ବିଜେଡିରେ ମହିଳାଙ୍କୁ ମିଳୁନି ହକ୍ , ଏବେ ‘ରାଜ୍ୟସ୍ତରୀୟ ଏସଏଚଜି ମହାସଂଘ’ ଥୋପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ବିଜେଡି ସରକାର ମହିଳା ଭୋଟ୍ ବ୍ୟାଙ୍କ ତୁଷ୍ଟୀକରଣ ନିମନ୍ତେ ‘ରାଜ୍ୟସ୍ତରୀୟ ଏସଏଚଜି ମହାସଂଘ’ ଥୋପ ପକାଇଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ୨୦୧୯ ନିର୍ବାଚନୀରେ ଆଖିଦୃଶିଆ ସଫଳତା ପାଇଥିବା ବିଜେଡି ନିଜ ସରକାରର ପଂଚମ ପାଳିର ପ୍ରଥମ ଦିନରେ ମନ୍ତ୍ରିମଣ୍ଡଳ ବୈଠକ ଡାକି ନିଜର ନିର୍ବାଚନୀ ଇସ୍ତାହାରକୁ ସରକାରୀ ମୋହର ଲଗାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ […]

Naveen

Ordigital Desk
  • Published: Thursday, 02 June 2022
  • , Updated: 02 June 2022, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ବିଜେଡି ସରକାର ମହିଳା ଭୋଟ୍ ବ୍ୟାଙ୍କ ତୁଷ୍ଟୀକରଣ ନିମନ୍ତେ ‘ରାଜ୍ୟସ୍ତରୀୟ ଏସଏଚଜି ମହାସଂଘ’ ଥୋପ ପକାଇଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ୨୦୧୯ ନିର୍ବାଚନୀରେ ଆଖିଦୃଶିଆ ସଫଳତା ପାଇଥିବା ବିଜେଡି ନିଜ ସରକାରର ପଂଚମ ପାଳିର ପ୍ରଥମ ଦିନରେ ମନ୍ତ୍ରିମଣ୍ଡଳ ବୈଠକ ଡାକି ନିଜର ନିର୍ବାଚନୀ ଇସ୍ତାହାରକୁ ସରକାରୀ ମୋହର ଲଗାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେଥିରୁ ମାତ୍ର ୧୦ ପ୍ରତିଶତ ପୂରଣ କରିଥିବା ବିଜେଡି ସରକାର ଏବେଠୁ ‘ମିଶନ ଶକ୍ତି’ ନାଁରେ ଦଳ ପାଇଁ ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି । ଆଜି ପଂଚାୟତ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ ଶିବିର ପରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଗଣମାଧ୍ୟମକୁ ଦେଇଥିବା ବୟାନ ପରୋକ୍ଷରେ ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ଏବେବି ଏସଏଚଜି ମହିଳାଙ୍କ ପାଇଁ ପ୍ରତାରଣା ହୋଇ ରହିଛି । ବିଜେଡିରେ ବରିଷ୍ଠ ନେତ୍ରୀ ଓ ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କୁ ନିଜର ହକ୍ ମିଳୁନଥିବା ନେଇ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ଏସଏଚଜି ମହିଳାଙ୍କୁ ଏହି ଥୋପ କେତେ ସଫଳ ହେଉଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ।

ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଜିଲ୍ଲାରେ ମିଶନ ଶକ୍ତି ସମାବେଶ କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଇଥିବା ବଡ଼ ବଡ଼ ପ୍ରତିଶ୍ରୁତି, ଏପରିକି ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ମୋହର ବାଜିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପାଳନ ହୋଇପାରିନି । ମିଶନ ଶକ୍ତି ଏବେ ଏକ ମହାଦ୍ରୁମ ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ କହିଥିବାବେଳେ ସୁଜାତା ଏବେ ମିଶନ ଶକ୍ତିକୁ ଏକ ଅଭିଯାନ ବୋଲି କହିଲେଣି । କିନ୍ତୁ ମିଶନ ଶକ୍ତି ସହ ୨୦୧୯ ମସିହା ସୁଦ୍ଧା ସାମିଲ ହୋଇଥିବା ମହିଳାଙ୍କ ସଂଖ୍ୟା ୭୦ଲକ୍ଷ ଥିବାବେଳେ ୩ବର୍ଷ ପରେ ବି ମହିଳାଙ୍କ ସଂଖ୍ୟା ସେତିକି ରହିଛି । ଗତ ମେ’ ୧୮ରେ ବସିଥିବା କ୍ୟାବିନେଟ ବୈଠକ ପରେ ସରକାର ଦେଇଥିବା ଲିଖିତ ସୂଚନାରୁ ମହିଳା ଏସଏସଜି ସଦସ୍ୟଙ୍କ ସଂଖ୍ୟା ୭୦ଲକ୍ଷରେ ହିଁ ଏବେବି ସୀମିତ ଥିବା ଜଣାପଡ଼ିଛି ।

