ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି, କହିଲା- ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସରକାରୀ ଅଫିସର ଓ କର୍ମଚାରୀମାନେ ଶାସକ ବିଜେଡିର ସଭାପତିଙ୍କୁ ଭେଟି ନିର୍ବାଚନୀ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ପରୋକ୍ଷରେ ରାଜ୍ୟରେ ସାମ୍ବାଧାନିକ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବାକୁ ଦାବି ଜଣାଇଛନ୍ତି। ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ […]

Bhrugu

Ordigital Desk
  • Published: Tuesday, 29 March 2022
  • , Updated: 29 March 2022, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସରକାରୀ ଅଫିସର ଓ କର୍ମଚାରୀମାନେ ଶାସକ ବିଜେଡିର ସଭାପତିଙ୍କୁ ଭେଟି ନିର୍ବାଚନୀ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ପରୋକ୍ଷରେ ରାଜ୍ୟରେ ସାମ୍ବାଧାନିକ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବାକୁ ଦାବି ଜଣାଇଛନ୍ତି।

ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାରୀ କର୍ମଚାରୀମାନଙ୍କ ଆଚରଣ ସମ୍ପର୍କରେ ଅବଗତ କରାଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର ଅଫିସର ଓ ସରକାରୀ କର୍ମଚାରୀମାନେ ପଂଚାୟତ ଓ ପୌର ନିର୍ବାଚନର ସଫଳତା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ଘଟଣା ସମଗ୍ର ରାଜ୍ୟରେ ଚିନ୍ତାର କାରଣ ପାଲଟିଛି । ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକାକୁ ଲୋକଙ୍କ ସେବା ପାଇଁ ବିଶେଷ ଅଧିକାର ଦିଆଯାଇଛି ଏବଂ ସେଥିପାଇଁ ସେମାନଙ୍କ ଠାରୁ ନିରପେକ୍ଷତା ଆଶା କରାଯାଏ। ସେମାନଙ୍କ ନିରପେକ୍ଷତା ହିଁ ଗଣତନ୍ତ୍ରକୁ ସୁଦୃଢ କରେ । କିନ୍ତୁ ରାଜ୍ୟରେ ଶାସକ ବିଜେଡି ଏବଂ ପ୍ରଶାସନିକ କଳ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ଏବେ ପଦାରେ ପଡ଼ିଛି । ଉଭୟ ଭାରତୀୟ ଏବଂ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସମର୍ଥନରେ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଶେଷକରି କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନେ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରି ତାଙ୍କ ପାଇଁ ଭୋଟ ହାତେଇବାର ପ୍ରଚେଷ୍ଟା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ମାତ୍ର ଚଳିତ ପଂଚାୟତ ଓ ପୈାର ନିର୍ବାଚନରେ ଶାସକ ବିଜେଡି ପ୍ରତି ପ୍ରଶାସନିକ ଅଧିକାରୀଙ୍କ ମାତ୍ରାଧିକ ଆନୁଗତ୍ୟ ପ୍ରଦର୍ଶନ ସମସ୍ତ ସୀମା ଅତିକ୍ରମ କରିଯାଇଛି । ଯାହା ଫଳରେ ଆଜି ରାଜ୍ୟରେ ସାମ୍ବିଧାନିକ ସଂକଟ ଦେଖାଦେଇଛି । ସରକାରୀ ଚାକିରି ସର୍ତ୍ତାବଳୀକୁ ଉଲ୍ଲଘଂନ କରି ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିଥିବା ଉଭୟ ଭାରତୀୟ ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାରୀ କର୍ମଚାରୀ ଓ ଅଧିକାରୀମାନେ ବିଜେଡିର ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇବା ଓଡ଼ିଶା ପ୍ରଶାସନିକ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ସହିତ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଦୋହଲାଇ ଦେଇଛି । ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ଓଡ଼ିଶାବାସୀ ଆସ୍ଥା ହରାଇ ବସିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ଚଳିତ ପଂଚାୟତ ଏବଂ ପୌର ନିର୍ବାଚନ ସମୟରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ଶାସକ ବିଜେଡି ସପକ୍ଷରେ ପ୍ରତ୍ୟକ୍ଷ ଭାବେ ପ୍ରଚାର କରୁଥିବାର ବିଜେପି ଅଭିଯୋଗ କରିଥିଲା । ପୂର୍ବରୁ ବିଜେପି ବହୁ ଥର ‘ବିଜେଡି-ପ୍ରଶାସନିକ ଅଧିକାରୀ' ମଧୁଚନ୍ଦ୍ରିକା ପ୍ରସଙ୍ଗରେ ଉଦାହରଣ ସହିତ ଅଭିଯୋଗ କରିଛି । ଯାହାକୁ ଗତ ୨୭ ତାରିଖ ଦିନ ଉଭୟ ବିଜେଡି ଏବଂ ପ୍ରଶାସନିକ ଅଧିକାରୀମାନେ ନିଜେ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ଏହି ଅବସରରେ ବିଜେପି ନେତା ଅଶୋକ ତ୍ରିପାଠୀ ଓ ସୁଦର୍ଶନ ନାୟକଙ୍କ ସମେତ ଅନୀତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଅଭିମନ୍ୟୁ ସେଠୀ, ରମାରଂଜନ ବଳିୟାରସିଂହ ଓ ଠାକୁର ରଣଜିତ ଦାସ, ଦିଲୀପ ମଲ୍ଲିକ, ସୁରଥ ବିଶ୍ୱାଳ, ଭୁବନ ମୋହନ ଜେନା, ଶ୍ରୀତମ ଦାଶ, ସୁଜିତ କୁମାର ଦାସ ଏବଂ ପବିତ୍ର ଦାଶ ପ୍ରମୁଖ ସାମିଲ ଥିଲେ ।

Related story