • , Updated: 21 May 2022, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ମହାନଦୀ ଶୁଖିଲା ପଡ଼ିଛି, ଯେଉଁ ପରିମାଣର ଜଳପ୍ରବାହ ରହିବା କଥା, ତାହା ନାହିଁ । ତଥାପି ରାଜ୍ୟ ସରକାର ମାମଲା ଟ୍ରିବ୍ୟୁନାଲରେ ବିଚାରଧୀନ କହି ଚୁପ୍ ହୋଇ ବସିପଡ଼ିଛନ୍ତି । ମହାନଦୀ ଜଳବିବାଦକୁ ପଂଚାୟତ ଓ ସାଧାରଣ ନିର୍ବାଚନରେ ବିଜେଡି ପ୍ରସଙ୍ଗ କରି ନିଜର ରାଜନୀତିକ ଫାଇଦା ହାସଲ କରିଥିଲା । କିନ୍ତୁ ନିର୍ବାଚନ ଜିତିବା ପରେ ଏବେ ଚୁପ୍ ହୋଇ ବସିପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବିଜେଡିକୁ ଭୋଟ୍ ଦିଶୁଛି, କିନ୍ତୁ ମହାନଦୀ ଶୁଖିଲା ପଡ଼ିଥିବା ଦେଖାଯାଉନି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ଦିଗରେ ରାଜ୍ୟ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିବା ସହ ମହାନଦୀକୁ ନେଇ ବିଜେଡି ରାଜନୀତି କରୁଛି ବୋଲି କହିଛନ୍ତି । ଜାତୀୟ ଅନୁସୂଚିତ କମିଶନଙ୍କ ପାଖରେ ଜିଲ୍ଲାପାଳ ଯେପରି ହାଜର ନହେବେ ସେଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବଡ଼ ଓକିଲ ଦେଉଛନ୍ତି କିନ୍ତୁ ଟ୍ରିବ୍ୟୁନାଲରେ ଲଢ଼େଇ କରିବାକୁ ବଡ଼ ଓକିଲ ଦେବାକୁ ସରକାର ଆନ୍ତରିକତା ଦେଖାଉ ନାହାନ୍ତି । ବୋଧହୁଏ ରାଜ୍ୟ ସରକାର ମହାନଦୀ ଟ୍ରିବ୍ୟୁନାଲ ବିବାଦ ଦୀର୍ଘଦିନ ଧରି ଚାଲୁ ବୋଲି ଚାହୁଁଛନ୍ତି । ରାଜ୍ୟ ସରକାର ଏହି ମହାନଦୀ ବିବାଦ ନ୍ୟାୟାଳୟରେ ଅଛି ବୋଲି କହି ଚୁପ୍ ହୋଇ ନବସି ଷ୍ଟେକ୍ ହୋଲଡରଙ୍କ ସହ କଥାବାର୍ତା କରି ଓଡ଼ିଶାରେ ମହାନଦୀରେ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ବ୍ୟବସ୍ଥା କରିବା ଜରୁରୀ ବୋଲି ବିଜେପି ଦାବି କରିଛି।

ଶ୍ରୀ ପୁରୋହିତ କହିଛନ୍ତିି ଯେ ମହାନଦୀ ଜଳ ବିବାଦକୁ ନେଇ ନିର୍ବାଚନ ପୂର୍ବରୁ ନାରାବାଜି କରୁଥିବା ବିଜେଡି ଓଡ଼ିଶାର ସ୍ୱାର୍ଥ ରକ୍ଷା ପ୍ରସଙ୍ଗରେ ଏବେ ନିରବଦ୍ରଷ୍ଟା କାହିଁକି? ଶାସକ ବିଜେଡି ୨୦୧୬ ମସିହା ଠାରୁ ୨୦୧୭ ତ୍ରିସ୍ତରୀୟ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ମହାନଦୀ ଜଳ ବିବାଦକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା । ମାତ୍ର ନିର୍ବାଚନୀ ବୈତରଣୀ ପାର୍ କରିବା ପରେ ଏହାକୁ ଭୁଲି ଗଲେ । ଟ୍ରିବ୍ୟୁନାଲ ଗଠନ ପରେ ରାୟ ଆସିବାରେ ସମୟ ଲାଗିପାରେ । କେବଳ ଟ୍ରିବ୍ୟୁନାଲ ଉପରେ ଭରସା କଲେ ଖରା ଦିନେ ଜଳ ପାଇଁ ଓଡ଼ିଶାର ସ୍ୱାର୍ଥ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବେଦାନ୍ତ ମାମଲା ହେଉ କିମ୍ବା କେନ୍ଦୁଝର ଜିଲ୍ଲାପାଳ ଏସଟି କମିଶନରେ ହାଜର ନ ହେବା ନେଇ ବଡ ଓକିଲ ରାଜ୍ୟ ସରକାର ନିଯୁକ୍ତ କରୁଛନ୍ତିି । କିନ୍ତୁ ଟ୍ରିବ୍ୟୁନାଲ ଲଢିବା ପାଇଁ ସରକାର ବଡ ଓକିଲ କାହିଁକି ନିଯୁକ୍ତ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ୍ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣ ମୌସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ବ୍ୟବସ୍ଥା ହୋଇଛି ବୋଲି ବିଜେପି ପ୍ରଶ୍ନ କରିଛି । ସେହିପରି ଛତିଶଗଡ଼ ପଟୁ ଆସୁଥିବା ମହାନଦୀର ପାଣି ସହ ଓଡିଶାର କେତୋଟି ଅଂଚଳର ଜଳ ସେଚନ ଓ ପାନୀୟ ଜଳର ସମ୍ବନ୍ଧ ଅଛି ଏବଂ ହୀରାକୁଦର ତଳମୁଣ୍ଡରେ ୫ଟି ରିଜରଭର ନିର୍ମାଣର ପ୍ରତିଶ୍ରୁତିର ଅଗ୍ରଗତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ଶ୍ରୀ ପୁରୋହିତ ଦାବି କରିଛନ୍ତି।

Related story