କେବଳ ସେତିକି ନୁହେଁ, ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଜିଲ୍ଲାସ୍ତରରେ ମହିଳା ଏସଏଚଜି ମହାସଂଘର ସଭାନେତ୍ରୀଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ସୁବିଧା ଓ ରାଜ୍ୟସ୍ତର ଏସଏଚଜି ମହାସଂଘ ସଭାନେତ୍ରୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ । ଜିଲ୍ଲାସ୍ତରର ମହାସଂଘ ଏପର୍ଯ୍ୟନ୍ତ କୌଣସି ଜିଲ୍ଲା ପୂର୍ଣ୍ଣାଙ୍ଗ ରୂପରେ ଗଠନ ହୋଇପାରିନି । ପ୍ରତି ପଂଚାୟତରେ ମିଶନ ଶକ୍ତି ବଜାର ବଦଳରେ ଏବେ ମାତ୍ର ୫୦୦ଟି ମିଶନ ଶକ୍ତି ବଜାର କଥା ସରକାର କହୁଛନ୍ତି । ମହିଳା ଏସଏଚଜିଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ପ୍ରତିଶତରେ ଋଣ, ମିଶନ ଶକ୍ତି କର୍ପସ ଫଣ୍ଡ, ମିଶନ ଶକ୍ତି ମହିଳାଙ୍କୁ ଦୁର୍ଘଟଣାବୀମା ମହିଳାଙ୍କୁ ପ୍ରଶିକ୍ଷଣ ସହ ଉପାର୍ଜନକ୍ଷମ ଉପକରଣ ପ୍ରଦାନ ଆଦି ପ୍ରତିଶ୍ରୁତି ଏବେବି ‘ପାଣିର ଗାର’ ହୋଇ ରହିଛି । ପ୍ରତିଶ୍ରୁତି ଆଧାରରେ କେବଳ ‘ମିଶନ ଶକ୍ତି’ ନାଁରେ ଗୋଟିଏ ସ୍ୱତନ୍ତ୍ର ବିଭାଗ ଖୋଲା ହୋଇପାରିଛି ।

