ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ବିଜେଡିର ଦରଦାମ ବୃଦ୍ଧି ଆଳ, କରିବ ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବାବେଳେ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ବିଜେଡି ଏବେ ନୂଆ ରଣନୀତି ଆପଣାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ବିଜେଡି ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ଆଳ କରି ଆସନ୍ତାକାଲିଠୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ […]

Pratap Deb and Atanu Sabyasachi Nayak

Pratap Deb and Atanu Sabyasachi Nayak

Ordigital Desk
  • Published: Saturday, 30 October 2021
  • Updated: 30 October 2021, 06:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବାବେଳେ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ବିଜେଡି ଏବେ ନୂଆ ରଣନୀତି ଆପଣାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ବିଜେଡି ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ଆଳ କରି ଆସନ୍ତାକାଲିଠୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ରାଜରାସ୍ତାରେ ପ୍ରତିବାଦ କରିବ ବୋଲି ସୂଚନା ଦେଇଛି। ତୈଳ ଦର ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଦୀର୍ଘ ୨ବର୍ଷ ଧରି ନିରବ ଥିବା ବିଜେଡି ଏବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବିକୁ ନେଇ ରାଜ୍ୟବ୍ୟାପୀ ପ୍ରକାଶ ପାଉଥିବା ତୀବ ପ୍ରତିକ୍ରିୟାରେ ବିଚଳିତ ହୋଇ ‘ଦରଦାମ ବୃଦ୍ଧି’କୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇବାକୁ ଯାଉଛି।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ ଓ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପେଟ୍ରୋଲ,ଡିଜେଲ,ଏଲପିଜି ସମେତ ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦର ବୃଦ୍ଧି ଯୋଗୁ ଏବେ ଓଡ଼ିଶା ତଥା ସମଗ୍ର ଦେଶର ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । କେନ୍ଦ୍ରର ବିଜେପି ସରକାର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ । ରୋଷେଇଘର(ହାଣ୍ଡିଶାଳ) ଉପରେ ମହଙ୍ଗା ମାଡ଼ ବି ଅସହ୍ୟ ହେଲାଣି ।

୨୦୧୯ ମସିହାରେ ବିଜେପି କେନ୍ଦ୍ରରେ ଦ୍ୱିତୀୟଥର କ୍ଷମତାସୀନ ହେବାବେଳେ ପେଟ୍ରୋଲ ଲିଟର ୭୧ଟଙ୍କା ଓ ଡିଜେଲ ୬୫ଟଙ୍କା ଦର ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ଲିଟର ପିଛା ୧୦୬ଟଙ୍କା ୩୨ ପଇସା ଏବଂ ଘରୋଇ ଏଲପିଜି ସିଲିଣ୍ଡର ପିଛା ଦର ୯୨୬ଟଙ୍କା ରହିଛି । ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ପ୍ରାୟ ୩୦% ଆକାଶଛୁଆ ବୃଦ୍ଧି ହୋଇଛି । ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ଏହା ହେଉଛି ସର୍ବାଧିକ । ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ବୃଦ୍ଧି ହୋଇଛି ।

ବଜାର ବିଶେଷଜ୍ଞଙ୍କ ଅନୁସାରେ, କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ୪୦%ରୁ ୧୦୦%କୁ ବୃଦ୍ଧି ପାଇଛି । କରୋନା ମହାମାରୀ ଓ ଲକଡାଉନ୍ ପରିସ୍ଥିତି ଯୋଗୁ ଅଧିକାଂଶ ପରିବାର ନିଜର ଉପାର୍ଜନ ମଧ୍ୟରେ ଯେନତେନ ପ୍ରକାରେ ପରିବାର ପ୍ରତିପୋଷଣ କରିବା ପାଇଁ ସଂଘର୍ଷ କରୁଛନ୍ତି । ।ବେରୋଜଗାର ପ୍ରମୁଖ ସମସ୍ୟା ପାଲଟିଛି ଓ ଆଉ ଆମେ ସଙ୍କଟ ମଧ୍ୟରେ ରହିଛୁ । ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି  ବୋଲି ବିଜେଡିର ଏହି ନେତାମାନେ କହିଛନ୍ତି।

ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ‘ଧାରଣା’ ପ୍ରଦର୍ଶନ କରିବ । କେନ୍ଦ୍ରର ବିଜେପି ସରକାର ଦ୍ୱାରା ପେଟ୍ରୋଲ,ଡିଜେଲ,ଏଲପିଜି, ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ।

ସେହିପରି ୧ତାରିଖରୁ ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରତିବାଦ କରିବ । ୧ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ବିଜୁ ମହିଳା ଜନତା ଦଳ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବ । ଏହାସହିତ ୫ରୁ ୭ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟର ସବୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ହେବ ବୋଲି ଦଳର ନେତାମାନେ କହିଛନ୍ତି ।

ତେବେ ବାସ୍ତବ କଥା ହେଲା, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଏବେ ତାଙ୍କର ବରଖାସ୍ତ ଦାବିରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ଆଗକୁ ପଂଚାୟତ ନିର୍ବାଚନରେ ନିଜର ଭାବମୂର୍ତ୍ତି ସୁରକ୍ଷିତ ରଖିବାକୁ ବିଜେଡି ‘ଦରଦାମ ବୃଦ୍ଧି’ର ଆଳ ଦେଖାଇ ରାଜରାସ୍ତାରେ ବିଜେପି ସହ ମୁହାଁମୁହିଁ ହେବାକୁ ରଣନୀତି ପ୍ରସ୍ତୁତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos