ପ୍ରତି ସପ୍ତାହରେ ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସରେ ହେବାକୁ ଥିବା ପ୍ରାଥମିକ ସମବାୟ ସମିତି ନିର୍ବାଚନ ପାଇଁ ଶାସକ ବିଜେଡି ନିଜର ପ୍ରସ୍ତୁତି ଜୋରଦାର କରିଛି । ଦଳ ନିଜର ବରିଷ୍ଠ ନେତାମାନଙ୍କୁ ସମବାୟ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ଆଜି ଏକ କର୍ମଶାଳା ଆୟୋଜନ କରିଥିଲା ଯେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମବାୟ ନିର୍ବାଚନକୁ ଗମ୍ଭୀରତାର ସହ ନେଇ ଲଢ଼େଇ କରିବାକୁ ଆହ୍ୱାନ କରିଛନ୍ତି । ପ୍ରାଥମିକ ସମବାୟ ନିର୍ବାଚନରେ ଭଲ ଫଳାଫଳ କରିବା ସହ […]

Pratap Dev

Ordigital Desk
  • Published: Monday, 16 May 2022
  • , Updated: 16 May 2022, 10:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସରେ ହେବାକୁ ଥିବା ପ୍ରାଥମିକ ସମବାୟ ସମିତି ନିର୍ବାଚନ ପାଇଁ ଶାସକ ବିଜେଡି ନିଜର ପ୍ରସ୍ତୁତି ଜୋରଦାର କରିଛି । ଦଳ ନିଜର ବରିଷ୍ଠ ନେତାମାନଙ୍କୁ ସମବାୟ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ଆଜି ଏକ କର୍ମଶାଳା ଆୟୋଜନ କରିଥିଲା ଯେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମବାୟ ନିର୍ବାଚନକୁ ଗମ୍ଭୀରତାର ସହ ନେଇ ଲଢ଼େଇ କରିବାକୁ ଆହ୍ୱାନ କରିଛନ୍ତି । ପ୍ରାଥମିକ ସମବାୟ ନିର୍ବାଚନରେ ଭଲ ଫଳାଫଳ କରିବା ସହ ଶୀର୍ଷସ୍ତରୀୟ ସମବାୟ ନିର୍ବାଚନ ହେବା ପର୍ଯ୍ୟନ୍ତ ରାଜ୍ୟ କମିଟି ପ୍ରତି ସପ୍ତାହରେ ଥରେ ଜୋନାଲ କମିଟି ଓ ଜିଲ୍ଲା କମିଟିଗୁଡ଼ିକର ପ୍ରଦର୍ଶନର ସମୀକ୍ଷା କରି ରିପୋର୍ଟ ଦେବାକୁ କହିଛନ୍ତି ।

ଆଜି ଦଳ ପକ୍ଷରୁ ଆୟୋଜିତ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମଶାଳାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ସମବାୟ ନିର୍ବାଚନକୁ ଗମ୍ଭୀରତାର ନେଇ ଲଢ଼ିବା ଓ ଗତ ସମବାୟ ନିର୍ବାଚନରେ ଯେତିକି ସଫଳତା ମିଳିଥିଲା ତାହାଠାରୁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଛନ୍ତି । ପ୍ରାଥମିକ ସ୍ତରରେ ନିର୍ବାଚନ ଉପରେ ନଜର ରଖିବା ପାଇଁ ଦଳ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇସାରିଥିବା ନେଇ ନବୀନ ସୂଚନା ଦେବା ସହ ଏସବୁର ସଠିକ ତଦାରଖ ଏବଂ ମନିଟରିଂ ପାଇଁ କେନ୍ଦ୍ରୀୟ, ଉତ୍ତର, ଦକ୍ଷିଣ, ଏବଂ ପଶ୍ଚିମ ଜୋନାଲ କମିଟି ଗଠନ କରାଯାଇଛି। ସମ୍ପୃକ୍ତ ଜୋନର ଜିଲ୍ଲା କମିଟି ଏବଂ ପର୍ଯ୍ୟବେକ୍ଷକଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି । ଅନୁରୂପ ଭାବେ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସାମଗ୍ରିକ ତଦାରଖ ଏବଂ ମନିଟରିଂ ପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି ଯାହା ସୁଚାରୁ ଭାବେ ନିର୍ବାଚନର କାର୍ଯ୍ୟ ତୁଲାଇବାପାଇଁ ଜିଲ୍ଲାମାନଙ୍କ ସହ ସମନ୍ୱୟ ରକ୍ଷା କରିବ । ନବୀନ ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ ମିଳିଥିବା ସଫଳତାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆମର ସମସ୍ତ ନେତା ଏବଂ କର୍ମୀ ଏକ ବୃହତ୍ ବିଜୟ ନିଶ୍ଚିତ କରିବାକୁ ଯଥାସମ୍ଭବ ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମବାୟ ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଆବାହକତ୍ୱରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି । ଏଥିରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିକ୍ରମ ପଣ୍ଡା, ପ୍ରଣବ ବଳବନ୍ତରାୟ ଓ ରବି ଜେନା ସଦସ୍ୟ ଅଛନ୍ତି । ଏହି କମିଟି ପ୍ରତି ସପ୍ତାହରେ ଜୋନାଲ ଓ ଜିଲ୍ଲା କମିଟିର କାର୍ଯ୍ୟ ଓ ପ୍ରସ୍ତୁତିର ସମୀକ୍ଷା କରିବ ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୧୯ ଏବଂ ୨୬ ଜୁନ୍ ରେ ଛଅ ହଜାରରୁ ଅଧିକ ପ୍ରାଥମିକ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହି ପ୍ରକ୍ରିୟା ସମାପ୍ତ ହେବା ପରେ କେନ୍ଦ୍ରୀୟ ଏବଂ ଶୀର୍ଷ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

Related story