ଏପଟେ ମହିଳାଙ୍କ ଅଧିକାର ଓ ତୁଷ୍ଟୀକରଣ କଥା କହୁଥିବା ଶାସକ ବିଜେଡି ନିଜ ଦଳର ବରିଷ୍ଠ ନେତ୍ରୀମାନଙ୍କୁ ବି ନିଷ୍ପତ୍ତି ପ୍ରକ୍ରିୟାରେ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି । ଦଳର ମହିଳା ୱିଙ୍ଗ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗତ ଦେଢ଼ ବର୍ଷ ପରେ ସାଂଗଠନିକ ସକ୍ରିୟତା ଦେଖାଇ ପାରିନାହାନ୍ତି । ବରିଷ୍ଠ ଉପସଭାନେତ୍ରୀ ଉଷା ଦେବୀ ଗଣମାଧ୍ୟମକୁ ଆସି ରାଜ୍ୟସଭାକୁ ଜଣେ କି ଦୁଇଜଣ ନୁହେଁ ବରଂ ୩ଜଣ ମହିଳା ଯିବା ଦରକାର ବୋଲି କହିଥିଲେ ମଧ୍ୟ ମୋଟ ୪ଟି ଆସନରେ ମାତ୍ର ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଗଲା । ସେହିପରି ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ୩ବର୍ଷ ପରେ ବି ସେ ଏହି ପଦରେ ଆସୀନ ହୋଇପାରୁନାହାନ୍ତି । ଦଳର ଅନ୍ୟ ମହିଳାମାନଙ୍କ ସ୍ଥିତି ଓ ସାଂଗଠନିକ କାର୍ଯ୍ୟରେ ସେମାନଙ୍କର ଭୂମିକା କଥା ନକହିବା ଭଲ । ବିଜେଡିରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ବରିଷ୍ଠ ନେତ୍ରୀମାନଙ୍କର କୌଣସି ଭୂମିକା ରହୁନଥିବାବେଳେ ଏସଏଚଜି ମହିଳାଙ୍କୁ ରାଜ୍ୟସ୍ତରୀୟ ମହାସଂଘ ଗଠନ କରି ରାଜ୍ୟ ଶାସନରେ ନିଷ୍ପତ୍ତି ନେବାର ଅଧିକାର ମିଳିବ ବୋଲି କହିବା କେବଳ ‘ଧର୍ମକୁ ଆଖିଠାର’ ସଦୃଶ ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟର ନବନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗକୁ ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଅବଗତ କରାଇବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମିଶନ ଶକ୍ତି ଏକ ଯୋଜନା ନୁହେଁ ଏହା ଏକ ଅଭିଯାନ । ମିଶନ ଶକ୍ତିରୁ ଓଡ଼ିଶାର ମହିଳାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ । ଏସଏଚଜିକୁ ଏସଏମଇ(କ୍ଷୁଦ୍ରମଧ୍ୟମ ଶିଳ୍ପ)ରେ ପରିଣତ କରାଇବା ପାଇଁ ଟାର୍ଗେଟ ରଖାଯାଇଛି । ଆସନ୍ତା ୧୨ମାସ ମଧ୍ୟରେ ଏସଏଚଜି ମହିଳାଙ୍କ ପାଇଁ ରାଜ୍ୟସ୍ତରୀୟ ଫେଡେରେସନ ଗଠନ ହେବ । ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ମହାସଂଘ ଗଠନ ସରିଛି । ରାଜ୍ୟସ୍ତରୀୟ ଫେଡେରେସନ ଗଠନ ହେଲେ ନିଷ୍ପତ୍ତି ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରୀ ରହିପାରିବ । ୫ବର୍ଷ ଭିତରେ ୫୦ହଜାର କୋଟି ଟଙ୍କାର ଋଣ ଦିଆଯିବ । ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୦% ସୁଧ ରିହାତି ଦିଆଯାଉଛି । ୬୮୦୦କୋଟି ଟଙ୍କାର ଋଣ ମହିଳାଙ୍କ ପାଖକୁ ଯାଇଛି । ଏବର୍ଷ ୯ହଜାର କୋଟି ଟଙ୍କା ଋଣ ଦେବାକୁ ଯୋଜନା ରହିଛି। ୫୦୦ଟି ମିଶନ ଶକ୍ତି ବଜାର ମହିଳା ଏସଏଚଜିଙ୍କ ଉତ୍ପାଦକୁ ବିକ୍ରି ନିମନ୍ତେ ସ୍ଥାପନ କରାଯିବ । ମିଶନ ଶକ୍ତି କାଫେ ତିଆରି ହେବ, ଯାହାଫଳରେ ମହିଳାମାନେ ଅଧିକ ଉପାର୍ଜନକ୍ଷମ ହେବେ । ମିଶନ ଶକ୍ତି ବଜାର, ପଂଚାୟତ ପୋଖରୀ ନିଲାମ ସବୁଠି ମହିଳାଙ୍କ ଭୂମିକା ରହିବ । ମିଶନ ଶକ୍ତି ମହିଳାଙ୍କୁ ଲାଇନ୍ ମ୍ୟାନ୍ ଦାୟିତ୍ୱ ଦିଆଯିବ । ଏଥିପାଇଁ ବିଦ୍ୟୁତ ବିଭାଗ ସହ ମିଶି ଏକ ଖସଡ଼ା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।

Related story